ନିଯୁକ୍ତି ସହାୟତା ସହିତ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ‘ଧନ୍ଦାମୂଳକ ତାଲିମ କେନ୍ଦ୍ର’ର ଶୁଭାରମ୍ଭ


୨୦୦ରୁ ଅଧିକ ଯୁବକ-ଯୁବତୀମାନଙ୍କୁ ଗ୍ରାହକ ସେବା ଅଧିକାରୀ ଭାବେ ପ୍ରଶିକ୍ଷଣ ଦିଆଯିବ

ସମ୍ବଲପୁର: ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ମାଧ୍ୟମରେ ସମ୍ବଲପୁର ଜିଲ୍ଲା ଏବଂ ନିକଟବର୍ତ୍ତୀ ଅଞ୍ଚଳର ଯୁବକ ଓ ଯୁବତୀମାନଙ୍କୁ ସଶକ୍ତ କରିବାର ଏକ ଲକ୍ଷ୍ୟ ନେଇ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏହାର ପ୍ରମୁଖ ସାମାଜିକ ଦାୟିତ୍ୱବୋଧ (CSR) ପଦକ୍ଷେପ ‘ରୋଶନି’ ଅଧୀନରେ ଓରିଅନ୍ ସହଭାଗୀତାରେ ଏକ ଧନ୍ଦାମୂଳକ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଅଛି । ଏହି କେନ୍ଦ୍ରଟି ସମ୍ବଲପୁରର ଅଇଁଠାପାଲି ସ୍ଥିତ ସରସ୍ୱତୀ ବିହାରରେ ଅବସ୍ଥିତ ରହିଛି ।

ଚଳିତ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ଯୁବକ-ଯୁବତୀମାନଙ୍କୁ ଗ୍ରାହକ ସେବା ଅଧିକାରୀ ଭାବେ ପ୍ରଶିକ୍ଷଣ ଦେଇ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଛି । ଦ୍ରୁତ ଗତିରେ ବଢ଼ୁଥିବା ଗ୍ରାହକ ସେବା ଶିଳ୍ପରେ ଅତ୍ୟାବଶ୍ୟକ ବୃତ୍ତିଗତ ଯୋଗାଯୋଗ, ବୈଷୟିକ ବିଶେଷଜ୍ଞତା ଏବଂ ଦକ୍ଷତା ବୃଦ୍ଧି ଆଦି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପଦକ୍ଷେପ ଅଧିନରେ ପ୍ରଶିକ୍ଷଣ ଦେବା ପରେ ସାରା ରାଜ୍ୟରେ ଅବସ୍ଥିତ ଅଗ୍ରଣୀ କମ୍ପାନୀଗୁଡ଼ିକରେ ଏହି ଯୁବକ ଓ ଯୁବତୀମାନଙ୍କର ନିଯୁକ୍ତି ସୁନିଶ୍ଚିତ କରାଯିବ ।

ଏହି ତାଲିମ କେନ୍ଦ୍ରର ଉଦଘାଟନ ଉତ୍ସବରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମାଙ୍କ ସମତେ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ତାଲିମ ନେବାକୁ ଥିବା ଯୁବକ-ଯୁବତୀ ଏବଂ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ରହିଥିଲେ । ତାମିଲ କେନ୍ଦ୍ରର ଉଦଘାଟନ ସହିତ ମୋଟ୍ ୫୦ ଜଣ (୧୧ ଯୁବକ ଏବଂ ୩୯ ଯୁବତୀ)ଙ୍କୁ ନେଇ ପ୍ରଥମ ଦୁଇଟି ବ୍ୟାଚ୍ ଆରମ୍ଭ ହୋଇଯାଇଛି । ଆଗାମୀ ତିନି ମାସ ମଧ୍ୟରେ, ସେମାନଙ୍କୁ ‘କଷ୍ଟମର କେୟାର ଏକଜିକ୍ୟୁଟିଭ୍’ (ଗ୍ରାହକସେବା ଅଧିକାରୀ) ଭାବରେ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ହେବା ସହିତ ସେମାନଙ୍କୁ ସାରା ଓଡ଼ିଶାର ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରିବାରେ ସହାୟତା କରାଯିବ । ଏହି କେନ୍ଦ୍ରରେ ପ୍ରଶିକ୍ଷଣ ପାଇଁ ବିଶେଷ ଭାବେ ଗରିବ ଶ୍ରେଣୀ, ଅବହେଳିତ ତଥା ପଛୁଆ ସମ୍ପ୍ରଦାୟର ଯୁବକ ଓ ଯୁବତୀମାନଙ୍କୁ ସାମଲି କରାଯିବ । ଯାହା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରଖାଯାଇଅଛି ।

ଏହି ତାଲିମ କେନ୍ଦ୍ରର ଶୁଭ ଉଦଘାଟନ ଅବସରରେ କମ୍ପାନୀର ସିଇଓ ଶ୍ରୀ ବର୍ମା ଖୁସି ବ୍ୟକ୍ତ କରିବା ସହ ପ୍ରକାଶ କରିଛନ୍ତି ଯେ, ଏହା କେବଳ ପ୍ରଶିକ୍ଷଣ ନୁହେଁ, ବରଂ ଏହା ସ୍ଥାନୀୟ ଅଞ୍ଚଳର ଯୁବକ-ଯୁବତୀମାନଙ୍କୁ ସଶକ୍ତ କରି ସେମାନଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ତଥା ପେଶାଗତ କ୍ୟାରିଅର ପ୍ରସ୍ତୁତ କରିବାରେ ଆମର ପ୍ରୟାସ । ସମାଜିକ ଦାୟତ୍ୱବୋଧ କାର୍ଯ୍ୟକଳାପ ଭାବେ ସ୍ଥାନୀୟ ଅଞ୍ଚଳର ଯୁବକ ଓ ଯୁବତୀମାନଙ୍କ ଭବିଷ୍ୟତକୁ ସୁଦୃଢ କରିବା ଆମର ସାମୂହିକ ଦାୟିତ୍ୱ । ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ଘୋଷଣା କରିଥିଲେ ।

ତେବେ ଅଭିଭାବକ ଏବଂ ପ୍ରଶିକ୍ଷାର୍ଥୀମାନେ ଏହି ପଦକ୍ଷେପ ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରିଛନ୍ତି । ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶାବାଦୀ କରିବାରେ କମ୍ପାନୀର ଭୂମିକାକୁ ଅଭିଭାବକମାନେ ଭୂରି ପ୍ରଶଂସା କରିଥିଲେ ।