ସମ୍ବଲପୁର:ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ସମ୍ବଲପୁରୀ ଦିନ ପାଇଁ ରବିବାର ଗଣ ସଫେଇ ସହ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ମହାନଗର ନିଗମ, ଯୋଗ ପରିବାର, ଭାରତୀ ସମାଜ ଏବଂ ସମ୍ବଲପୁର ଜିଲା କିକ୍ ବକ୍ସିଂ ଏସୋସିଏସନର ସହଯୋଗରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଡେରା ପରିସରକୁ ସଫା କରାଯାଇଥିଲା । ପ୍ରତିବର୍ଷ ସମ୍ବଲପୁରୀ ଡେରା ପରିସରରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ ଅବସରରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନର ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଆନ୍ତି । ଏଥିପାଇଁ ଡେରା ପରିସରକୁ ସଫାସୁତୁରା କରିବା ପାଇଁ ରବିବାର ଏକ ଗଣ ସଫେଇ କାଯର୍ୟକ୍ରମର ଆୟୋଜନ କରାଯାଇଥିଲା । ମହାନଗର ନିଗମର ସଫେଇ କର୍ମଚାରୀଙ୍କ ସହ ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ଡେରା ପରିସରକୁ ସଫା କରିଥିଲେ । ଏହାପରେ ବିଗତ ଦିନରେ ଅକାଳ ବିୟୋଗ ହୋଇଥିବା ପଶ୍ଚିମାଞ୍ଚଲ ଏକତା ମଞ୍ଚର ପୂର୍ବତନ ଝାରସୁଗୁଡା ଜିଲା ସଂଯୋଜକ ଅଜିତ ରଥ ଏବଂ ସମ୍ବଲପୁରର ବରିଷ୍ଠ ସଦସ୍ୟ ସବ୍ୟସାଚୀ ମିଶ୍ରଙ୍କ ବିୟୋଗରେ ଦୁଇଟି ବୃକ୍ଷକୁ ସମର୍ପଣ କରାଯାଇଥିଲା । ମଞ୍ଚର ସମସ୍ତ ସଦସ୍ୟ ମାନେ ଉଭୟ ବୃକ୍ଷର ଦାୟିତ୍ୱ ନେଇ ଉଭୟ ସଦସ୍ୟଙ୍କ ଉପସ୍ଥିତକୁ ମନେ ପକାଇବା ପାଇଁ ସଂକଲ୍ପ କରିଥିଲେ। ଏହି କାଯର୍ୟକ୍ରମରେ ଆଞ୍ଚଲିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ସତ୍ୟନାରାୟଣ ନନ୍ଦ ମୁଖ୍ୟ ଅତିଥି ଭବାରେ ଯୋଗ ଦେଇଥିଲେ । ଡେରା ପରିସରକୁ ସବୁଜ ସୁନ୍ଦର କରିବା ଦିଗରେ ସହଯୋଗ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ସମର୍ପଣ କାର୍ଯ୍ୟକ୍ରମ ପରେ ଡେରା ପରିସରରେ ଏକ ସ୍ବାସ୍ଥ୍ୟ ଶିବର ଆୟୋଜନ କରାଯାଇଥିଲା । ଏଥିରେ ଉପସ୍ଥିତ ସଦସ୍ୟ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରତିବର୍ଷ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ବର୍ଷା ଯୋଗୁଁ ଡେରା ପରିସର କାହୁଅ ହୋଇଯାଇଥାଏ । ଏଥିପାଇଁ ଜିଲା ପ୍ରଶାସନ ଏବଂ ମହାନଗର ନିଗମକୁ ପରିସରକେ ପେବର୍ସ ବସାଯିବାକୁ ଅନୁରୋଧ କରାଯାଇଥିଲା । ଏହାସହ ଜୁଲାଇ ମାସରେ ସଦସ୍ୟ ମାନେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରି ତାର ଯତ୍ନ ନେବାକୁ ସଂକଲ୍ପ କରିଥିଲେ । ତେବେ ଡେରା ପରିସରରେ ନିୟମିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଏଠାରେ ଏକ ଖୋଳା ମଞ୍ଚ ଏବଂ ପାନୀୟ ଜଳର ବ୍ୟବସ୍ଥା କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରଶାସନକୁ ଦାବି କରାଯାଇଥିଲା । ଏହାସହ ଆସନ୍ତା ସମ୍ବଲପୁରୀ ଦିନକୁ କିଭଲି ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରାଯିବ ସେନେଇ ଆଳେଚନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ୬୦ରୁ ଅଧିକ ସଦସ୍ୟ ସାମିଲ ହୋଇଥିଲେ ।
ସମ୍ବଲପୁରୀ ଡେରାରେ ସମର୍ପଣ ଉତ୍ସବ,ସମ୍ବଲପୁରୀ ଦିନ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ
