ଉଠିଲା ରହିତାଦେଶ:ପୁନଃ ଗଠିତ ହେବ ମିଶନଶକ୍ତିର ଏସଏଚଜି ଠାରୁ ଡିଏଲଏଫ

ସମ୍ବଲପୁର: ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ଜିଲ୍ଲା ସଂଘ ପର୍ଯ୍ୟନ୍ତ ପୁନଃ ଗଠନ ପ୍ରକ୍ରିୟା ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାରି କରିଥିବା ରହିତାଦେଶକୁ ଗତ ୩ ତାରିଖ ଦିନ ଉଠାଇ ଦେବାପରେ ଏହାର ପୁନଃ ଗଠନ ପାଇଁ ସରକାର ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ପୁନଃ ଗଠନ ନ କରିବା ପାଇଁ ଆବେଦନ କରିଥିବା ୪୬ ଟି ସଂଘ ଉପରେ ରହିତାଦେଶ ବଳବତ୍ତର ରହିବ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ବିଜେଡି ସରକାର ମହିଳାଙ୍କୁ ସଶକ୍ତି କରିବାର ଲକ୍ଷ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଏହାରି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ। ମାତ୍ର ଏହି ଗୋଷ୍ଠୀ ଗୁଡ଼ିକୁ ନିଜର ଭୋଟ ବ୍ୟାଙ୍କ କରିବା ପାଇଁ ଏମାନଙ୍କର ସବୁ ବେଆଇନ କାମକୁ ଆଖି ବୁଜି ଦେଇ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ ଫଳରେ ଏହାର ଫାଇଦା ଉଠାଇ ଦୁଇ ବର୍ଷରେ ଥରେ ଏସଏଚଜି ଠାରୁ ଆରମ୍ଭ କରି ଡିଏଲଏଫ ପର୍ଯ୍ୟନ୍ତ ସମସ୍ତଙ୍କର ପୁନଃ ଗଠନ ହୋଇ କର୍ମକର୍ତ୍ତା ବଦଳିବାର ନିୟମ ଥିଲେ ମଧ୍ୟ ଏହାର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତା ମାନେ ଦୀର୍ଘ ବର୍ଷ ହେବ ନିଜ ପଦବୀକୁ ମାଡିବସି ସବୁ ସୁବିଧା ସୁଯୋଗ ନେଉଥିଲେ। ମାତ୍ର ରାଜ୍ୟରେ ନୂଆଁ ସରକାର ଆସିବା ପରେ ଓ କର୍ମକର୍ତ୍ତା ପରିବର୍ତ୍ତନ ପାଇଁ ଏସଏଚଜି ସଦସ୍ୟା ମାନେ ସାରା ରାଜ୍ୟରେ ଆନ୍ଦୋଳନ କରିବା ପରେ ସରକାର ନୂତନ କର୍ମକର୍ତ୍ତା ଚୟନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଗତ ୨୦୨୫ ଜାନୁଆରୀ ମାସ ୨୨ ତାରିଖରେ ଏବାବଦରେ ଚିଠି କରିଥିଲେ। ମାତ୍ର ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ୪୬ ଟି ମିଶନଶକ୍ତି ସଂଘ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଠାରେ ରିଟ ପିଟିସନ ଦାଖଲ ହେବାରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହାକୁ ଡ଼ବ୍ଲୁ(ସି) ୧୦୫୯୫ / ୨୦୨୫ ରେ ବିଚାର ପାଇଁ ଗ୍ରହଣ କରି ୨୦୨୫ ଏପ୍ରିଲ ମାସରେ ଏହାର ପୁନଃ ଗଠନ ଉପରେ ରହିତାଦେଶ ଜାରି କରିଥିଲେ। ଏଣୁ ରାଜ୍ୟ ମିଶନଶକ୍ତି ବିଭାଗ ଚିଠି ନଂ ୨୯୫୧/ ୨୦.୦୪.୨୦୨୫ ରେ ଜିଲ୍ଲାପାଳ ମାନଙ୍କୁ ଏହି ପୁନଃ ଗଠନ ପକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।ତେବେ ଏହାର ଶୁଣାଣୀ କରି ଗତ ୩ ତାରିଖ ଦିନ ମାନ୍ୟବର ହାଇକୋର୍ଟ ତାଙ୍କର ୩/ ୦୩.୦୯.୨୦୨୫ ର ନିର୍ଦ୍ଦେଶରେ ପୁନଃ ଗଠନ ନ କରିବା ପାଇଁ ଆବେଦନ କରିଥିବା ୪୬ ଟି ସଂଘକୁ ବାଦ ଦେଇ ଅନ୍ୟ ସମସ୍ତ ସଂଘର ଇସି ମେମ୍ବର ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ଏସଏଚଜି ଠାରୁ ଆରମ୍ଭ କରି ଜିଲ୍ଲା ସଂଘ ପର୍ଯ୍ୟନ୍ତ ମିଶନଶକ୍ତିର ସମସ୍ତ ସଂଘର ନିର୍ବାଚନ କରିବା ପାଇଁ ବାଟ ଫିଟିଛି। ଉଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ କମିଶନର ଓ ସେକ୍ରେଟାରୀ ଶାଲିନି ପଣ୍ଡିତ ସମସ୍ତ ଜିଲ୍ଲାପାଳଙ୍କୁ ତାଙ୍କର ଚିଠି ନଂ୫୨୨୯/୦୪.୦୯.୨୦୨୫ ରେ ଇସି ନିର୍ବାଚନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇ ଏଥିପାଇଁ ନିର୍ଦ୍ଧାରିତ ସମୟସୀମା ଧାର୍ଯ୍ୟ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ, ସ୍ଵଂୟ ସହାୟକ ଗୋଷ୍ଠୀର ଇ: ସି ନିର୍ବାଚନ ଏହି ମାସ ୮ ତାରିଖରୁ ଆରମ୍ଭ ହୋଇ ଏହି ମାସ ୧୬ ତାରିଖ ମଧ୍ୟରେ ସରିବ, ସେହିପରି ସିଏଲଏଫ ନିର୍ବାଚନ ଏହି ମାସ ୯ ତାରିଖ ଆରମ୍ଭ ହୋଇ ୨୬ ତାରିଖ ମଧ୍ୟରେ ସରିବ,ଜିପିଏଲଏଫର ନିର୍ବାଚନ ଅକ୍ଟୋବର ମାସ ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ସରିବ,ବିଏଲଏଫର ନିର୍ବାଚନ ଅକ୍ଟୋବର ମାସ ୧୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ସରିବ ଏବଂ ଡିଏଲଏଫର ନିର୍ବାଚନ ୧୭ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ସରିବ।ସରକାରଙ୍କ ଏହି ନିର୍ଦ୍ଦେଶ ପରେ ନିଜର ହକ ପାଇଁ ଲଢେଇ କରୁଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।