ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
• ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଭିନ୍ନକ୍ଷମମାନଙ୍କ ପାଇଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକତାକୁ ପୂରଣ କରିବ
• ପ୍ରତିମାସରେ ବ୍ଲକ ସ୍ତରରେ ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟାଯିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ପାଠପଢାର ବ୍ୟବସ୍ଥା କରାଯାଉ
• ଅତ୍ୟାଧୁନିକ ଉପକରଣର ବ୍ୟବହାର କରିବା ପାଇଁ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଦେଲେ ପରାମର୍ଶ
• ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ଦିବ୍ୟାଙ୍ଗଜନମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବିତରଣ
ସମ୍ବଲପୁର, ଅଗଷ୍ଟ ୨୮ – ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଦିବ୍ୟାଙ୍ଗଜନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପବିତ୍ର ନୂଆଁଖାଇ ଅବସରରେ ସମ୍ବଲପୁର ବାଲିବନ୍ଧାରେ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଉଦଘାଟନ କରିଛନ୍ତି ।
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ଅବସରରେ ଉଦଘାଟିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଅର୍ଥସୋସ୍ ତଥା ଭିନ୍ନକ୍ଷମମାନଙ୍କ ପାଇଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକତାକୁ ପୂରଣ କରିବ । ଏହି କେନ୍ଦ୍ର ପ୍ରତିଷ୍ଠା କରିଥିବାରୁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ଦିବ୍ୟାଙ୍ଗଜନମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବିତରଣ କରିବା ସହ ଜିଲ୍ଲା ପ୍ରଶାସନକୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ ଶିକ୍ଷା ମନ୍ତ୍ରୀ । ସେ କହିଥଲେ ଏହି ପୁନର୍ବାସ କେନ୍ଦ୍ରରେ ଅନେକ ଅତ୍ୟାଧୁନିକ ମେସିନ ବା ଉଚ୍ଚକୋଟୀର ଉପକରଣ ଅଛି । ଏହି ମେସିନର ପରିଚାଳନା ପାଇଁ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ମିଳିବା ଦରକାର । ଏହା ଉପରେ ଏକ କର୍ମଶାଳା ଆୟୋଜନ ହେବା ଦରକାର ।
ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଆଗାମୀ ଦିନରେ ସମ୍ବଲପୁରରେ ସମସ୍ତ ଦିବ୍ୟାଙ୍ଗମାନଙ୍କ ତାଲିକା ପ୍ରସ୍ତୁତ କରାଯାଉ । ପ୍ରତିମାସରେ ବ୍ଲକ ସ୍ତରରେ ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟାଯିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ପାଠପଢାର ବ୍ୟବସ୍ଥା କରାଯାଉ । ବିଶେଷ ଭାବରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କିଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ, ପାଠପଢି ଆଇଏଏସ ହୋଇପାରିବେ, ସେ ଦିଗରେ ଯୋଜନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସମାଜର ଭିନ୍ନକ୍ଷମ ପିଲାମାନଙ୍କୁ ପ୍ରଶିକ୍ଷଣ କରିବା ପାଇଁ ସେମାନଙ୍କୁ ସ୍ୱାବଲମ୍ବୀ କରିବାର ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଉଲ୍ଲେଖନୀୟ ଯେ ଉଦଘାଟିତ ପୁନର୍ବାସ କେନ୍ଦ୍ରରେ ଦୁଇଟି ମୁଖ୍ୟ ୟୁନିଟ୍ ରହିଛି ଯଥା – ରୋବୋଟିକ୍ ଫିଜିଓଥେରାପି ୟୁନିଟ୍ ଏବଂ ଆଡଭାନ୍ସଡ ପ୍ରୋସ୍ଥେଟିକ୍ ବା ଅର୍ଥୋଟିକ୍ ୟୁନିଟ୍ । ଏଠାରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରରେ ମୋଟ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏ ମଧ୍ୟରୁ ରୋବୋଟିକ୍ ଫିଜିଓଥେରାପି ୟୁନିଟ୍ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଏବଂ ଆଡଭାନ୍ସଡ ପ୍ରୋସ୍ଥେଟିକ୍ ବା ଅର୍ଥୋଟିକ୍ ୟୁନିଟ୍ ପାଇଁ ପ୍ରାୟ ୪.୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଆମ ସମ୍ବଲପୁର ଓ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକର ଦିବ୍ୟାଙ୍ଗ ଭାଇଭଉଣୀମାନେ ବିଶେଷ ଉପକୃତ ହେବେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ଏବଂ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।