Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ୫୨ତମ ବିଶ୍ୱ ପରିବେଶ ଦିବସ

ସମ୍ବଲପୁର:ସମ୍ବଲପୁର ମହାନଗର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଆଜି ଅପରାହ୍ନରେ ସମ୍ବଲପୁର ମହାନଗର ସିନ୍ଦୁରପଙ୍କ ନିକଟସ୍ଥ ଦଣ୍ଡେଇପାଲି କୃଷକ ଭବନ ପ୍ରାଙ୍ଗଣରେ ୫୨ତମ ବିଶ୍ୱ ପରିବେଶ ଦିବସ ୨୦୨୫ ମହା ସମାରୋହରେ ପାଳିତ ହୋଇ ଯାଇଛି।
ପ୍ରକୃତିବନ୍ଧୁ ମେଘୁ ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ, ସମ୍ମାନୀତ ଅତିଥି ଭାବରେ ଯୁବ ସମାଜସେବୀ ଭବାନୀ ଶଙ୍କର ସୋହେଲା, ମୁଖ୍ୟବକ୍ତା ଭାବରେ ବରିଷ୍ଠ ଚାଷୀ ନେତା ରାମସାଗର ସାହୁ ଯୋଗଦାନ କରିଥିଲେ।
ମୁଖ୍ୟଅତିଥି ଶ୍ରୀ ବହିଦାର ବିଶ୍ୱ ପରିବେଶ ଦିବସ ପାଳନର ଯଥାର୍ଥତା ସହ ଚଳିତ ବର୍ଷର ( ଥିମ୍ ) “ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତି” ପ୍ରସଙ୍ଗ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ | ଆଗାମୀ ସେପ୍ଟେମ୍ବର ମାସ ୩୦ ତାରିଖ ମଧ୍ୟରେ “ମାଁ ଙ୍କ ନାମରେ ଗଛଟିଏ” ବୃକ୍ଷଚାରା ରୋପଣ ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।ରାମ ସାଗର ସାହୁ ବ୍ୟାପକ ବୃକ୍ଷଚାରା ରୋପଣ କରି ପ୍ରଦୂଷଣରୁ ନିଜ ନିଜ ଅଂଚଳକୁ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଭବାନୀ ଶଙ୍କର ସୋହେଲା ବୃକ୍ଷ ଚାରା ରୋପଣ ଦ୍ୱାରା ସମ୍ପ୍ରତି ବୃଦ୍ଧି ପାଉଥିବା ତାପମାନ କୁ ହ୍ରାସ କରା ଯାଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଆଗାମୀ ବନୀକରଣ ଅଭିଯାନରେ ଯୁବ ସମାଜ ଏବଂ ଛାତ୍ର ସମାଜ ବହୁ ସଂଖ୍ୟାରେ ସାମିଲ୍ ହେବାପାଇଁ ସେ ଆହ୍ୱାନ କରିଥିଲେ। ପ୍ରାରମ୍ଭରେ ଆକାଶବାଣୀ ଓ ଦୂରଦର୍ଶନର ସୁନାମଧନ୍ୟ କଣ୍ଠଶିଳ୍ପୀ କାହ୍ନୁ କେଶବ ବହିଦାର ପରିବେଶ ଉପରେ ଆଧାରିତ ଚିତ୍ତାକର୍ଷକ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ।
ସମାରୋହରେ ବୁଢ଼ାରଜା ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଯୋଗଦାନ କରିଥିଲେ | ଏହି ଅବସରରେ କୃଷକ ଭବନ ପ୍ରାଙ୍ଗଣରେ ବୃକ୍ଷଚାରା ରୋପଣ କରାଯାଇଥିଲା। ଶେଷରେ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ