Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜାରରେ ସୀମା ଟପୁଛି ଡିପିଏ, ୟୁରିଆ ସାରର କଳାବଜାର,ଚାଷୀଙ୍କୁ ମଧୁଚନ୍ଦ୍ରିକା କାଳ

ସମ୍ବଲପୁର:ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଆରମ୍ଭରୁ ଦେଖାଦେଇଛି ଚାଷୀ ସମସ୍ୟା। ସାର ପାଇଁ କୃଷି ଉପରେ ନିର୍ଭର କରୁଥିବା ଚାଷୀ ଆରମ୍ଭରୁ ହିଁ ସାର ପାଇଁ ହନ୍ତସନ୍ତ ହୋଇ ଏବେ ହରଡ଼ ଘଣାରେ ପଡିଛନ୍ତି।

ନିକଟରେ ରବିଧାନ ବିକ୍ରି ନେଇ ସମ୍ବଲପୁର, ବରଗଡ଼, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାର ଚାଷୀମାନଙ୍କୁ ଖୁବ୍‌ ହଇରାଣ ହେବାକୁ ପଡିଥିଲା। ଅନ୍ୟପଟେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ହିଁ ଚାଷୀ ମାନଙ୍କୁ ସାର ପାଇଁ ବାର ଦାଣ୍ଡ ଶୁଣ୍ଢୀ ପିଣ୍ଡା ହେବାକୁ ପଡୁଛି। ବର୍ତ୍ତମାନ ଚାଷୀଙ୍କୁ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ତାହା ସେମାନଙ୍କୁ ଠିକ୍‌ଭାବେ ମିଳି ପାରୁ ନାହିଁ। ଯାହାବି ମିଳୁଛି ନିର୍ଦ୍ଦାରିତ ମୂଲ୍ୟ ଠାରୁ ଢେର ଅଧିକ ଦରରେ କିଣିବାକୁ ପଡୁଛି।ଏଭଳି ଅଭିଯୋଗ ଗାଁରୁ ସହର ବ୍ୟାପିଥିଲେବି ବ୍ୟବସାୟୀ ପ୍ରଶାସନ ର ମଧୁଚନ୍ଦ୍ରିକା ଚାଷୀଙ୍କ ପାଇଁ କାଳ ସାଜିଥିବା ଚାଷୀ ମହଲରେ ଭାଳେଣି ପଡିଛି।

ଏହି ଖରିଫ ଚାଷକାର୍ଯ୍ୟ ଆରମ୍ଭରୁ ସାରର ଅଭାବ ଏବଂ କଳାବଜାର ଚାଷୀମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି।ଅନେକ ସ୍ଥାନରେ ଧାନପହ୍ଲା ରୁଆ ମଧ୍ୟ ସରିଯାଇଛି।ସେପଟେ ଲଗାଣ ବର୍ଷା ଏହି ଚାଷକୁ ଦୋହଲାଇ ଦେଇଥିବା ବେଳେ ଚାଷୀଙ୍କୁ ଆବଶ୍ୟକ ଡିଏପି ଏବଂ ୟୁରିଆ ସାର ନ ମିଳିବା ଦୁଃଖର କାରଣ ସାଜିଛି। ବର୍ତ୍ତମାନ ଡିପିଏ ଓ ୟୁରିଆ ସାର ଯଥେଷ୍ଟ ଆବଶ୍ୟକ ଥିବାବେଳେ ତାହା ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନଥିବାରୁ ଚାଷୀ ଭାଗ୍ୟ ଉପରେ ପ୍ରଶାସନିକ ସହଯୋଗ ଏକ ମାତ୍ର ଭରଷା ହୋଇଥିବା ବେଳେ ପ୍ରଶାସନ ସବୁ ଜାଣିଶୁଣି ଏଥୁରୁ ମୁହଁ ଫେରାଇ ନେଉଥିବା ଭଳି ଅନେକ ଘଟଣା ଚାଷୀଙ୍କ ବିଶ୍ୱାସକୁ ନାକେଦମ କଲାଣି।

ସରକାରୀ ଧାର୍ଯ୍ୟ ଦରରେ ସାର ବିକ୍ରି ପାଇଁ ଜିଲ୍ଲା ମାନଙ୍କରେ ଲାଇସେନ୍ସପ୍ରାପ୍ତ ରିଟେଲର୍‌, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ଆବଶ୍ୟକତାଠାରୁ ଯଥେଷ୍ଟ ୟୁରିଆ ଏବଂ ଡିଏପି ସାର ଜିଲାକୁ ଯାଇଥିବା ସତ୍ତ୍ୱେ କେତେକ ମୁନାଫାଖୋର ବ୍ୟବସାୟୀ ଏହାର ଫାଇଦା ଉଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍‌(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦର ଅର୍ଥାତ୍‌ ୩୭୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ, ଜଣେ ଚାଷୀ ଗୋଟିଏ ପକେଟ୍‌ ୟୁରିଆ ସାର କିଣିଲେ, ତାଙ୍କୁ ନାନୋ ୟୁରିଆ ବୋତଲ ନେବାକୁ ବାଧ୍ୟ କରାଯାଉଛି। ଫଳରେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପ ଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍‌(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ଚଢ଼ାଦରରେ ଅର୍ଥାତ୍‌ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଏଭଳି ସ୍ଥଳେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକୁ ଗଲେ ସେଠାରେ ସାର ନଥିବା ନେଇ ବିଭାଗୀୟ କର୍ମଚାରୀମାନେ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷକାର୍ଯ୍ୟର ପ୍ରାଥମିକ ପର୍ଯ୍ୟାୟରେ ଡିଏପି ଏବଂ ୟୁରିଆ ସାର ପ୍ରୟୋଗର ଯଥେଷ୍ଟ ଆବଶ୍ୟକ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଏହି ସାର ପାକ୍ସ ଗୁଡ଼ିକରେ ପର୍ଯ୍ୟାପ୍ତଭାବେ ଉପଲବ୍ଧ ହେଉ ନାହିଁ। ଅପରପକ୍ଷେ କେତେକ ରିଟେଲର ଏହାର କଳାବଜାର କରୁଥିବାବେଳେ ସେଥିପ୍ରତି କୃଷି ବିଭାଗ ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ଆରମ୍ଭରୁ ହିଁ ଅଭିଯୋଗ କରି କରି ଥକିପଡିଲେଣି।କଳାବଜାର ରୋକିବାକୁ ସରକାର ପୂର୍ବରୁ ଘୋଷଣା କରି ଏଥିରେ ଲିପ୍ତ ରିଟେଲରମାନଙ୍କୁ କଳା ତାଳିକାଭୁକ୍ତ କରିବା ଓ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ବର୍ତ୍ତମାନ ଠାରୁ ସଜାଗ ରହିଥିଲେ ବି କାଁଭାଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶାସନ ଚୁପ ରହିଯିବା ଠିକ ନୁହେଁ ବୋଲି ଚାଷୀ ସଂଗଠନ କହିଛନ୍ତି।ତେବେ କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ ମାନଙ୍କ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା ଏହାର ସାଧୁତା ନେଇ ଚାଷୀଙ୍କ ମନରେ ସନ୍ଦେହ ରହୁଥିବା ଚାଷୀ ଅଭଯୋଗ ଆଣିଛନ୍ତି।

ଏଭଳି ଏକ ଅଭିଯୋଗ ପାଇ ଗତକାଲି ଶନିବାର ପଡିଆବାହାଲ ସ୍ଥିତ ମା ମେଟାକାନି ଷ୍ଟୋରରେ ସଦର ଉପଜିଲ୍ଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା ଅଚାନକ ପରିଦର୍ଶନ କରି ସାର ବିକ୍ରିରେ ସ୍ଵଚ୍ଚତା ରଖିବାକୁ ନିର୍ଦ୍ଦେଶ ଦେଇ ଥିବା ଉପଜିଲ୍ଲାପାଳ ଏହି ପ୍ରତିନିଧିଙ୍କୁ କହିଛନ୍ତି। ଅନ୍ୟ ପକ୍ଷରେ ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ତାଙ୍କ ପାଖରେ ୧୨ ଟନ ସାର ଥିବା ଓ ଅଧିକାରୀ ଫୋଟୋ ଉଠାଇ ନେଇଥିବା ସମ୍ପର୍କରେ ସମ୍ପୂକ୍ତ ବ୍ୟବସୟୀ ସୂଚନା ଦେଇ ଚାଷୀଙ୍କୁ କୌଣସି ହଇରାଣ ବା କଳାବଜାର କରାଯାଉ ନାହିଁ ବୋଲି କହିଥିବା ବେଳେ ଆଜିବି ଆଜି ଏହାର ବ୍ୟତିକ୍ରମ ଦେଖାଦେଇଛି। ୟୁରିଆ ସାର ପାଇଁ ନାନୋ ବୋତଲ କିଣିବାକୁ ଚାଷୀ ବାଧ୍ୟ୍ୟ ହେଉଛନ୍ତି ବୋଲି ଜଣେ ଚାଷୀ ନିଜ ନାମକୁ ଗୋପନ ରଖି ଏହା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ