Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହର ମିଛ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ, ଆସିଷ୍ଟାଣ୍ଟ ପ୍ରଫେସର ଗିରଫ

ବିବାହର ମିଛ ପ୍ରତିଶ୍ରୁତି ଦେଇ ଜଣେ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଗୋପୀକାନ୍ତ ସୁନା (୩୨)।

ବରଗଡ଼ ଜିଲ୍ଲା ବୁଡ଼େନ ଥାନା ଦହିତା ଗାଁର ଗୋପୀକାନ୍ତ ସୁନା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଏଜୁକେଶନ (ଶିକ୍ଷା) ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି।

ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷରେ ପଢ଼ନ୍ତି। ସେ ସମ୍ବଲପୁରରେ ଘର ଭଡ଼ା ନେଇ ରହନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ତାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ବାହା ହେବାକୁ ମନା କରି ଦେଇଥିଲେ।

ଛାତ୍ରୀଙ୍କଠାରୁ ଏହି ଅଭିଯୋଗ ପାଇବା ପରେ ସମ୍ବଲପୁର ମହିଳା ଥାନା ପୁଲିସ୍ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସୁନାଙ୍କୁ ବୁଢ଼ାରାଜାର ପ୍ରଫେସର କଲୋନୀ ସ୍ଥିତ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରି ଘଟଣା ଯୋଗୁ ଶିକ୍ଷାନୁଷ୍ଠାନ ବଦନାମ ହେଉଛି ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ଶିକ୍ଷା ବିଭାଗର ଏଚ୍‌ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ମାନସିକ ନିର୍ଯାତନା ଦେଉଥିବା ବେଳେ ନ୍ୟାୟ ନ ମିଳିବାରୁ ବାଲେଶ୍ୱରର ଏଫ୍‌ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳତ ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ରାଜ୍ୟରେ ରାଜନୀତିକ ବାତାବରଣ ବେଶ୍ ଉଷ୍ମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ