Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ର ମାଟ୍ରିକ ଟପ୍ପର ଏବେ ଦାଦନ ଶ୍ରମିକ

ସମ୍ବଲପୁର:ମାଟ୍ରିକ ଟପ୍ପର ଏବେ ଦାଦନ ଶ୍ରମିକ। କଥାଟା ସମସ୍ତଙ୍କୁ ଅଡୁଆ ଲାଗୁଥିଲେ ବି ପୁରା ସତ। ଦଶମ ବୋର୍ଡ ପରୀକ୍ଷାରେ ଏ-୨ ଗ୍ରେଡ଼ ପାଇ କଳାହାଣ୍ଡି ଜିଲ୍ଲାର ସମଗ୍ର ବ୍ଲକକୁ ଗର୍ବିତ ଓ ଗୌରବାନ୍ୱିତ କରିଥିଲେ ଲାଞ୍ଜିଗଡ ବ୍ଲକ ବନ୍ଧପାରୀ ପଞ୍ଚାୟତ ଟିମନବାଡି ଗାଁ ତଥା ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲର ଛାତ୍ର ସୂରଜ ନାଗ। ଏଇ କିଛି ଦିନ ତଳେ ଘୋଷିତ ଦଶମ ପରୀକ୍ଷା ଫଳାଫଳରେ ୪୯୮ ମାର୍କ ରଖି ସେ କୃତୀତ୍ୱ ଅର୍ଜନ କରିଛନ୍ତି। ପରୀକ୍ଷାରେ ଏଇ ସଫଳତାକୁ ନେଇ ପରିବାର ଓ ଗାଁ ଲୋକେ, ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ବେଶ ଖୁସି ଜାହିର କରୁଛନ୍ତି। ଏପରିକି ସୂରଜଙ୍କ ସହିତ ଆଉ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ବି ଦିଆଯାଇଛି। କିନ୍ତୁ ଏହି ସମ୍ବର୍ଦ୍ଧନା ସଭାରେ ସୂରଜ ନିଜେ ଉପସ୍ଥିତ ହୋଇପାରିନଥିଲେ। କାରଣ ତିନିମାସ ହେଲା କେରଳରେ ଦାଦନ ଖଟୁଛନ୍ତି ମେଧାବୀ ଛାତ୍ର ସୂରଜ। ପରିବାରର ଆର୍ଥିକ ଅନାଟନ, ଗରିବୀ ତାକୁ ସଜାଇ ଦେଇଛି ଜଣେ ଦାଦନ ଶ୍ରମିକ। କେରଳ ରାଜ୍ୟ ଆଲୁଭା ନିକଟସ୍ଥ ଏକ ପଥର କ୍ରସରରେ ସେ ଏବେ ଦିନ ମଜୁରିଆ ଭାବେ ଦାଦନ ଖଟୁଛନ୍ତି। ଯେଉଁଠି ପାଦ ପାଦରେ ପ୍ରତି ମୁହୂର୍ତ୍ତରେ ବିପଦ ଛକି ବସିଥାଏ ସେଠି ଏହି ମେଧାବୀ ଛାତ୍ର ନିଜ ଜୀବନକୁ ବାଜି ଲଗାଇଛନ୍ତି। ସେଇ ପଥର କ୍ରସରରେ ମେଧାବୀ ଛାତ୍ର ସୂରଜ ଦେଖୁଛନ୍ତି ଜୀବନ ସ୍ବପ୍ନ। ଅପରପକ୍ଷରେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପାଇଁ ନିମନ୍ତ୍ରଣ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ପରିବାରର ଗରିବୀ ଓ ଅର୍ଥାଭାବ ଜଣେ ମେଧାବୀ ଛାତ୍ରକୁ ଦାଦନ ସଜାଇଛି। ଘରେ ବୁଢା ବାପା -ମାଆ ଓ ଭାଇ ଥିବାବେଳେ ନିଜ ଫର୍ମ ପୂରଣ ଓ ନାମଲେଖା ପାଇଁ ସେ ଟଙ୍କା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଇଥିବା ତାଙ୍କ ପରିବାର ଲୋକେ ସ୍ୱୀକାର କରିଛନ୍ତି। ତେବେ ଅର୍ଥାଭାବ ଓ ପରିବାରର ଆର୍ଥିକ ଦୁର୍ଗତି ଯୋଗୁଁ ଜଣେ ମେଧାବୀ ଛାତ୍ର ଦାଦନ ଖଟିବାକୁ ବାଧ୍ୟ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି। ଏଣୁ ଦାଦନ ସାଜିଥିବା ମେଧାବୀ ଛାତ୍ରଙ୍କୁ ଉଦ୍ଧାର କରି ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସରକାର, ପ୍ରଶାସନ କିମ୍ବା କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଆଗେଇ ଆସିବାକୁ ଦାବି ହେଉଛି ସତ କିନ୍ତୁ ଏହି ମେଧାବୀ ଛାତ୍ର ପ୍ରତି କାହାର ନଜର ନପଡିବା ବିଚିତ୍ର ଚିତ୍ର ଆଜି ଶିକ୍ଷିତ ସମାଜକୁ କେବଳ ବିଚଳିତ କରିନି ବରଂ ସୁରଜ ର ଭବିଷ୍ୟତ ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ୱାନର ସମ୍ମୁଖୀନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ