Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରଆଇ-ଅମିନ ନିଯୁକ୍ତି ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେବେ ହେବ ପରୀକ୍ଷା

ବିବାଦୀୟ ଆରଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ପରୀକ୍ଷା ହେବ। କମ୍ପ୍ୟୁଟର ବେସଡ୍‌ ନିଯୁକ୍ତି ପରୀକ୍ଷା (ସିବିଆର୍‌ଇ) ମାଧ୍ୟମରେ ପରୀକ୍ଷା କରିବାକୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଆଜି ବିଜ୍ଞପ୍ତି ପ୍ରକାଶ କରିଛି।

ପୂର୍ବରୁ ହୋଇଥିବା ସମସ୍ତ ପ୍ରକ୍ରିୟାକୁ ବାତିଲ୍‌ କରି ପୁଣିଥରେ ମୂଳରୁ ପ୍ରକ୍ରିୟା ଆରମ୍ଭ କରାଯିବ। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ। ଫଳରେ ୫ଲକ୍ଷ ୫୮ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ପ୍ରଲିମିନାରୀ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଥିଲା। ମୋଟ୍‌ ପଦର ୫ଗୁଣା ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହେବାର ନିୟମ ଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିଲା। ଫଳରେ ସରକାର ପ୍ରିଲିମିନାରୀ ପରୀକ୍ଷା ଫଳକୁ ରଦ୍ଦ କରିବା ସହ ପୁଣିଥରେ ନୂତନ ଭାବେ ପରୀକ୍ଷା କରିବାକୁ ଉଚ୍ଚ ନ୍ୟାୟାଳୟକୁ ଅବଗତ କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା ତାରିଖ ସ୍ଥିର କରିବାକୁ କୋର୍ଟ ଗତ ଜୁଲାଇ ୩୦ ତାରିଖରେ ନିର୍ଦ୍ଦେଶ ଦେଇଥିବାବେଳେ ପ୍ରାୟ ୧୨ ଦିନ ପରେ ନୂତନ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ