Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ଦେବ ବିବାହ ଶୀତଳ ଷଷ୍ଠି:ଦେଲା ନୁଆଁ ଝଲକ ମାନବୀୟ ମହାନତାର ମହାପର୍ବ

ସମ୍ବଲପୁର: ମାନବୀୟ ରୀତିନୀତିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ପଡିଲା ହାତଗଣ୍ଠୀ। ସରିଲା ବିବାହ। ମନ୍ଦିର ପ୍ରବେଶ କରି ଦେଲେ ଯୁଗଳ ଦର୍ଶନ।କିନ୍ତୁ ଚଳିତ ବର୍ଷ ର ଶୀତଳ ଷଷ୍ଠି ଯାତ୍ରାର ବିଶେଷତ୍ୱ ଖୁବ ନିଆରା ଓ ଆଦର୍ଶ ର ପ୍ରତିବିମ୍ବ ଛାଡି ଦେଇଛି। ସତେ ଯେପରି ଏହି ମାନବୀୟ ରୀତିନୀତି ର ଶୀତଳ ଷଷ୍ଠି ଯାତ୍ରା ଚଳିତ ବର୍ଷ ଦେଖାଇ ଦେଇଛି ମାନବୀୟ ମହାନତାର ମହାପର୍ବ।ସବୁ ଶ୍ରେଣୀ, ବର୍ଗର ଲୋକଙ୍କୁ ଏକାଠି କରି ସମ୍ବଲପୁର ଅକ୍ଷୁର୍ଣ୍ଣ ରଖିଛି ତାର ମାନବୀୟ ଶକ୍ତିର ମହାନ ପରାମ୍ପରା।
ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ଭବ୍ୟ ସାଂସ୍କୃତିକ ପରିବେଶରେ ମନ୍ଦିର ପ୍ରବେଶ କରି ଶୀତଳ ଷଷ୍ଠି ଯାତ୍ରା ଚଳିତ ବର୍ଷ ଛାଡି ଦେଇଛି ନିଜର ମହାନ ଝଲକ। ଅନ୍ୟ ବର୍ଷ ଠାରୁ ଶୀତଳ ଷଷ୍ଠି ଯାତ୍ରା ଥିଲା ଅନନ୍ୟ।ଜନ ସମୁଦ୍ରରେ ପରିଣତ ହୋଇଥିବା ଏହି ଯାତ୍ରା ଥିଲା ନିଆରା ଓ ଭାବାବେଗରେ ଉଠିଥିଲା ମହକି। ସବୁ ବର୍ଷକୁ ଅତିକ୍ରମ କରି ଚଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ, ଶ୍ରଦ୍ଧାଳୁ ଙ୍କ ଜନସମାଗମ ହୋଇଥିବା ଆକଳନ କରାଯାଇଛି। ଏଥିପାଇଁ ପୋଲିସ ପ୍ରଶାସନ ନାକେଦମ ହୋଇଥିଲଲେବି ଶାନ୍ତି ଶୃଙ୍ଖଳା ସହିତ ସମ୍ବଲପୁରର ଶୀତଳ ଷଷ୍ଠି ଯାତ୍ରା ଦେଖାଇଛି ତାର ନିଦର୍ଶନ।
ଝାଡୁଆପଡା ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବା, ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ବାବା, ବଡ଼ବାଜାରର ଶୀତଳେଶ୍ୱର ବାବା, ଶଙ୍କର ମଠର ସ୍ଵପ୍ନେଶ୍ଵର ବାବା, ଠାକୁର ପଡାର ଗୁପ୍ତେଶ୍ୱର ବାବାବାଲିବନ୍ଧା ସୋମନାଥ ବାବା, ଦୁର୍ଗାପାଲି ଗୁଡ଼େଶ୍ୱର ବାବାଙ୍କ ସହ ଜିଲ୍ଳାର ସମସ୍ତ ଦେବ ବିବାହ ସମ୍ପନ୍ନ ହୋଇ ରବିବାର ରାତିରୁ ଲୋକନୃତ୍ୟ, ଲୋକଗୀତ, ଲୋକ ସଂସ୍କୃତି, ସଂକୀର୍ତ୍ତନ, ଘଣ୍ଟ, ବାଦ୍ୟ ତାଳେ ତାଳେ ଯୁଗଳ ଦର୍ଶନ ଶୋଭଯାତ୍ରା ବାହାରିଥିଲେ।ଏଥିପାଇଁ ସାରା ସମ୍ବଲପୁର ହୋଇଛି ଚଳଚଞ୍ଚଳ। ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଜନ ସମାଗମରେ ସମ୍ବଲପୁରର ଶୀତଳ ଷଷ୍ଠି ଚଳିତ ବର୍ଷ ପାଇଁ ନୁଆଁ ରେକର୍ଡ କରିଛି।
ରବିବାର ରାତି ଓ ସୋମବାର ଦିନ ସାରା ଯୁଗଲ ମୂର୍ତ୍ତି ନଗର ପରିକ୍ରମା କରି ସନ୍ଦ୍ୟା ବେଳକୁ ମନ୍ଦିର ପ୍ରବେଶ କରି ଯୁଗଳ ଦର୍ଶନ ଦେଇଛନ୍ତି।
ଶନିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ପରେ ମହାଆଳତି ଓ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ବାହାରିଥିଲା l ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାରମ୍ପରିକ ଲୋକ କଳାକାର ଦଳ l ଦର୍ଶକଙ୍କ ମନ ମୋହିଥିଲେ ବିଭିନ୍ନ ସ୍ଥାନରୁ ଆସିଥିବା ଆଧୁନିକ ନୃତ୍ୟ ଦଳ l ପାରମ୍ପରିକ ଲୋକ କଳାକାରଙ୍କ ନୃତ୍ୟ, ଗୀତ ଓ ବାଦ୍ୟରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା l ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ ଶବ୍ଦ ପରିବେଶକୁ ଆଧ୍ୟାତ୍ମିକ କରି ଦେଇଥିଲା। ଭୋର ସକାଳ ଯାଏ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା l
ରାତି ପ୍ରାୟ ସାଢେ ୩ ଟାରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା ପାର୍ବତୀଙ୍କ ପିତାମାତାଙ୍କ ଘରେ ପହଞ୍ଚିଥିଲା । କନ୍ୟାପକ୍ଷ ମହାଦେବଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ବାଟବରଣ, ମହା ଆଳତୀ, ଲବଣ ଚାମୁରୀ ନୀତି ସହ ମହାଦେବ କନ୍ୟା ଘରକୁ ପ୍ରବେଶ କରିଥିଲେ l ଏହା ପରେ ଭୋର ୪ ଟାରୁ ଦେବ ବିବାହ ପ୍ରକ୍ରିୟା ଆରମ୍ଭ ହୋଇ ସକାଳ ସାଢେ ୮ ଟା ବେଳକୁ ସମ୍ପନ୍ନ ହୋଇଥିଲା।
ଏଥର ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ଧର୍ମପତ୍ନୀ କନ୍ୟା ପିତାମାତାର ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିବାହରେ ସେ କନ୍ୟାଦାନ କରିଥିଲେ l ଏହି ଅବସରରେ ଶ୍ରୀ ରାଜସ୍ବ ମନ୍ତ୍ରୀ କହିଥିଲେ ଯେ, ଆଜି ସମ୍ବଲପୁରରେ ସତ୍ୟ ଯୁଗର ପରିବେଶ ସୃଷ୍ଟି ହୋଇଛି l ମାତା ପାର୍ବତୀ ଯିଏ କି ଜଗତ ଜନନୀ ଅଟନ୍ତି ସେ ଆମ ଘର କୁ ପୁତ୍ରୀ ହୋଇକି ଆସିଛନ୍ତି l ବୈଦିକ ରୀତି ଅନୁସାରେ କନ୍ୟାଦାନ ମହା ଦାନ ଅଟେ l ଆଉ ଜଗତ ଜନନୀଙ୍କ କନ୍ୟାଦାନ ମହାଦେବଙ୍କୁ କରିବା ଏକ ନିଆରା ସୁଯୋଗ ଆମେ ପାଇ ନିଜକୁ ଗୌରବ ମନେ କରୁଛୁ।
ଅନ୍ୟପଟେ ଝାଡୁଆପଡାର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରାର ଦେବ ବିବାହରେ ରାଜ୍ୟ ବାଣିଜ୍ୟ, ପରିବହନ, ଷ୍ଟିଲ, ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଧ୍ୟ ସାମିଲ ହୋଇଥିଲେ l ଏହି ଅବସରରେ ସେ କହିଥିଲେ ଯେ, ଶିବ ବିବାହରେ ମୁଁ ଅନେକ ଥର ସାମିଲ ହୋଇଛି କିନ୍ତୁ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ପ୍ରଥମ ଥର ପାଇଁ ଆସିଛି l ଏହା ଦେବ ବିବାହ ହେଲେ ମଧ୍ୟ ସମ୍ପୂର୍ଣ ମାନବୀୟ ରୀତିନୀତି ରେ ହୋଇଥାଏ, ତେଣୁ ଏହା ଆମର ଭଳିଆ ଲାଗିଥାଏ।
ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ବର୍ଷ ସମ୍ପୂର୍ଣ୍ଣ ସମୟ ଦେଇଥିଲେ ଶୀତଳ ଷଷ୍ଠି କୁ। ସମ୍ବଲପୁର ସହର ସହିତ ଜିଲ୍ଲାର କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଥିବା ସମସ୍ତ ଯାତ୍ରାରେ ନିଜର ଉପସ୍ଥିତି ଜାହିର କରି ପ୍ରଭୂ ଶିଵ ଓ ମାତା ପାର୍ବତୀଙ୍କ ଆଶୀର୍ବାଦ କାମନା କରି କେବଳ ଜିଲ୍ଲା କାହିଁକି ରାଜ୍ୟ ଓ ରାଷ୍ଟ୍ରବାସୀ ଙ୍କ ସୁଖ ସମୃଦ୍ଧି କାମନା କରି ନିଜର ମହାନତା ଦେଖାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ପରି କୁଚିଣ୍ଡା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ୍ୟ ତାଙ୍କର ପୂର୍ଣ୍ଣ ସମୟ ଦେଇଛନ୍ତି ଶୀତଳ ଷଷ୍ଠି କୁ। ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ କନ୍ୟା ପିତା ହେବା ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାତ୍ରା ପ୍ରତି ନିଜର ଯୋଗଦାନ ଚଳିତ ଶୀତଳ ଷଷ୍ଠି ଯାତ୍ରା ପାଇଁ ଏକ ଅପୂର୍ବ ଜନ ସମାଗମର ଅନନ୍ୟ ଆକର୍ଷଣ ବୋଲି କୁହାଯିବ।
ଗ୍ରୀଷ୍ମ ପ୍ରବାହ ଓ ଗୁଲଗୁଲି ଅତି ପ୍ରଖର ଥିଲେବି ଶୀତଳ ଷଷ୍ଠି ରେ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହା ସ୍ପର୍ଶ କରିପାରିନଥିଲା। ଅବଶ୍ୟ ସହର ର ଏମୁଣ୍ଡ ରୁ ସେମୁଣ୍ଡ, କୋଣ ଅନୁକୋଣରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି, ବିଭିନ୍ନ ସଂଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ,ବିଭିନ୍ନ ସମିତି, ଟ୍ରଷ୍ଟ,ବ୍ୟବସାୟୀ ପ୍ରତିଷ୍ଠାନ,ସଂଘ, ସମାଜ, ରାଜନୈତିକ ଦଳ ଏପରିକି ବ୍ୟକ୍ତିଗତ ସେବା ଭଳି ଯୋଗଦାନ ଅପୂର୍ବ ସଫଳତାର ଆଉ ଏକ ନିଦର୍ଶନ କୁହାଯିବ। ସାରା ସହର ରେ ଏହି ସବୁ ଅନୁଷ୍ଠାନ ପକ୍ଷରୁ, ବିଭିନ୍ନ ଖାଦ୍ୟ, ପାନୀୟ, ବିଶ୍ରାମ, ଆଶ୍ରୟ, ଶୀତଳ ସ୍ଥାନ, ଛୋଟ ବଡ଼ ଉପହାର ଭଳି ସେବା ଦେଇ ସମସ୍ତ ଯାତ୍ରା କମିଟି, ସମ୍ମନ୍ୱୟ କମିଟି ସହିତ ସମଗ୍ର ସମ୍ବଲପୁର ସକ୍ରିୟ ଅନୁଷ୍ଠାନ, ସାମାଜିକ କର୍ମୀ ଭଳି ଲୋକଙ୍କ ଯୋଗଦାନରେ ଶୀତଳ ଷଷ୍ଠି ସାଜିଥିଲା ମାନବୀୟ ମହାନତା ର ମହାପର୍ବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ