Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସକ, ପ୍ରଶାସକ ମିଶି ବୁଲିଲେ କୁଚିଣ୍ଡା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ

ସମ୍ବଲପୁର:ପ୍ରବଳ ବର୍ଷାର ପରିଣାମ ସ୍ୱରୂପ ଜଳମଗ୍ନ ହୋଇଥିବା କୁଚିଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ କୁ ଶୁକ୍ରବାର ଦିନସାରା ଶାସକ ପ୍ରଶାସକ ମିଶି ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ନିଜ ନିର୍ବାଚନ ମଣ୍ଡଳୀର ରାମଝାଲି, ଠେଲ୍କୋବୁଡ, କହ୍ଲାପଡା, ଉଲୁଣ୍ଡା, କଟୁପାଲି, ଲଏଗୁରା ଓ ଲସରାଟାଙ୍ଗର ପ୍ରଭୃତି ଗ୍ରାମଗୁଡ଼ିକୁ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଓ ଅଧିନସ୍ତ ଅଧିକାରୀ ମାନଙ୍କ ସହ ପରିଦର୍ଶନ କରିଛନ୍ତି।
ବନ୍ୟା ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମ୍ପର୍କରେ ଅନୁଧ୍ୟାନ କରି, ପ୍ରଭାବିତ ପରିବାରମାନଙ୍କୁ ମିଳିତ ଭାବେ ସାକ୍ଷାତ କରି ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିବା ମନ୍ତ୍ରୀ ଶ୍ରୀ ନାଏକ ନିଜର ସାମାଜିକ ଗଣମାଧ୍ୟମ ଫେସବୁକରେ ଅପଲୋଡ଼ କରି ଏହି ଅସୁବିଧାଜନକ ପରିସ୍ଥିତିରେ ସହଯୋଗ ଓ ସହାୟତା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ପ୍ରଶାସନ ଓ ସମ୍ବନ୍ଧିତ ବିଭାଗମାନଙ୍କୁ ଶୀଘ୍ର ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି।ଏପରିକି ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଅନ୍ୟ ପକ୍ଷରେ ମନ୍ତ୍ରୀ ଜିଲ୍ଲାପାଳ ଓ ବିଭିନ୍ନ ଅଧିକାରୀ ମାନଙ୍କ ସହ ବନ୍ୟା ବିପର୍ଯ୍ୟସ୍ତ କୁଚିଣ୍ଡା ଓ ବାମରା ବ୍ଲକର ରାମଝଳି ସହିତ ଗୋଛରା ଜିପିର ଉଲୁଣ୍ଡା, କଟୁପାଲି ବାଙ୍କେ ଜିପିର ଅରଡ଼ାବାହାଲ, ଲସରାଟାଙ୍ଗର, ମହୁଲପାଲି, ଛତିପୋଷ, ବାବୁନିକ୍ତିମାଲ,କୁରମୁଲେଇ,ବଡ଼ଝୋରେ, ଲଙ୍ଗବାହାଲ, ଜରାବଗା, ଲରିଆପାଲି ପରିଦର୍ଶନ କରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କାଲୋ ସୂଚନା ଦେଇଛନ୍ତି,କିନ୍ତୁ କଣ ସବୁ କ୍ଷୟ କ୍ଷତି ହୋଇଛି ସେ ସମ୍ପର୍କରେ କୌଣସି ତଥ୍ୟ ଉପସ୍ଥାପନା କରିନାହାନ୍ତି। ତେବେ ଶାସକ ଓ ପ୍ରଶାସକ ମିଳିତ ଭାବେ ଏହି ସବୁ ଅଞ୍ଚଳ ବୁଲି ଦେଖି ପରିଦର୍ଶନ କରିଥିବାରୁ ଲୋକଙ୍କ ସରକାର ଲୋକଙ୍କ କାମରେ ଆସିବେ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଆଶା ବାନ୍ଧି ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories