ନୁଆଁଖାଇ ପାଇଁ ସ୍ଥିର ହେଲା ଶୁଭଲଗ୍ନ


ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର କୃଷି ଭିର୍ତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଛି l ଆସନ୍ତା ଅଗଷ୍ଟ ୨୮ ତାରିଖ ଗୁରୁବାର ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସକାଳ ସମୟ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ବା ନୂଆ ଚାଉଳର ଭୋଗ ଅର୍ପଣ ହେବ l ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଏହି ଲଗ୍ନ ନିର୍ଣ୍ଣୟ କରିଛନ୍ତି l
ଆଜି ଅଗଷ୍ଟ ମାସ ୧୬ ତାରିଖ ଅପରାହ୍ନ ୪ଟା.୩୦ ମିନିଟ ସମୟରେ ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଅହୁତ ବୈଠକରେ ଆମନ୍ତ୍ରିତ ପଣ୍ଡିତଗଣ ମହେଶ୍ବର ନାୟକ, ଲକ୍ଷ୍ମଣ ବେହେରା, ସୁଧାଂଶୁ ଶେଖର ପାଣିଗ୍ରାହୀ, ଅକ୍ଷୟ ପୁରୋହିତ, ବଂଶୀଧର ଶତପଥୀ, ଗିରିଜା ଶଙ୍କର ପଣ୍ଡା, ଝସକେତନ ହୋତା, ରବିନାରାୟଣ ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, ପ୍ରଭାକର ତ୍ରିପାଠୀ, ଶଶାଙ୍କ ଶେଖର ମିଶ୍ର, ଦାଶରଥି ପୁରୋହିତ, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ରାକେଶ ମିଶ୍ର, ଚନ୍ଦ୍ର ପାଣିଗ୍ରାହୀ, ବୁଲୁ ପାଢ଼ୀ, ବିନୀତ ପାଣ୍ଡେ, ମନବୋଧ ପାଢ଼ୀ, ଉତ୍ତମ ରଥ ଓ ଜିତେନ୍ଦ୍ର ନନ୍ଦ ଆଦି ପଣ୍ଡିତ ମଣ୍ଡଳୀ ସମୂହ ଭାବରେ ମା’ ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ନୂଆଖାଇ ପାଇଁ ଶୁଭଲଗ୍ନ ସ୍ଥିରୀକୃତ କରିଥିଲେ l ଆସନ୍ତା ଅଗଷ୍ଟ ୨୮ ତାରିଖ ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ବୈଠକରେ ସ୍ଥିର ହୋଇଛି l
ଏହି ଶୁଭଲଗ୍ନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେଵୀ ମାଁ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଚଢାଯିବା ପରେ ସମଗ୍ର ପଶ୍ଚିମ ଓଡିଶାରେ ଏହି ଶୁଭ ଲଗ୍ନ ଅନୁସାରେ ନୂଆଁଖାଇ ପର୍ବ ପାଳନ ହୋଇଥାଏ। ପରେ ଘରେ ଘରେ ଲୋକେ ନୂଆ ଚାଉଳ ର ଭୋଗ ଖାଇ ନୂଆଖାଇ ପର୍ବ ପାଳନ କରିବେ।
ପ୍ରତ୍ୟେକ ବର୍ଷ ସମ୍ବଲପୁରରେ ଜନ୍ମାଷ୍ଟମୀ ପର ଦିନ ଅର୍ଥାତ ନନ୍ଦଉତ୍ସବ ଦିନ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରାଯିବାର ପରମ୍ପରା ରହିଛି l ଏହି ପରମ୍ପରା ଅନୁଯାୟୀ, ନନ୍ଦୋତ୍ସବରେ ନୂଆଖାଇ ଲଗ୍ନ ସ୍ଥିର କରିଛି ପଣ୍ଡିତ ମହାସଭା l ପଶ୍ଚିମ ଓଡ଼ିଶାର ନୁଆଁଖାଇ ଏକ ସ୍ୱତନ୍ତ୍ର ଗଣପର୍ବ ଅଟେ l ଏହି ପର୍ବରେ ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଶସ୍ୟ ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କୁ ପାରମ୍ପରିକ ରୀତିନୀତିରେ ଅର୍ପଣ କରାଯିବାରଳ ପ୍ରଥା ରହି ଆସିଛି l ଏହାପରେ ତାହାକୁ ପ୍ରସାଦ ଭାବେ ନିଜେ ଗ୍ରହଣ କରିଥାନ୍ତି। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ କୃଷିଭିତ୍ତିକ ମହାନ ଗଣପର୍ବ ହୋଇଥିଲେ ମଧ୍ୟ ଚାଷୀଠୁ ନେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି l ଏହି ପର୍ବରେ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳେ।