ଯେଉଁ ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ଯେତୋଟି କଳାଜାଇ , ତାଙ୍କୁ ଚିହ୍ନ ପିଛା ୧ ହଜାର ଟଙ୍କା


ଯେଉଁ ମହିଳା ନିଜ ଶରୀରର ସମ୍ବେଦନଶୀଳ ସ୍ଥାନରେ ଯେତୋଟି କଳାଜାଇ ବା ଷ୍ଟ୍ରେଚ୍ ମାର୍କ ଦେଖାଇବେ, ତାଙ୍କୁ ଚିହ୍ନ ପିଛା ୧ ହଜାର ଟଙ୍କା ଲେଖାଏଁ ହିସାବରେ ସେତିକି ଟଙ୍କା ମିଳିବ । ଏମିତି କୁହାଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡାକି ସେମାନଙ୍କ ଅର୍ଦ୍ଧନଗ୍ନ ଶରୀରର ଭିଜୁଆଲ୍ ଉତ୍ତୋଳନ କରାଯାଇଛି ।

ଏଭଳି ସାଂଘାତିକ ଅଭିଯୋଗ ଉଠିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ତ୍ରୈଲୋକ୍ୟପୁର ପଞ୍ଚାୟତ ତେନ୍ତୁଳିକୋଳି ଗାଁରେ ।

ଗାଁର ମା’ ବୁଢ଼ୀ କନକେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି କଳ୍ପନା ସାମଲ ଏ ନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରି ଜଣେ ଏମ୍ବିକେ ବା ମାଷ୍ଟର୍ ବୁକ୍ କିପର୍ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ସଂପୃକ୍ତ ଏମ୍ବିକେଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛି ।

କଳ୍ପନାଙ୍କ ଅଭିଯୋଗରୁ ପ୍ରକାଶ, ସଂପୃକ୍ତ ଏମ୍ବିକେ ଏସ୍ଏଚ୍ଜିର ମହିଳାମାନଙ୍କୁ କହିଥିଲେ ଯେ, ଯାହାର ସମ୍ବେଦନଶୀଳ ସ୍ଥାନରେ ଯେତୋଟି କଳାଜାଇ ଅଥବା ଷ୍ଟ୍ରେଚ୍ ଚିହ୍ନ ଥିବ, ତାଙ୍କୁ ଚିହ୍ନ ପିଛା ୧ ହଜାର ଟଙ୍କା ମିଳିବ । ଏଥିରେ ରାଜି ଥିବା ମହିଳାଙ୍କୁ ଏକ ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବରକୁ ଭିଡିଓ କଲ୍ କରିବାକୁ ପଡ଼ିବ । ଭିଡିଓ କଲ୍ ସମୟରେ ଚିହ୍ନଗୁଡ଼ିକୁ ପ୍ରଦର୍ଶନ କଲେ ଟଙ୍କା ମିଳିବ ବୋଲି ସଂପୃକ୍ତ ଏମ୍ବିକେ ଦିଦି କହିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ଟଙ୍କା ପାଇବା ଲୋଭରେ ଗୋଷ୍ଠୀର କେତେଜଣ ମହିଳା ସମ୍ପୃକ୍ତ ଏମ୍ବିକେଙ୍କୁ ଯୋଗାଯୋଗ କରିଥିଲେ ଓ ଏମ୍ବିକେ ସେମାନଙ୍କୁ ଏକ ନିଛାଟିଆ ଘରକୁ ନେଇଥିଲେ । ସେଠାରେ ଏମ୍ବିକେ ସେମାନଙ୍କୁ ଏକ ମୋବାଇଲ୍ ନମ୍ବର ଦେଇ ଜଣ ଜଣ କରି ଭିଡିଓ କଲ୍ କରିବାକୁ କହିଥିଲେ ।

ଅନ୍ୟପଟେ ଭିଡିଓ କଲ୍ ରିସିଭ୍ କରିଥିବା ବ୍ୟକ୍ତି ଭିଡିଓ ରେକର୍ଡିଂ କରିଥିଲା । ଭିଡିଓ କଲ୍ ସରିବା ପରେ ମହିଳାମାନେ ଏମ୍ବିକେଙ୍କୁ ଟଙ୍କା ମାଗିବାରୁ ଏମ୍ବିକେ ସେମାନଙ୍କୁ ଟଙ୍କା ନ ଦେଇ ‘ସାର୍ ଆସିଲେ, ଦେବେ’ ବୋଲି କହିଥିଲେ । ଟଙ୍କା ନମିଳିବାରୁ ସଂପୃକ୍ତ ମହିଳାମାନେ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତିଙ୍କୁ ଏ ନେଇ ଅଭିଯୋଗ କରିଥିଲେ । ଏହା ପରେ ସଭାପତି ଥାନାରେ ଏତଲା ଦେଇଥିଲେ ବୋଲି ଦର୍ଶାଯାଇଛି ।

ଘଟଣା ସମ୍ପର୍କରେ ରାଜକନିକା ଥାନାଧିକାରୀ ସଂଜୟ କୁମାର ମଲ୍ଲିକ କହିଛନ୍ତି, ଏତଲା ଆଧାରରେ ଏକ ମାମଲା ରୁଜୁ ହେବା ସହ ସମ୍ପୃକ୍ତ ଏମ୍ବିକେଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଛି । ଜେରା ପରେ ଏମ୍ବିକେଙ୍କୁ ଛାଡ଼ି ଦିଆଯାଇଥିଲେ ହେଁ ଯେଉଁ ବ୍ୟକ୍ତିଙ୍କ ପାଖକୁ ଭିଡିଓ କଲ୍ କରାଯାଇଥିଲା ତାଙ୍କୁ ଏମ୍ବିକେଙ୍କ ମୋବାଇଲ୍ ଫୋନ୍ରୁ କଲ୍ କରାଯାଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ଏ ସମ୍ବେଦନଶୀଳ ଘଟଣାଟି ଅଞ୍ଚଳରେ ଆଲୋଡ଼ନ ଖେଳାଇଛି ।