ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ଲଗାଣ ଓ ଦିନ ତମାମ ବର୍ଷା ଫଳରେ ସମଗ୍ର ଜିଲ୍ଲା ର ଅବସ୍ଥା ବେହାଲ ହୋଇପଡିଛି। କେଉଁଠି ପୋଲ ଉପରେ ବର୍ଷା ଜଳ ଗଡୁଛି ତ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି। ଏଭଳି ଅବସ୍ଥାରେ ଏକାଧିକ ଗାଁ, ସାହି ଜଳ ବନ୍ଦୀ ହୋଇଛି। ଉଜୁଡି ଯାଇଛି ଧାନ ଫସଲ। ଫଳରେ ଜିଲ୍ଲାପାଳ ଙ୍କ ଠୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ପ୍ରତିକାର ବ୍ୟବସ୍ଥାରେ ଲାଗିପଡିଛନ୍ତି।
ମିଳିଥିବା ସୂଚନା ମତେ ଲଗାତାର ୪ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ବୁଧବାର ଦିନ ୧୧ ଟାରୁ ଅତି ପ୍ରବଳ ବର୍ଷା ହେଇଛି। ତେବେ ବର୍ଷା ଯୋଗୁଁ ପ୍ରାୟ ଜମନକିରା ବ୍ଲକର ପ୍ରାୟ ୧୦ ଗାଆଁ ଜଳବନ୍ଦୀ ହୋଇ ରହିଛନ୍ତି। ଏପଟେ ଏକ ନାଳା ଉପରେ ଥିବା ବ୍ରିଜ ରେ ଗଛ ପଡ଼ି ଯାତାୟାତ ଠପ୍ ହୋଇଯାଇଛି।
ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି, ଖର୍ସନମାଲ ଓ ମୁଣ୍ଡେନପାଲି ଗ୍ରାମପଞ୍ଚାୟତ ସାରା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମାଳତୀ ନଦୀରେ ଜଳ ସ୍ତର ଫୁଲିବା ସହିତ ଗହିରୀ ନଦୀ ଉପରେ ଗୌଡ଼ପାଲି – ଗୌତମଟିକିରା ରାସ୍ତା ଉପରେ ଥିବା ପୋଲ ଉପରେ ୪ ଫୁଟ ଜଳ ପ୍ରବାହିତ ହେଉଛି। ଏଥି ଯୋଗୁଁ ପ୍ରାୟ ୧୦ ଗ୍ରାମ ଗୌତମଟିକିରା, କୁସୁଲି, ସମାପଡା, କେନ୍ଦୁବେର୍ଣ୍ଣୀ, କୁମୁକାପାଲି, ଖର୍ସନମାଲ, ପାଥମୁଣ୍ଡା, ଟାଙ୍ଗରପାଲି, କାଣିବନ୍ଧଲି, ଭୋଗରାପାଲ, ଖଇରମାଲ, ହଲଦିବାହାଲ୍, ତୁରୁକଛୁଆଁ, ବାଘଲତ, ଭାଲୁଡୁଡ଼ିଆ ଇତ୍ୟାଦି ଗାଆଁ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ ହୋଇ ବିଚ୍ଛିନ୍ନ ହୋଇଯାଇଛି। ଅନ୍ୟପଟେ କୁଲୁଣ୍ଡି ରୁ ଯାଇଥିବା ବଡକଛାର ରାସ୍ତାରେ ବନମାଲ – ବାଙ୍କଟାଲ ମଝିରେ ଥିବା ଏକ ନାଳ ଉପରେ ଥିବା କର୍ଲଭଟ ଉପରେ ଏକ ବିରାଟ ଶୁଖିଲା ଗଛ ଭାଙ୍ଗି ପଡ଼ି ଯାଇଥିବାରୁ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ବିଭିନ୍ନ ଜାଗାରେ ଲୋକମାନଙ୍କର ଘର ଭାଙ୍ଗି ଯିବା ସହିତ ଚାଷ ଜମି ଉଜୁଡି ପଡିଛି।
ସେହିପରି ସମ୍ବଲପୁର ସହରରେ ବର୍ଷା ଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ଅବସ୍ଥା ଅସମ୍ଭାଳ ହୋଇପଡିଛି। ବିଭିନ୍ନ ସ୍ଥାନର ସ୍ଥିତି ଉପରେ ନଜର ରଖି ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମୀକ୍ଷା କରିବା ସହିତ ମହାନଗର ନିଗମ ଆଯୁକ୍ତ ବେଦଭୂଷଣ ଓ ଅନ୍ୟ ବିଭାଗୀୟ ଅଧିକାରୀ ପରିସ୍ଥିତି ଉପରେ ନଜର ରଖି ପ୍ରତିକାର ବ୍ୟବସ୍ଥା ଉପରେ ଯୁଦ୍ଧ କାଳିନ ଭିତ୍ତିରେ ପ୍ରୟାସକୁ ଜୋରଦାର କରିଛନ୍ତି।
ଅନ୍ୟପକ୍ଷରେ ଏହି ଲଗାଣ ବର୍ଷା ଫଳରେ ଧନକଉଡ଼ା ବ୍ଲକ କରଡୋଳା ପଞ୍ଚାୟତ କାରପାଲି ଏଥିରେ ପ୍ରଭାବିତ ହୋଇଛି। ଜୁଯୋମୁରା ବ୍ଲକର ଭଣ୍ଡାରିମାଲ ହିରୋ ରାସ୍ତାରେ ଥିବା ମାଳତୀ ଯୋର ପୋଲ ଉପରେ ୨ ଫୁଟ ର ପାଣି ବୋହୁଥିବାରୁ ଯାତାୟାତ ଏକ ପ୍ରକାର ଠପ ହୋଇପଡିଛି।ସେହିପରି ରେଢ଼ାଖୋଲରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବେଲଡ଼ିହି କଦଳିଗଡ଼ ରାସ୍ତା ରେ ଯାତାୟାତ ଠପ ହୋଇଯାଇଛି। ନଦୀ ନାଳ ଜଳ ପୂର୍ଣ୍ଣ ହୋଇଥିବାରୁ ଅନେକ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।ଗୁରୁବାର ସକାଳୁ ବର୍ଷା କମିଥିବାରୁ ଆଷ୍ପତ୍ତି ମିଳିଥିଲେ ସୁଦ୍ଧା ଯଦି ଏଥିରେ ପରିବର୍ତ୍ତନ ହୋଇ ପୁଣି ବର୍ଷା ହେଲେ ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
ଲଗାଣ ବର୍ଷାରେ ସମ୍ବଲପୁର ବେହାଲ, ଜିଲ୍ଲା ସାରା ଅଧିକାରୀଙ୍କ ତୀକ୍ଷ୍ଣ ନଜର:ଏକାଧିକ ଗାଁ, ସାହି ଜଳବନ୍ଦୀ, ଜୀବନ ଯାତ୍ରା ଠପ
