ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କୁ ଘରେ ସାହାରା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନ୍ଆଇଏ । ଖାଲି ସେତିକି ନୁହେଁ, ତିନିଜଣ ଆତଙ୍କବାଦୀଙ୍କ ପରିଚୟ ବି ମିଳିଥିବା ନେଇ ଏନ୍ଆଇଏ ସୂଚନା ଦେଇଛି ।
ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ବର୍ବରକାଣ୍ଡ ଘଟାଇଥିଲେ ଆତଙ୍କବାଦୀମାନେ ।ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ବୀଭତ୍ସକାଣ୍ଡର ଦୁଇମାସ ପରେ ଅର୍ଥାତ ଆଜି(ରବିବାର) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ଏନ୍ଆଇଏ । ଯାଞ୍ଚ ଏଜେନ୍ସି ଦୁଇଜଣଙ୍କୁ ଗିରଫ କରିଛି । ଏମାନେ ଆତଙ୍କବାଦୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ଅନ୍ୟାନ୍ୟ ସାହାଯ୍ୟ କରିଥିଲେ । ଜାତୀୟ ମିଡିଆ ରିପୋର୍ଟ ମୁତାବକ ଦୁଇଜଣ ଅଭିଯୁକ୍ତ ପରବେଜ ଅହମ୍ମଦ ଜୋଥର ଓ ବଶୀର ଅହମ୍ମଦ ଜୋଥର ବୋଲି ଜଣା ପଡ଼ିଛି । ଏମାନଙ୍କୁ ପଚରାଉଚରା ବେଳେ ଏମାନେ ପହଲଗାମ ଆତଙ୍କୀ ଆକ୍ରମଣରେ ସାମିଲ ତିନିଜଣ ଆତଙ୍କବାଦୀଙ୍କ ପରିଚୟ ଓ ଠିକଣା ବାବଦରେ ସୂଚନା ଦେଇଛନ୍ତି ।
ଏହାକୁ ନେଇ ଏନ୍ଆଇଏ ପକ୍ଷରୁ କୁହାଯାଇଛି ଯେ, “ଏନ୍ଆଇଏ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି । ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା ଓ ୧୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଆତଙ୍କବାଦୀଙ୍କ ପରିଚୟ ବାବଦରେ ସୂଚନା ଦେଇଛନ୍ତି । ଏମାନେ ପାକିସ୍ତାନର ନାଗରିକ ଥିଲେ, ଯେଉଁମାନେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ କାମ କରନ୍ତି ।”
ପରବେଜ ନାମକ ବ୍ୟକ୍ତି ଜମ୍ମୁ-କାଶ୍ମୀରର ବଟକୋଟ ଅଧିବାସୀ । ବଶୀର ପହଲଗାମ୍ର ହିଲ୍ପାର୍କରେ ରହି ଆସୁଥିଲା । ଏନ୍ଆଇଏ ଯାଞ୍ଚ ମୁତାବକ ପରବେଜ ଓ ବଶୀର ଆକ୍ରମଣ ପୂର୍ବରୁ ଜାଣିଶୁଣି ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ପହଲଗାମ ହିଲ୍ପାର୍କ ନିକଟରେ ଏକ ଝୁପୁଡ଼ିରେ ଶରଣ ଦେଇଥିଲେ । ଏହାପରେ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀମାନେ ବୈସରନ ଘାଟିରେ ବର୍ବରକାଣ୍ଡ ଘଟାଇଥିଲେ । UAPA ଧାରା ୧୯ ମୁତାବକ ଦୁଇ ଜଣଙ୍କୁ ଗିରଫ କରିଛି ଏନ୍ଆଇଏ ।