ସମ୍ବଲପୁର:ପଶ୍ଚିମ ଓଡ଼ିଶାର ଶିଳ୍ପନଗରୀରେ ଭାବରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସହରର ସ୍ୱତନ୍ତ୍ର ପରିଚିତ ରହିଛି। ତେବେ ଜନସଂଖ୍ୟା ସମେତ ବିଭିନ୍ନ ଦୃଷ୍ଟିକୋଣରୁ ରେଙ୍ଗାଲି ଏବେ ଦୃତ ବିକାଶ ପଥରେ ଅଗ୍ରସର ଥିବାବେଳେ ରେଙ୍ଗାଲି କୁ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ଗଠନ କରିବାକୁ ଲୋକଙ୍କ ବହୁ ଦିନର ଦାବି ରହିଛି। ତେବେ ଜନସାଧାରଣ ଏହି ଦାବି ଠିକ୍ ଗତ ସାଧାରଣ ନିର୍ବାଚନ ସମୟରେ ପୁରଣ ହେବାକୁ ନେଇ ଆଶା ଉଜ୍ଜିବିତ ହୋଇଥିଲା। ସେ ସମୟର କ୍ଷମତାରେ ଥିବା ବିଜେଡି ସରକାର ରାଜ୍ୟରେ ଯେଉଁ କେତେକ ସହରକୁ ଏନଏସି ଗଠନ କରିବାକୁ ତାଲିକା ଘୋଷଣା କଲେ ସେଥିରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ମଧ ସ୍ଥାନ ପାଇଥିଲା। ତେବେ ସମୟ କ୍ରମରେ ବିଜେଡି ନିର୍ବାଚନରେ ପରାଜୟ ହୋଇ ବିଜେପି ନେତୃତ୍ୱରେ ରାଜ୍ୟରେ ନୁଆଁ ସରକାର ଗଠନ ହେବାପରେ ବର୍ତ୍ତମାନ ସବୁକିଛି ହଠାତ୍ ପରିବର୍ତ୍ତନ ହୋଇଛି। ଆଉ ରେଙ୍ଗାଲି କୁ ଏନଏସି ଗଠନ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ସରକାର ପରିବର୍ତ୍ତନ ପରେ ରେଙ୍ଗାଲି ଜନସାଧାରଣଙ୍କ ବହୁ ଦିନର ରେଙ୍ଗାଲି କୁ ଏନଏସି ଗଠନ କରିବାର ସ୍ବପ୍ନ ଯେପରି ଚୁରମାର ହୋଇଛି। କାରଣ ନୂଆଁ ବିଜେପି ସରକାର ସମୟରେ ପୁଣିଥରେ ରାଜ୍ୟରେ କେତେକ ନୂଆଁ ସହରକୁ ଏନଏସି ଗଠନ କରିବାକୁ ପ୍ରସ୍ତାବ ଘୋଷଣାରେ ରେଙ୍ଗାଲି ସହରର ନା କି ଚିହ୍ନବର୍ଣ୍ଣ ମଧ୍ୟ ନାହିଁ।ଏଠି ପ୍ରଶ୍ନ ଉଠୁଛି ଯେ ଓଡ଼ିଶା ରାଜ୍ୟ ତଥା ପଶ୍ଚିମ ଓଡ଼ିଶାର ଏକ ଶିଳ୍ପଶମୃଦ୍ଧ ତଥା ବିକଶିତ ତଥା ଦୃତ ଗତିରେ ଅଗ୍ରସର ହେଉଥିବା ସହର ହେଉଛି ରେଙ୍ଗାଲି। ଏପରିକି ସରକାରଙ୍କ ନୂତନ ଏନଏସି ଗଠନ ପାଇଁ ଥିବା ସବୁ ମାନଦଣ୍ଡ ରେ ରେଙ୍ଗାଲି ସହର ଉପଯୁକ୍ତ ଥିବାବେଳେ କଣ ପାଇଁ ରେଙ୍ଗାଲି ସହରକୁ ଏନଏସି ଗଠନ କରା ଗଲା ନାହିଁ। ତାହା ଏବେ ବଡ ପ୍ରଶ୍ନ ହୋଇ ଉଭା ହୋଇଛି।
ଅନ୍ୟପକ୍ଷରେ ଏନଏସିର ସମସ୍ତ ଯୋଗ୍ଯତା ଥାଇ ମଧ୍ଯ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ରେଙ୍ଗାଲିରେ ଏନଏସି ଗଠନ ହୋଇ ପାରୁ ନାହିଁ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି।ତେବେ ବର୍ତ୍ତମାନ ରାଜ୍ୟରେ ବିଜେପି ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଥିବାବେଳେ ନୂତନ କରି ବିକଶିତ ସହରକୁ ଆହୁରି ଅଧିକ ବିକଶିତ କରିବା ନେଇ ଅନେକ ଯୋଜନା କଥା କୁହାଯାଉଛି। ତେବେ ଏଥିରୁ ରେଙ୍ଗାଲି କୁ କଣ ପାଇଁ ବାଦ ଦିଆଯାଉଛି ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏବେ ପୁଣିଥରେ ନିଜ ଅଞ୍ଚଳ ରେଙ୍ଗାଲି କୁ ଏନଏସି ଗଠନ କରିବାକୁ ଥିବା ବହୁଦିନର ଦାବି ଓ ସ୍ବପ୍ନ ପୁରଣ କରିବାକୁ ରେଙ୍ଗାଲି ଅଞ୍ଚଳର ବିଭିନ୍ନ ସଂଗଠନ ଏକଜୁଟ୍ ହୋଇ ଆଗକୁ ଦାବି ପୁରଣ କରିବାକୁ ମିଳିତ ଭାବରେ ପଦକ୍ଷେପ ନେବାକୁ ସଜବାଜ ହେଲେଣି। ତେବେ ସରକାର ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇବା ସହ ରେଙ୍ଗାଲି ବାସିନ୍ଦାଙ୍କ ଏନଏସି ଗଠନ ସ୍ବପ୍ନ ପୁରଣ ନେଇ ସମୟ ଉପଯୋଗୀ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଠାରେ ଉଲ୍ଲେଖଯୋଗ୍ଯ ଯେ ରେଙ୍ଗାଲି କୁ ଏନଏସି ଘୋଷଣା କରାଯିବାକୁ ଦୀର୍ଘ ବର୍ଷ ହେଲା ଜନସାଧାରଣ ଦାବୀ କରିଆସୁଛନ୍ତି। ଶିଳ୍ପାୟନ ପରେ ରେଙ୍ଗାଲି ପଞ୍ଚାୟତ ର ଜନ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇ ୧୧ହଜାର ରୁ ଉର୍ଦ୍ଧ୍ବ କୁ ଛୁଇଁଲାଣି। ରେଙ୍ଗାଲି ଗାଁ ରୁ ସହର ରେ ପରିଣତ ହୋଇ ସାରିଲାଣି। କିନ୍ତୁ ସହର ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମି ର କୌଣସି ବ୍ୟବସ୍ଥା ନାହିଁ। ସହର ପାଇଁ ଆବଶ୍ୟକ ପରିମଳ, ଷ୍ଟ୍ରିଟ୍ ଲାଇଟ୍, ପାର୍କ୍, ଟାଉନ୍ ହଲ୍, ସ୍ବାସ୍ଥ୍ୟ ସେବା,ପାନିୟ ଜଳ ଆଦି ମୌଳିକ ଭିତ୍ତି ଭୂମି ର ବିକାଶ ପଞ୍ଚାୟତ କୁ ଆସୁଥିବା ଅନୁଦାନ ରେ ସମ୍ପନ୍ନ କରାଯିବା ଅସମ୍ଭବ ହେଉଥିବାରୁ ରେଙ୍ଗାଲି କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଲି ବିଡିଓ ଙ୍କ ପତ୍ର ସଂଖ୍ୟା-୧୫୧୧ ତା.୧୫/୦୭/ ୨୦୧୫ ଅନୁସାରେ ତା.୩୧/୭/୨୦୧୫ ଦିନ ରେଙ୍ଗାଲି ଗ୍ରାମପଞ୍ଚାୟତ ଅଫିସ ପ୍ରାଙ୍ଗଣ ରେ ଏକ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ସଭା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ସଭା ରେ ଉପସ୍ଥିତ ସମସ୍ତ ଜନସାଧାରଣ ସ୍ବାଗତ ଓ ସମର୍ଥନ ଜଣାଇଥିଲେ। ରେଙ୍ଗାଲି ପଞ୍ଚାୟତ ସୀମାନ୍ତ ରେ ଥିବା ପଡୋଶୀ ପଞ୍ଚାୟତ ର କିଛି ଗ୍ରାମ କୁ ସଂପୃକ୍ତ ଗ୍ରାମବାସୀଙ୍କ ସହମତି ରେ ରେଙ୍ଗାଲି ଏନଏସି ରେ ଅନ୍ତର୍ଭୁକ୍ତ କରାଯିବାକୁ ଜନଶୁଣାଣୀରେ ପ୍ରସ୍ତାବ ଗୃହୀତ ହୋଇଥିଲା। ରାଜ୍ଯ ସରକାର ରେଙ୍ଗାଲି ଏନ୍ଏସି ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଜନସାଧାରଣ ରେ ଦାବୀ ହେଉଛି। ଏହା ନହେଲେ ଲୋକେ ବାଧ୍ଯ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାକୁ ଓହ୍ଲାଇବା ପରି ପରିସ୍ଥିତି ଆସିବ ଏଥିରେ ଅଣୁ ମାତ୍ରେ ସନ୍ଦେହ ନାହିଁ।
ରେଙ୍ଗାଲିରେ କେବେ ହେବ ଏନଏସି ?
