ସମ୍ବଲପୁର:ଜିଇଁ ବଞ୍ଚିଥିଲେ ଫେର ଯୁଗେ। ରଜାର ପରବ ସିଘା ତିହାର ନୁଆଁଖାଇ ଆଏଜ ମହକେଇ ଦେଇଛେ ସାରା ଦେଶ ଦୁନିଆଁକେ ନିଜର ଭାଇଚାରା ଆଉର୍ ମନର ମିଳନକେ ନେଇ।ହେଥିର ଲାଗି ସିଘା ତିହାର ନୂଆଖାଇ କେ ନେଇ ସାରା ପଶ୍ଚିମ ଓଡ଼ିଶା ଆଏଜ ଦୁଲକୁଛେ। ଗାଁ ନୁ ସହର ପୁରପଲ୍ଲୀ ଯାଏ ନୁଆଁଖାଇ ଲାଗି ସବୁ ପରିବାରନେ ଦେଖା ଦେଇଛେ ଉଷଦ ଆନନ୍ଦ।
ଏହି ନୁଆଁଖାଇ ଅବସରରେ ମା’ ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ପ୍ରତି ପରିବାରରେ ନିଜର ଆରାଧ୍ୟ ଦେବତା ଓ ପିତୃପୁରୁଷଙ୍କୁ ନବାନ୍ନ ଭୋଗ ଦେଇ ଆବାଳ ବୃଦ୍ଧ ବନିତା ନବାନ୍ନ ସେବନ କରିଛନ୍ତି।
ମା ସମଲେଶ୍ୱରୀ ଙ୍କ ପୀଠରେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଲାଗି ହେଲା ନବାନ୍ନ। ଶୁଭ ଲଗ୍ନ ୧୦:୩୩ ରୁ ୧୦:୫୫ ମଧ୍ୟରେ ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ଘରୁ ପ୍ରସ୍ତୁତ ହୋଇ ଆସିଥିବା ନବାନ୍ନ ମା ଙ୍କ ଠାରେ ଲାଗି ହୋଇଥିଲା।ଏଥିପାଇଁ ଘଣ୍ଟ ବାଦ୍ୟାରେ ଦୁଲୁକୁଛି ସମଲେଶ୍ଵରୀ ମନ୍ଦିର।ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବଡ଼ିଭୋର ଭୋରରୁ ମାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ମାଙ୍କ ପାଖରେ ଭୋଗ ଲାଗି ପରେ ସମଗ୍ର ପଶ୍ଚିମ ଓଡ଼ିଶାର ଘରେ ଘରେ ନୁଆଁଖାଇ ପାଳନ ହୋଇଥିଲା। ଏଥିପାଇଁ ସମସ୍ତ ପରିବାର ସଦସ୍ୟ ନୂତନ ଲୁଗା ପରିଧାନ କରି ବଡ଼ରୁ ସାନ ନବାନ୍ନ ପ୍ରସାଦ ସେବନ କରିଥିଲେ। ପ୍ରସାଦ ସେବନ ପରେ ଜୁହାର ମୁଣ୍ଡିଆ ମାରି ନିଜନିଜର ବଡ଼ ମାନଙ୍କୁ ଠାରୁ ପରିବାର ସଦସ୍ୟ ଆଶୀର୍ବାଦ ନେଇ ଆଗାମୀ ଏକ ବର୍ଷ ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ଅନେକ ସ୍ଥାନରେ ସଂପୂର୍ଣ୍ଣ ଗ୍ରାମବାସୀ ଏକତା, ସଂହତି, ଭାତୃତ୍ୱଭାବ, ଆଶା, ପ୍ରେମ, ଶ୍ରଦ୍ଧା ଓ ସମ୍ଭାବନାକୁ ନେଇ ଏକତ୍ରିତ ଭାବେ ନବାନ୍ନ ସେବନ କରି ଜୁହାର ଭେଟଘାଟରେ ନିଜ ନିଜର ମହାନ ପରାମ୍ପରା ର ନିଦର୍ଶନ ଦେଇଛନ୍ତି।
ନୁଆଁଖାଇ ପରେ ପରେ ସମଗ୍ର ପରିବାର ଏକତ୍ରିତ ବସି ନୁଆଁ ସକାଳରେ ଏହି ଭାତୃତ୍ୱଭାବର ନିଦର୍ଶନକୁ ଯୁଗ ଯୁଗ ପାଇଁ ଉଜ୍ଜୀବିତ ରଖି ମା ମାଟିର ମାତୃତ୍ୱ ଓ ସଂହତି ର ପରମ୍ପରାକୁ ବଜାୟ ରଖି ପରସ୍ପର ହିଂସା, କପଟ ମନୋଭାବରୁ ଦୁରେଇ ରହି ଦେଶ ମାତୃକାର ସେବାରେ ନିଜର ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବାକୁ ସଂକଳ୍ପ ନେଇ ଏକ ସାଂସ୍କୃତିକ ବାଟବରଣରେ ସାମିଲ ହୋଇଥିଲେ। ଘରେ ଘରେ ଗୀତ ନୃତ୍ୟର ଆସର ସହିତ ଆଜି ମଧ୍ୟାହ୍ନରୁ ବିଳମ୍ଭିତ ରାତି ଯାଏ ନୁଆଁଖାଇ ଭେଟଘାଟ ଉତ୍ସବ ଗାଁରୁ ସହର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଏଥିପାଇଁ ସାଧାରଣ ଚାଷୀ, ମଳି ମୁଣ୍ଡିଆ ଠାରୁ କବି, ସାହିତ୍ୟିକ ଓ ପ୍ରଶାସକଙ୍କ ଠାରୁ ରାଜନେତାଙ୍କ ଯାଏ ସଭିଙ୍କ ସଂଯୋଗ ନୁଆଁଖାଇ ପାଇଁ ଏକ ଅପୂର୍ଵ ମିଳନର ସାମାଜିକ ନିଦର୍ଶନ। ପଶ୍ଚିମ ଓଡ଼ିଶାର ଏହି ଅପୂର୍ଵ ସମାଗମକୁ ନେଇ ସମଗ୍ର ଓଡିଶା କାହିଁକି ଦେଶ ବିଦେଶରେ ନୁଆଁଖାଇ ଦେଖାଉଛି ନୁଆଁ ବାଟ।