Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି ଦେଶର କ୍ରିକେଟ୍ ବୋର୍ଡକୁ ବ୍ୟାନ କରିପାରେ ICC

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଆମେରିକା କ୍ରିକେଟ୍ ବୋର୍ଡ (USAC)କୁ ପଠାଇଥିବା ୧୨ ମାସର ଗଭର୍ନାନ୍ସ ନୋଟିସ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି।ଆମେରିକା କ୍ରିକେଟ୍ ବୋର୍ଡ ଏହାର ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବା ଉଚିତ ଓ ଯଦି ଏପରି ନହୁଏ ତେବେ ବୋର୍ଡକୁ ନିଲମ୍ବିତ କରାଯିବା ନେଇ ମଧ୍ୟ ଆଲୋଚନା ଚାଲିଛି।

ତେବେ ଆସନ୍ତା ମାସରେ ହେବାକୁ ଥିବା ଆଇସିସିର ବାର୍ଷିକ ବୈଠକରେ ଏହାକୁ ନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ଟି ୨୦ ବିଶ୍ୱକପ୍ ସମାପ୍ତ ହେବା ପରେ ଜୁଲାଇରେ USACକୁ ଏକ ନୋଟିସ୍ ପଠାଯାଇଥିଲା ଯେଉଁଥିରେ ଅନୁପାଳନ ଏବଂ ବ୍ୟବହାର  ଉପରେ ନଜର ରଖିବା ପାଇଁ ଏକ ସାଧାରଣ କମିଟି ଗଠନ କରାଯାଇଥିଲା। ତେବେ ପ୍ରଶାସନିକ ଅକ୍ଷମତାକୁ ଦର୍ଶାଇ ଆଇସିସି ଏହି କମିଟି ଗଠନ କରିଥିଲା। ଚଳିତ ମାସ ଆଇସିସିର ଏକ ଦଳ ଲସ୍ ଆଞ୍ଜେଲସ୍ ପହଞ୍ଚି ସେଠାରେ  ଆମେରିକା ଅଲିମ୍ପିକ୍ ଏବଂ ପାରାଅଲିମ୍ପିକ୍ କମିଟି ସହିତ ଏକ ବୈଠକରେ ଯୋଗ ଦେଇଥିଲେ। ସେହି ବୈଠକରେ USACର କିଛି ଶୀର୍ଷ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ତେବେ ଅନେକ ଚେତାବନୀ ସତ୍ୱେ ମଧ୍ୟ USACରେ ସେପରି କିଛି ପରିବର୍ତ୍ତନ ହୋଇନଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦୨୮ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ ଖେଳ ଜଡ଼ିତ ହେବା ପରେ ବର୍ତ୍ତମାନ୍ ଆଇସିସି ଏସବୁକୁ ନେଇ ଗମ୍ଭୀର ଭାବରେ ସମସ୍ତ ପଦକ୍ଷେପ ନେଉଅଛି। ପୂର୍ବରୁ ଆଇସିସି କିଛି USAC ଅଧିକାରୀଙ୍କୁ ଇସ୍ତଫା ଦେବା ପାଇଁ ଅନୁରୋଧ କରିଥିଲେ। ଯାହାପରେ କିଛି ଅଧିକାରୀ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବାବେଳେ କିଛି ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ୍ ସୁଦ୍ଧା USAC ଏହାକୁ ନେଇ କୌଣସି ନିଷ୍ପତ୍ତି ନେଇନାହିଁ। ତେବେ ଆଗକୁ USAC ଅଧିକାରୀ ଇସ୍ତଫା ଦେଇପାରନ୍ତି ବୋଲି କିଛି ବିଶେଷ ସୂତ୍ରରୁ ଜଣା ପଡ଼ିଛି। ତେବେ ଆଇସିସି ମଧ୍ୟ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ