Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟୋକନରେ ତ୍ରୁଟି, ଅଖା ବସ୍ତା ଯୋଗାଉନି ପ୍ରଶାସନ : ବିକ୍ରି ହୋଇପାରୁନି ଧାନ

ଅତାବିରା: ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ନାନା ଅବ୍ୟବସ୍ଥା ଯୋଗୁ ଚାଷୀମାନେ ଧାନ ବିକ୍ରି କରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋକନରେ ତ୍ରୁଟି ଏବଂ ଅଖା ବସ୍ତା ଯୋଗାଇବାରେ ପ୍ରଶାସନ ର ବିଫଳତା ଏବେ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ରାଜ୍ୟ ସରକାର ଧାନବିକ୍ରିରେ ଟୋକନ୍‌କୁ ବାଧ୍ୟତାମୂଳକ କରିଥିବାବେଳେ ବିଭାଗୀୟ ଅଧିକାରୀମାନେ ଟୋକନ୍‌ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସେହି ଟୋକନ୍‌ରେ ତ୍ରୁଟି ଯୋଗୁ ଚାଷୀମାନେ ନିଜ ଅମଳ ଧାନ ବିକ୍ରିରୁ ବଞ୍ଚତ ହେଉଛନ୍ତି। ଜିଲାର ଅଣଜଳସେଚିତ ଅଞ୍ଚଳର ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ପରିଲକ୍ଷିତ ହୋଇଛି। ଏଭଳି ଅଭିଯୋଗ ନେଇ ସୋମବାର ଜିଲାର ପଥର୍ଲା, ଗୋବିନ୍ଦପୁର, ଶସ୍ତୁପାଲି ଆଦି ଅଞ୍ଚଳର ଅନେକ ଚାଷୀ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ସେମାନେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକନ୍‌ରେ ରହିଥିବା ତ୍ରୁଟିର ତୁରନ୍ତ ସଂଶୋଧନ ସହ ସେମାନଙ୍କ ଧାନ କିଣିବାକୁ ଦାବି କରିଥିଲେ। ଅନ୍ୟ ପକ୍ଷେ ଜୟ କିଷାନ ଆନ୍ଦୋଳନ ସଂଗଠନ ମଙ୍ଗଳବାର ଅତାବିରା ତହସିଲଦାର ଙ୍କ ପାଖରେ ଅଭିଯୋଗ କରିଛନ୍ତି ଯେ ଅଖା ବସ୍ତା ଯୋଗାଇବାରେ ପ୍ରଶାସନ ଫେଲ ମାରିଛି l ଯାହାର ଫଳ ଭୋଗୁଛି ଚାଷୀ l ଏଣୁ ଶୀଘ୍ର ଚାଷୀଙ୍କୁ ଅଖା ବସ୍ତା ଯୋଗାଇଦିଆଯାଉ ନଚେତ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ଏବଂ ଏଥି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଲିଖିତ ଚେତାବନୀ ଦେଇଛି l ଏଥିରେ ସଂଗଠନର ଜିଲ୍ଲା ସଭାପତି ଶୁଶିଲ ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ସ୍ଥାନୀୟ ସଭାପତି ଭଞ୍ଜନ ବାରିକ ଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ l ଅତାବିରା ଭାରପ୍ରାପ୍ତ ତହସିଲଦାର ତଥା ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ଦାଶ ଚଷୀଙ୍କ ସ୍ମାରକ ପତ୍ର ରଖିବା ସହ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ l
ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କଠାରୁ ସର୍ବାଧିକ ଅଢ଼େଇ ଏକର ଜମି ପାଇଁ ୬୫ କୁଇଣ୍ଟାଲ ଧାନ କିଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ପଥର୍ଲା, ଗୋବିନ୍ଦପୁର ସମେତ ବିଭିନ୍ନ ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କୁ ମିଳିଥିବା ଟୋକନରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ବଦଳରେ ୨ କୁଇଣ୍ଟାଲ, ୧୩ କୁଇଣ୍ଟାଲ, ୨୩ କୁଇଣ୍ଟାଲ, ୨୫ କୁଇଣ୍ଟାଲ ଉଲ୍ଲେଖ ରହିଛି, ଯାହାକି ବିକ୍ରିଯୋଗ୍ୟ ଧାନ ପରିମାଣରୁ ଯଥେଷ୍ଟ କମ୍‌। ପଥର୍ଲା ଗ୍ରାମର ଚାଷୀ ଦେବେନ୍ଦ୍ର ସାହୁଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୨ କୁଇଣ୍ଟାଲ ୮ କିଗ୍ରା, ରାଜୁ ସାହୁଙ୍କୁ ମିଳିଥିବା ଟୋକନରେ ୨୩ କୁଇଣ୍ଟାଲ ୪୦ କିଗ୍ରା, ଝାଙ୍କରପାଲିର ସୁଜିତ ବାରିକଙ୍କୁ ମିଳିଥିବା

ଟୋକନରେ ୩୯ କୁଇଣ୍ଟାଲ ୭୮ କିଗ୍ରା, କୃଷ୍ଣ ମେହେରଙ୍କୁ ମିଳିଥିବା ଟୋକନରେ ୧୩ କୁଇଣ୍ଟାଲ ରହିଛି। ଏମାନଙ୍କ ସମସ୍ତଙ୍କ ଅଢ଼େଇ ଏକରରୁ ଊର୍ଦ୍ଧ୍ୱ ଜମିରେ ଧାନ ଅମଳ ହୋଇଛି। ଟୋକନରେ କମ୍‌ ପରିମାଣର ଧାନ ଉଲ୍ଲେଖ ରହିଥିବାରୁ ଚାଷୀମାନେ ସେମାନଙ୍କ ଅମଳ ଧାନ ମଣ୍ଡିକୁ ବିକ୍ରି ପାଇଁ ନେଇ ପାରୁନାହାନ୍ତି। ଅନ୍ୟପଟେ ଟୋକନ ଅବଧି ସରି ଆସୁଛି। ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି। ପଥର୍ଲା ଗ୍ରାମର ଚାଷୀ ଦେବେନ୍ଦ୍ର ସାହୁ କହିଛନ୍ତି, ତାଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ରହିବା କଥା, କିନ୍ତୁ ୨ କୁଇଣ୍ଟାଲ ୮ କିଗ୍ରା ଉଲ୍ଲେଖ ରହିଛି। ଧାନଚାଷ ପାଇଁ ବିଦ୍ୟୁତ୍‌ ଦେୟ ବାବଦକୁ ସେ ୭ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ଯଦି ୨ କୁଇଣ୍ଟାଲ ଧାନ ବିକ୍ରି କରିବେ, ସେଥିରୁ ବିଦ୍ୟୁତ୍‌ ଦେୟ ଖର୍ଚ୍ଚ ମଧ୍ୟ ବାହାରିବ ନାହିଁ। ଏପରି କି ୨କୁଇଣ୍ଟାଲ ଧାନକୁ ସେ ମଣ୍ଡିକୁ ବିକ୍ରି ପାଇଁ ଯଦି ଟ୍ରାକ୍ଟରରେ ନେବେ, ଟ୍ରାକ୍ଟର ଭଡ଼ା ମଧ୍ୟ ବାହାରିବ ନାହିଁ। ଫଳରେ ତୁରନ୍ତ ଟୋକନ୍‌ରେ ରହିଥିବା ତ୍ରୁଟି ସଂଶୋଧନ କରି ଧାନ କିଣାଯାଉ, ନଚେତ୍‌ ଜିଲାପାଳଙ୍କ ଅଫିସରେ ଧାନ ଗଦା କରିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ କହିଛନ୍ତି। ଏନେଇ ଏଡିଏମ୍‌ ମିର୍ଦ୍ଧା ଟପ୍ପୋଙ୍କୁ ପଚାରିବାରେ ସେ ଏହି ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।