କର୍ଣ୍ଣାଟକରେ ବିଜେପି ପରାଜୟର ୬ ପ୍ରମୁଖ କାରଣ, ଏହି ଭୁଲ୍ ଦଳକୁ ପଡ଼ିଲା ମହଙ୍ଗା


ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିକୁ ପରାଜୟର ସ୍ଵାଦ ମିଳିବାକୁ ଯାଉଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରୁଥିବା ନଜର ଆସୁଛି। କଂଗ୍ରେସ ୧୨୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୮୦ରୁ କମ ସିଟରେ ଆଗୁଆ ରହିଛି।

କର୍ଣ୍ଣାଟକ ଫଳାଫଳରେ କଂଗ୍ରେସକୁ ପୂର୍ଣ୍ଣ ବହୁମତ ଏବଂ ବିଜେପି ପରାଜୟର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କର୍ଣ୍ଣାଟକରେ ବିଜେପିର ପରାଜୟ ପଛରେ ମଜବୁତ ଚେହେରା ନରହିବା ଏବଂ ରାଜନୈତିକ ସମୀକରଣ ସାଧିବାରେ ବିଫଳତାକୁ ବଡ଼ କାରଣ କୁହାଯାଉଛି।

ବିଜେପି ପରାଜୟର ୬ କାରଣ
୧ – କର୍ଣ୍ଣାଟକରେ ବିଜେପି ପରାଜୟର ସବୁଠୁ ବଡ଼ କାରଣ ମଜବୁତ ଚେହେରା ନ ଦେବା। ୟେଦୁରପ୍ପାଙ୍କ ସ୍ଥାନରେ ବସବରାଜ ବୋମ୍ମାଇଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲେ ହେଁ ତାଙ୍କର କିଛି ଖାସ୍ ପ୍ରଭାବ ପଡ଼ିନାହିଁ। ଅନ୍ୟପଟେ କଂଗ୍ରେସ ନିକଟରେ ଡିକେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ପରି ମଜବୁତ ଚେହେରା ଥିଲେ। ବୋମ୍ମାଇଙ୍କୁ ଆଗରେ ରଖି ନିର୍ବାଚନ ଲଢିବା ବିଜେପିକୁ ମହଙ୍ଗା ପଡ଼ିଛି।

୨ – ଦୁର୍ନୀତି
ବିଜେପି ପରାଜୟର ଆଉ ଏକ ବଡ଼ କାରଣ ଦୁର୍ନୀତି ପ୍ରସଙ୍ଗ ରହିଛି। କଂଗ୍ରେସ ବିଜେପି ବିରୋଧରେ ୪୦ ପ୍ରତିଶତ ପେ-ସିଏମ ଦୁର୍ନୀତିର ଏଜେଣ୍ଡ ଚଳାଇଥିଲା ଏବଂ ଧିରେ ଧିରେ ଏହା ବଡ଼ ପ୍ରସଙ୍ଗ ପାଲଟିଲା। ଦୁର୍ନୀତିରେ ଏସ ଈଶ୍ଵରପ୍ପାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ଜଣେ ବିଜେପି ବିଧାୟକଙ୍କୁ ଜେଲ୍ ଯିବାକୁ ପଡ଼ିଲା। ନିର୍ବାଚନରେ ବିଜେପି ପାଇଁ ଏହି ପ୍ରସଙ୍ଗ ଗଳାର ଫାଶ ପରି ଲାଗି ରହିଲା।

୩ – ରାଜନୀତି ସମୀକରଣ ସାଧିବାରେ ବିଫଳ
କର୍ଣ୍ଣାଟକ ରାଜନୀତି ସମୀକରଣ ସାଧିବାରେ ବିଜେପି ବିଫଳ ହୋଇଛି। ଦଳ କେବଳ ନିଜର ମୂଳ ଭୋଟ୍ ବ୍ୟାଙ୍କ ଲିଙ୍ଗାୟତ ସମୁଦାୟକୁ ନିଜ ସହିତ ରଖିପାରି ନାହିଁ ବରଂ ଦଳିତ, ଆଦିବାସୀ, ଓବିସି ଏବଂ ଭୋକଲିଙ୍ଗା ସମୁଦାୟର ହୃଦୟ ବି ଜିତି ପାରିନାହିଁ। ଅନ୍ୟପଟେ କଂଗ୍ରେସ ମୁସଲିମଙ୍କଠୁ ନେଇ ଦଳିତ ଏବଂ ଓବିସି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ସହ ଲିଙ୍ଗାୟତ ସମୁଦାୟର ଭୋଟକୁ ନିଜ ଆଡ଼କୁ ଟାଣିବାରେ ସଫଳ ହୋଇଛି।

୪- କାମରେ ବାଜିଲାନି ଧ୍ରୁବୀକରଣ
କର୍ଣ୍ଣାଟକରେ ଏକ ବର୍ଷ ଧରି ବିଜେପି ନେତା ହଲାଲା, ହିଜାବ ଏବଂ ଅଜାନ ପର୍ଯ୍ୟନ୍ତ ପ୍ରସଙ୍ଗ ଉଠାଇ ଚାଲିଲେ। ନିର୍ବାଚନ ସମୟରେ ବି ବଜରଙ୍ଗ ଦଳର ପ୍ରବେଶ ଘଟିଲା, ମାତ୍ର ବିଜେପିର ଧାର୍ମିକ ଧ୍ରୁବୀକରଣ କାମରେ ବାଜିଲା ନାହିଁ। କଂଗ୍ରେସ ବଜରଙ୍ଗ ଦଳକୁ ବ୍ୟାନ କରିବାକୁ ପ୍ରତିଶ୍ରୁତି ଦେବାରୁ ବିଜେପି ବଜରଙ୍ଗ ଦଳକୁ ସିଧାସଳଖ ବଜରଙ୍ଗ ବଳିଙ୍କ ସହ ଯୋଡ଼ି ଦେଲା ଏବଂ ପୂରା ପ୍ରସଙ୍ଗକୁ ଭଗବାନଙ୍କ ଅପମାନ ଭାବେ ଉପସ୍ଥାପନ କଲା। ବିଜେପି ଖୁବ୍ ହିନ୍ଦୁତ୍ଵ କାର୍ଡ ଖେଳିଲା ମାତ୍ର ଏଠାରେ ବିଜେପିର ଏହି ଚାଲ୍ କାମ ଦେଇନି।

୫ – ୟେଦିୟୁରପ୍ପାଙ୍କ ଅଣଦେଖା ମହଙ୍ଗା ପଡ଼ିଲା
କର୍ଣ୍ଣାଟକରେ ବିଜେପିକୁ ଛିଡ଼ା କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଏଥର ନିର୍ବାଚନରେ ଦୂରେଇ ରହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀ ସେଟ୍ଟାର ଏବଂ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇନଥିଲା। ଦୁଇ ନେତା କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢିଲେ। ୟେଦିୟୁରପ୍ପା, ସେଟ୍ଟାର, ସାବଦୀ ତିନି ନେତା ଲିଙ୍ଗାୟତର ସବୁଠୁ ବଡ଼ ନେତା, ଯାହାଙ୍କୁ ଅଣଦେଖା କରିବା ମହଙ୍ଗା ପଡ଼ିଲା।

୬ – କ୍ଷମତା ବିରୋଧୀ ଲହର କାଟି ପାରିଲାନି ଦଳ
କର୍ଣ୍ଣାଟକରେ ବିଜେପିର ପରାଜୟର ବଡ଼ କାରଣ କ୍ଷମତା ବିରୋଧୀ ଲହର ରହିଛି। ଯାହାର ସମାଧାନ କାଢିବାରେ ବିଜେପି ବିଫଳ ହୋଇଛି। ବିଜେପି ବିରୋଧରେ କ୍ଷମତା ବିରୋଧୀ ଲହର ବହୁତ ଭାରି ପଡ଼ିଛି।