ସୁଧ କାରବାର ନେଇ ଜେଲ ଗଲେ କନେଷ୍ଠବଳ


ସମ୍ବଲପୁର: ବୌଦ୍ଧ ଥାନାରେ କାର୍ଯ୍ୟରତ ଜଣେ କନେଷ୍ଠବଳ ଜୈନିକ ଗୃହରକ୍ଷୀକୁ ଠକେଇ କରିଥିବା ନେଇ ବୌଦ୍ଧ ଥାନାରେ ଗତ ରବିବାର ଦିନ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ବୌଦ୍ଧ ଆଦର୍ଶ ଥାନା କେସନଂ ୨୮୧/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲା ଗମ୍ଭାରୀପଦର ଗ୍ରାମର ପ୍ରଦୀପ କୁମାର ତ୍ରିପାଠି ବୌଦ୍ଧ ଜିଲାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ଆଠ ବର୍ଷ ହେଲା ବୌଦ୍ଧ ଜିଲା ପୋଲିସର କନେଷ୍ଠବଳ ହୃଦାନନ୍ଦ ବେହେରା ବ୍ୟାଙ୍କରୁ ଋଣ କରେଇଦେବା ବାହାନାରେ ପ୍ରତ୍ୟକ ମାସରେ ତାଙ୍କଠାରୁ ୧୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏଥିସହିତ ଗୃହରକ୍ଷୀ ତ୍ରିପାଠିଙ୍କ ଏଟିଏମ, ପାଶବୁକ ଓ ଚେକବୁକ୍ ମଧ୍ୟ କନେଷ୍ଠବଳ ହୃଦାନନ୍ଦ ରଖିଥିବାବେଳେ ତାଙ୍କୁ ଏଟିଏମ ମାଗିଲେ ଧମକ ଦେବାସହିତ ଭୁବନେଶ୍ୱରରୁ ଋଣ କରିଦେବି କହି ଭଣ୍ଡେଇ ଚାଲିଥିଲେ । କନେଷ୍ଠବଳ ଶ୍ରୀ ବେହେରା ଗୃହରକ୍ଷୀଙ୍କ ଠାରୁ ୧୦ ଲକ୍ଷଟଙ୍କା ଠକି ନେଇଥିବା ସହିତ ଜିଲାର ଅନେକ ପୋଲିସ କର୍ମଚାରୀଙ୍କ ପାଖରୁ ମଧ୍ୟ ସମାନ ଉପାୟରେ ଏଟିଏମ, ପାଶବୁକ ରଖିଥିବା ଜଣାଯାଇଛି । କନେଷ୍ଠବଳ ଜଣକ ଏବେ ବୌଦ୍ଧ ଥାନାରେ କାର୍ଯ୍ୟରତ ଅଛନ୍ତି । ଅଭିଯୋଗ ପରେ ବୌଦ୍ଧ ପୋଲିସ ପକ୍ଷରୁ ଗତ ରବିବାର ଦିନ କନେଷ୍ଠବଳ ହୃଦାନନ୍ଦ ବେହେରାଙ୍କ ବୌଦ୍ଧ ସହରର ପୋଡାପଡାସ୍ଥିତ ବାସଭବନ ଉପରେ ସନ୍ଧ୍ୟାରେ ବୌଦ୍ଧ ପୋଲିସର ଏକ ଟିମ ମାଜିଷ୍ଟ୍ରଟଙ୍କ ସହିତ ଚଢାଉ କରିଥିଲେ । ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ ରାୟ ଓ ରିଜର୍ଭ ଇନସପେକ୍ଟର କୁଳମଣି ଗିରି ପ୍ରମୁଖ ମାଜିଷ୍ଟ୍ରେଟ ଙ୍କ ସହ ଚଢାଉରେ ସାମିଲ ହେବା ପରେ ଘଟଣାର ଗୁରୁତ୍ୱ ବଢିବା ସହିତ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୋଇଥିଲା । ତେବେ ଚଢାଉରେ ପୋଲିସ କନେଷ୍ଠବଳ ଶ୍ରୀବେହେରାଙ୍କ ଘରୁ ଟଙ୍କା ନେଣ ଦେଣ ସମ୍ବନ୍ଧୀୟ ୬୦ ଟି ପାଶବୁକ୍‌,୪୩ଟି ଏଟିଏମ କାର୍ଡ,୨୯ ଟି ଚେକ୍ ବୁକ୍‌,ବିଭିନ୍ନ ଲୋକଙ୍କ ଦସ୍ତଖତ ହୋଇଥିବା ୨୦୯ ଟି ବ୍ଲାଙ୍କ ଚେକ୍‌,୧୧ ଗୋଟି ସେଲଡିଡ,୫୦୨୪୯୦ ଟଙ୍କା ଓ ୧୪୫ ଗ୍ରାମ ସୁନା ଅଳଙ୍କାର ତାଙ୍କ ଘରୁ ଜବତ ହୋଇଥିବା ନେଇ ବୌଦ୍ଧ ଏସପି ରାହୁଲ ଗୋୟଲ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ କନେଷ୍ଠବଳ ବିଭାଗୀୟ କର୍ମଚାରୀ ସମେତ ଅନେକ ଲୋକଙ୍କ ସହିତ ସୁଧ କାରବାର,ଟଙ୍କା ନେଣଦେଣ ଓ ଋଣ କରାଇଦେବା ନାମରେ ଆର୍ଥିକ ଶୋଷଣ ଭଳି କାରବାରରେ ଜଡିତ ଥିବା ପୋଲିସ ତଦନ୍ତରେ ଜାଣିପାରିଛି । ଏହି ମାମଲା ସହିତ ଆର୍ଥିକ କାରବାର ଥିବାରୁ ଏବଂ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଆୟ ବହିର୍ଭୁତ ଅର୍ଥ ବାହାରିଥିôବାରୁ ମାମଲାକୁ ଅଧିକ ତଦନ୍ତ ପାଇଁ ଭିଜିଲାନସ ବିଭାଗର ସହାୟତା ନିଆଯିବ ବୋଲି ଏସପି ଶ୍ରୀଗୋୟଲ ସୂଚନା ଦେଇଛନ୍ତି । ଏହି ଠକେଇ ମାମଲାରେ ବ୍ୟାଙ୍କର କିଛି ଅଧିକାରୀ ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଅଛି । ତେବେ ତଦନ୍ତ ପରେ ଏନେଇ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧ ଏସଡିପିଓ ଲରେନ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଏହି ମାମଲାର ତଦନ୍ତ କରୁଥିବା ଜଣାଯାଇଛି । ଅନ୍ୟକୁ ସୂରକ୍ଷା ଦେଉଥିବା ପୋଲିସ ଯଦି ପୋଲିସକୁ ଚୁନ ଲଗାଇଲା ଗୁହାରି କରିବ କାହାକୁ ବୋଲି ଆଲୋଚନା ହେବା ସହିତ ଘଟଣାଟି ଜିଲାରେ ଜୋର ଚର୍ଚ୍ଚା ଧରିଛି ।