Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡତୁରାଙ୍ଗରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜୟନ୍ତୀ ପାଳିତ

ସମ୍ବଲପୁର: ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟ ବବିତା ତଥା ଭାଷା ସାହିତ୍ୟ ଯୋଗୁଁ ଆଜି ଏ ଜାତି, ସମାଜ, ସମଗ୍ର ଉତ୍କଳ ଭୂଖଣ୍ଡ ବଞ୍ଚି ରହିଛି। କବିଙ୍କର ଦେଶ ଭକ୍ତି, ମାତୃ ଭକ୍ତି, କ୍ରାନ୍ତିକାରୀ କବିତା, ବୈପ୍ଲବିକ କବିତା ସଂକଳନ ପାଇଁ ଆଜି କବିଙ୍କ ସହିତ ଏ ମାଟି ସାରା ବିଶ୍ୱରେ ସୁପରିଚିତ ହୋଇପାରିଛି। ପ୍ରକୃତରେ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇବା ଯେବେ ଆମେ ସବୁ ଓଡ଼ିଆ ଏକତାର ରଜ୍ଜୁରେ ବାନ୍ଧି ହୋଇ ରହିବା।
ଶନିବାର ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ବାହାମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡତୁରାଙ୍ଗ ଗ୍ରାମର ଭୁଲିଆ ସମାଜ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ସକାଳେ ଏହି ଅବସରରେ ପ୍ରଥମେ ମାଁ ସମଲେଶ୍ଵରୀ ଓ ମାଁ ପାଟନେଶ୍ୱରୀଙ୍କ ଫଟୋଚିତ୍ର ଧରି ସମଗ୍ର ଗ୍ରାମରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତ ଦାନ ଶିବିରକୁ କୁଲୁଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଆଶିଷ ରଂଜନ ପଣ୍ଡା, ପଧାନପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଲୋକନାଥ ପ୍ରଧାନ ଓ ସମାଜସେବୀ ସୁବୋଧ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହା ସଙ୍ଗେ ସଙ୍ଗେ ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଅପରାହ୍ନରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବାହାମ୍ ସରପଞ୍ଚ ସରସ୍ଵତୀ ଭୋସାଗର ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ମୁରା ଡିପିଏ କଲେଜର ଇଂରାଜୀ ଅଧ୍ୟାପକ ତଥା ଗୀତିକାର ଯତୀନ୍ଦ୍ର ପ୍ରଧାନ ଯୋଗ ଦେଇ ଗଙ୍ଗାଧର ସାହିତ୍ୟକୁ ବିଶେଷ ଭାବରେ ଆଲୋଚନା କରି ଏକତାର ରାହାରେ ବାନ୍ଧି ରହିବା ହେବ ଗଙ୍ଗାଧରଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଚିକିତ୍ସକ ତଥା ବରିଷ୍ଠ ସାମ୍ବାଦିକ ଡା. ରାଜାରାମ ଷଡ଼ଙ୍ଗୀ, ବିଜେପି ନେତ୍ରୀ ସସ୍ମିତା ଦେହୁରୀ, ବଡଟୁରାଙ୍ଗ ଭୁଲିଆ ସମାଜର ସଭାପତି ସନ୍ତୋଷ ମେହେର ମଞ୍ଚାସିନ ରହି କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କୀର୍ତ୍ତନ ଗାୟକ ସରୋଜ ନାଏକ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବି କିଭଳି ନାରୀ ଜାତିକୁ ତାଙ୍କ କାବ୍ୟ କବିତାରେ ସ୍ଥାନ ଦେଇଥିଲେ ସେ ନେଇ ଆଲୋକପାତ କରିଥିଲେ।
୨୦୨୪-୨୫ ଶିକ୍ଷା ବର୍ଷରେ ଭୁଲିଆ ସମାଜର ଗଗନ ମେହେର ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ମଞ୍ଚରେ ତାଙ୍କୁ ସମ୍ମାନୀତ କରାଯାଇଥିଲା।
ଏଥି ସହ ଆଜି ଅନୁଷ୍ଠିତ ବିଭିନ୍ନ ଖେଳ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସମାଜ ପକ୍ଷରୁ କିଶୋର ମେହେର ସଭା ପରିଚାଳନା କରି ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories