ସମ୍ବଲପୁର:ଫୁଟବଲ ଖେଳ ପାଇଁ ସ୍ବତନ୍ତ୍ର ପରିଚୟ ହାସିଲ କରିଥିବା କବରାପାଲି ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ସମ୍ବର୍ଦ୍ଧନା ସଭା ସହ କ୍ରୀଡା ଶିକ୍ଷକର ଭୁମିକା ଉପରେ ଆଳୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ କ୍ଷେତ୍ରମଣୀ ପଣ୍ଡା ଙ୍କୁ ଅନୁଷ୍ଠାନିକ ଭାବରେ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ କହିଥିଲେ ଯେ ବିଦ୍ୟାଳୟକୁ ଶୃଙ୍ଖଲିତ କରିବାରେ କ୍ରୀଡା ଶିକ୍ଷକଙ୍କ ଭୁମିକା ଗୁରୁତ୍ୱ ପୂର୍ଣ୍ଣ । ଅନେକ ବିଦ୍ୟାଳୟ କ୍ରୀଡା କ୍ଷେତ୍ରରେ ନିଜର ପରିଚୟ ହାସିଲ କରିବା ସହ ଛାତ୍ରୀଛାତ୍ର ମାନେ ଖେଳ ଜରିଆରେ ନିଯୁକ୍ତି ମଧ୍ୟ ପାଇ ପାରୁଛନ୍ତି । କାଯର୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ଜଗବନ୍ଧୁ ବେହେରା, ପୂର୍ବତନ ରାଜ୍ୟ ଓଷ୍ଟା ସଭାପତି ରାଜେନ୍ଦ୍ର ପଣ୍ଡା, କାଇଁଶୀର ହାଇସ୍କୁଲ କ୍ରୀଡା ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଯୋଗଦେଇଥିଲେ । ସରକାର ପାଠପଢା ସହ ଶାରୀରିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଉଥିବାରୁ ସମ୍ବଲପୁରର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡିକ ଯୋଗ, ପ୍ରାଣାୟାମ ସହ ବିଭିନ୍ନ କ୍ରୀଡା କୌଶଳରେ ପାରଙ୍ଗମ ହୋଇ ପାରିଛନ୍ତି । ବିଦ୍ୟାଳୟକୁ ଶୃଙ୍ଖଲିତ କରିବାରେ କ୍ରୀଡା ଶିକ୍ଷକଙ୍କ ଭୁମିକା ନେଇ ଅତିଥି ମାନେ ନିଜର ମତ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ପୁରାତନ ଛାତ୍ର ଛାତ୍ରୀ, କମିଟି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶ୍ରୀମତୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ସହ ବିତିଥିବା ସ୍ମୃତିଗୁଡିକୁ ମନେ ପକାଇ ଥିଲେ । କ୍ରୀଡା ଶିକ୍ଷୟତ୍ରୀ ଶ୍ରୀମତୀ ପଣ୍ଡା ଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ କୌଶଲ୍ୟା ବେହେରା ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ ।
କ୍ରୀଡା ଶିକ୍ଷକ ବିଦ୍ୟାଳୟକୁ ଶୃଙ୍ଖଲିତ କରିଥାନ୍ତି:କବରାପାଲି ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭାରେ କହିଲେ ବିଶିଷ୍ଟ ଅତିଥି
