Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ଜଙ୍ଗଲରେ ନିଆରା ଢ଼ଙ୍ଗରେ ରକ୍ଷାବନ୍ଧନ ଉତ୍ସବ

ସମ୍ବଲପୁର:ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ବୁଢ଼ାରଜା ଜଙ୍ଗଲ ସମ୍ବଲପୁରର ଫୁସଫୁସ୍ ଭାବରେ ସୁପରିଚିତ।୨୬ ବର୍ଷ ତଳେ ୨୦୦୦ ମସିହାରେ ସର୍ବ ପ୍ରଥମେ ବୁଢ଼ାରଜା ଜଙ୍ଗଲରେ ବନ ସଂରକ୍ଷଣ ସମିତି ପକ୍ଷରୁ ବୃକ୍ଷମାନଙ୍କୁ ରାକ୍ଷୀବାନ୍ଧି ଓ ପୂଜାର୍ଚ୍ଚନା କରି ରକ୍ଷାବନ୍ଧନ ଉତ୍ସବର ଶୁଭାରମ୍ଭ କରାଯାଇଥିଲା।ସେହି ଦିନ ଠାରୁ ପ୍ରତିବର୍ଷ ବୁଢାରଜା ପାହାଡ଼ରେ ଏହି ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇ ଆସୁଅଛି।
ଆଜି ପୂର୍ବାହ୍ନରେ ବୁଢ଼ାରଜା ଜଙ୍ଗଲ ପାଦଦେଶରେ ବୁଢ଼ାରଜା ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଓ ସଭ୍ୟସଭ୍ୟା ବୃନ୍ଦ, ରାମକଲିଦେବୀ ଟ୍ରଷ୍ଟ ଜୁନିୟର କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ, ସହରର ପରିବେଶପ୍ରେମୀ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଶତାଧିକ ସଂଖ୍ୟାରେ ସମବେତ ହୋଇ ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା କରିବା ସହ ବୃକ୍ଷ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ।
“ଗଛ ଆମର ଭାଇ, ଗଛ ମାନଙ୍କୁ କାଟିବ ନାହିଁ, ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଆମେ ବଞ୍ଚିବା, ପରିବେଶ ସୁରକ୍ଷା ଜୀବନ ରକ୍ଷା, ଆଦି ସ୍ଲୋଗାନ୍ ର ସହ ଘଣ୍ଟ ଶଙ୍ଖ ଓ ହୁଳହୁଳି ଧ୍ବନୀରେ ବୁଢ଼ାରଜା ଜଙ୍ଗଲରେ ଏହି ଉତ୍ସବ ପାଳନ କରାଯାଇଥିଲା।ବୁଢ଼ାରଜା ବନ ସଂରକ୍ଷଣ ସମିତିର ସଭାପତି ପ୍ରକୃତିବନ୍ଧୁ ମେଘୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ଷାବନ୍ଧନ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ତାଙ୍କର ବକ୍ତବ୍ୟ ରେ କହିଲେ ଯେ, ଆମ୍ଭେମାନେ ପ୍ରକୃତି ଏବଂ ପରିବେଶର ସୁରକ୍ଷା କଲେ, ପ୍ରକୃତି ଆମ୍ଭ ମାନଙ୍କର ସୁରକ୍ଷା କରିବ। ତେଣୁ ଆଜିର ଦିନରେ ବୃକ୍ଷ ରୋପଣ ବହୁ ମାତ୍ରା ରେ କରିବା ଉଚିତ ବୋଲି ଶ୍ରୀ ବହିଦାର ପରାମର୍ଶ ଦେଇଥିଲେ। ସମିତିର ସମ୍ପାଦକ ତପନ କୁମାର ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ,ଚାଷୀନେତା ରାମ ସାଗର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଶେଷରେ ପୁଷ୍ପ ସିନ୍ଦୁର ଧୂପଦୀପ ଦ୍ୱାରା ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା କରିବା ପରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନ କରାଯାଇଥିଲା।
ଏହି ନିଆରା ରକ୍ଷାବନ୍ଧନ ଉତ୍ସବରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସରକାର , ବିଶ୍ୱଜିତ ପାଢ଼ୀ , ଶ୍ରୀମତୀ ବାସନ୍ତି ପୋଢ଼ , ଶ୍ରୀମତୀ ଫୁଲକୀ ଜାଲ , ସୁଶ୍ରୀ ପାର୍ବତୀ ଧନୁୱାର ସମେତ ଶତାଧିକ ପରିବେଶପ୍ରେମୀ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories