Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟ ସେବା ପାଲଟିଛି ପ୍ରହସନ: ଗୋଡଭଗାରେ କେବେ ହେବ ସରକାରୀ ଡାକ୍ତରଖାନା ?

ସମ୍ବଲପୁର:ସମ୍ବଲପୁର-ବରଗଡ ଉଭୟ ଜିଲ୍ଲାର ସୀମାକୁ ଲାଗି ଗଢିଉଠିଛି ବ୍ୟବସାୟିକ କେନ୍ଦ୍ର ଗୋଡଭଗା କେମ୍ପ୍। ଏହାର ଛାତି ଚିରି ଲମ୍ବି ଯାଇଛି ମୁମ୍ବାଇ-କୋଲକାତା ଜାତୀୟ ରାଜପଥ। ବ୍ୟସ୍ତବହୁଳ ଏହି ଅଞ୍ଚଳକୁ ଯୋଡି ହୋଇରହିଛି ଦକ୍ଷିଣକୁ ସୋନପୁର, ପଶ୍ଚିମକୁ ବରଗଡ, ଉତ୍ତରକୁ ପାହାଡଶ୍ରୀଗିଡା ଓ ପୂର୍ବ ପଟକୁ ସମ୍ବଲପୁରକୁ ରାସ୍ତା। ଏହାକୁ ଚାରିଛକ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଏମିତି ତ ଏହି ଅଞ୍ଚଳ ଗୋଡଭଗା ଛକ ନାମରେ ବେଶ୍‌ ଜଣାଶୁଣା। ଦୈନନ୍ଦିନ ଜୀବନରେ ହଜାର ହଜାର ଜନସାଧାରଣ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସରକାରୀ ତଥା ବେସରକାରୀ କର୍ମଚାରୀ ଏହି ଛକ ଉପରେ ନିର୍ଭରଶୀଳ ଅଟନ୍ତି। ଏଠାରେ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଯୁକ୍ତ ତିନି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ, ଉପଖଣ୍ଡସ୍ତରୀୟ ଜଳସେଚନ ବିଭାଗର କାର୍ଯ୍ୟାଳୟ, ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ, ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଗୋଡଭଗା ଉପ-ବଜାର ପ୍ରାଙ୍ଗଣ, ପୋଲିସ୍ ଫାଣ୍ଡି, କେନ୍ଦୁପତ୍ର ଅଫିସ, ଗୋଧନ ନୀରିକ୍ଷକ ଓ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କେନ୍ଦ୍ର ସମେତ ବିଦ୍ୟୁତ୍ ଗ୍ରୀଡ୍, ବିଦ୍ୟୁତ୍ ସେକସନ୍ ଅଫିସ ଓ ଟେଲିଫୋନ ଏକ୍ସଜେଞ୍ଜ୍ ଭଳି ସରକାରୀ ପ୍ରତିଷ୍ଠାନ ସମେତ ବିଭିନ୍ନ ବ୍ୟାଙ୍କ ଆଦି ରହିଛି। ବ୍ୟସ୍ତବହୁଳ ଏହି ଛକଦେଇ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଯାନବାହାନ ଯିବାଆସିବା କରିଥାନ୍ତି। ଅଧିକାଂଶ ସମୟରେ ଛୋଟବଡ ରାସ୍ତା ଦୁର୍ଘଟଣାରେ ଲୋକେ ଶିକାର ହୁଅନ୍ତି। ସେମାନଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ପାଇଁ ଏଠାରେ କୌଣସି ସରକାରୀ ଚିକିତ୍ସାଳୟର ସୁବିଧା ନାହିଁଁ। ଚିକିତ୍ସା ସେବା ପାଇବା ନିମନ୍ତେ ଲୋକଙ୍କୁ ବୁର୍ଲା କିମ୍ବା ଅତାବିରା ଡାକ୍ତରଖାନାକୁ ସମୟ ଓ ଅର୍ଥ ଅପଚୟ କରି ଯିବାକୁ ହୋଇଥାଏ। ଏହି ଛକର ପଶ୍ଚିମ ପଟ ବରଗଡ଼ ଜିଲ୍ଲା ଅଧିନସ୍ଥ ଥିବା ବେଳେ ପୂର୍ବ ପାର୍ଶ୍ୱ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅଟେ। ଠିକ୍ ସେପରି ଗୋଟିଏ ପାଖ ବରଗଡ଼ ଜିଲ୍ଲାର ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ହୋଇଥିବା ବେଳେ ଅନ୍ୟ ପାଖଟି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି। ବିଚିତ୍ରମୟ ଭୌଗଳିକ ଦୃଷ୍ଟିରୁ ଚିର ଅବହେଳିତ ଏହି କ୍ରମବର୍ଦ୍ଧିଷ୍ଣୁ ଛକ ସରକାରୀ ତଥା ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଏଠାରେ ଏକ ସରକାରୀ ଡାକ୍ତରଖାନାଟିଏ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଏଯାଏଁ ହୋଇପାରିନାହିଁ। ନିର୍ବାଚନ ପାଖେଇ ଆସିଲେ ପ୍ରାର୍ଥୀମାନେ ଡାକ୍ତରଖାନା ସ୍ଥାପନ ପାଇଁ ବଡରମା ଘାଟି ସଦୃଶ ପ୍ରତିଶ୍ରୁତିର ପାହାଡ଼ ଛିଡା କରେଇ ଦିଅନ୍ତି। ନିର୍ବାଚନ ପରେ ‘କିଏ କାହା ପାଇଁ ଖଟିବ’ ନ୍ୟାୟରେ ଗୁପ୍ତ ବନବାସରେ ରହି ନିଜ ପ୍ରତିଶ୍ରୁତିକୁ ପାଣିର ଗାର କରିଦିଅନ୍ତି। ଏପରି ଏକ ବ୍ୟସ୍ତମୟ ଛକରେ ଡାକ୍ତରଖାନାଟିଏ ନଥିବାରୁ ଲୋକେ ନା‌ହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ବିହିତ ପଦକ୍ଷେପ ନେବାକୁ ସବୁ ମହଲରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories