Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାଁ କୁ ଇକୋ ଟୁରିଜମ:ଦେବଝରଣ ଜଳ ପ୍ରପାତର ହଜୁଛି ସତ୍ତା

ଦେବଝରଣ ମହୋତ୍ସବ ପାଇଁ ଅଣ୍ଟା ଭିଡ଼ିଲା ମଞ୍ଚ
ସମ୍ବଲପୁର:ପର୍ଯ୍ୟଟନ ର ବିକାଶ ସରକାରଙ୍କ ଏଜେଣ୍ଡା। କିନ୍ତୁ ଜୁଯୁମୁରା ବ୍ଲକ ଦେବଝରଣ ଜଳପ୍ରପାତ ଆଜି ହରାଉଛି ନିଜର ସତ୍ତା। ନାଁ କୁ ଇକୋ ଟୁରିଜମ, କିନ୍ତୁ ନାହିଁ ନାହିଁ ର ସମସ୍ୟା ଭିତରେ ଛନ୍ଦି ହୋଇପଡିଛି ଏହି ଜଳପ୍ରପାତ। ହଜିଯାଇଛି ରାସ୍ତା, ଜବରଦଖରେ ଜଳପ୍ରପାତ। ତେବେବି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁନି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଥିବା ଏହି ପର୍ଯ୍ୟଟନ କ୍ଷେତ୍ର ପ୍ରତି।କୁଢ଼ କୁଢ଼ ଆବର୍ଜନା ଓ ବର୍ଜ୍ୟବସ୍ତୁ ରେ ନଷ୍ଟ ହେଉଛି ପରିଵେଶ। ଏଭଳି ଅନେକ ଚିନ୍ତା ଘାରିଛି ବୁଦ୍ଧିଜୀବୀ ମହଲରେ।

ରବିବାର ଦେବଝରଣ ବିକାଶ ମଞ୍ଚ ତରଫରୁ ବାର୍ଷିକ ସାଧାରଣ ସଭାରେ ଦେବଝରଣ ର ବିକାଶ ସମ୍ବନ୍ଧରେ ଏକ ଆଲୋଚନାଚକ୍ର, ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅବସରରେ ନାହିଁ ନାହିଁର ସମସ୍ୟା କୁ ନେଇ ଉପସ୍ଥିତ ନେତା ଜନତାଙ୍କ ମଧ୍ୟରେ ଅସନ୍ତୋଷ ର ବହ୍ନି ଜଳିଛି। ବିକାଶ ମଞ୍ଚ ର ଆବାହକ ଅରୁଣ ଦେହୁରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ସଦସ୍ୟ ଆଇନଜୀବୀ ସଞ୍ଜୟ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ରେଢ଼ାଖୋଲ ବ୍ଲକ ଅଧକ୍ଷ ପ୍ରଦୀପ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ଶିବରାମ ସାହୁ, ଜୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଦା, ଜୁଯୁମୁରା ପୂର୍ବତନ ବ୍ଲକ ଅଧକ୍ଷ ଅଶ୍ୱିନୀ କୁମୁରା, ବୁରଡ଼ା ସରପଞ୍ଚ ରାଜା ପାଳ, ସଦର ବନାଞ୍ଚଳ ଅଧିକାରୀ ହରିଶଙ୍କର ନାୟକ, ଜୁଯୁମୁରା ପଞ୍ଚାୟତ ସମିତି ଉପାଧ୍ୟାକ୍ଷା ମନ୍ଦାକିନୀ ବିଶ୍ୱାଳ, ବିଶିଷ୍ଟ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଦେବଝରଣ ବିକାଶକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆଜକୁ ଏକ ଦଶନ୍ଧି ରୁ ଉର୍ଦ୍ଧ୍ୱ ସମୟ ହେବ ବିକାଶ ମଞ୍ଚ ଗଠନ କରି ଦେବଝରଣ ର ବିକାଶ ପ୍ରତି ପ୍ରଚେଷ୍ଟା ଜାରି ରହିଛି। ଦିନେ ଦେବଝରଣ କୁ ଲୋକେ ଜାଣିନଥିବା ବେଳେ ଆଜି ପର୍ଯ୍ୟଟନ ମାନଚିତ୍ର ରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଛି।

ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମନ୍ଦାକିନୀ ବିଶ୍ୱାଳ ଜଳ ପ୍ରପାତ ରେ ପର୍ଯ୍ୟଟକ ବୁଡି ପ୍ରାଣହରାଉଛନ୍ତି ଏଣୁ ଏହା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ। ଏହାର ପ୍ରଚାର ପ୍ରସାର ବୃଦ୍ଧି କରିବା ସହ ସଫାସୁତରା, ବିକାଶ, ପାରିପାର୍ଶ୍ୱ ର ଉନ୍ନତି, ଜଳ ପ୍ରପାତ ନିକଟରେ ସୁରକ୍ଷା ବାଡ଼ ଉପରେ ମତ ରଖିଥିଲେ ବୁରଡ଼ା ସରପଞ୍ଚ ରାଜା ପାଲ ଓ ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଧା। ବଣଭୋଜୀ ସ୍ଥଳ ରେ ଆବର୍ଜନା ପଡି ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏନଏସି ଅଧକ୍ଷ ଶିବରାମ ସାହୁ। ଆବର୍ଜନା ପକାଇବା ପାଇଁ କୋଡିଏ ଟି ଆବର୍ଜନା କୁଣ୍ଡ ନିଜସ୍ୱ ଅର୍ଥ ରୁ ପ୍ରଦାନ କରିବା ସହ ଏକତ୍ରିତ ହୋଇ ବିକାଶ କରିବା ବୋଲି ପ୍ରକାଶ କରିଥିଲେ। ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ରାଜନୀତି ରୁ ଉର୍ଦ୍ଧ୍ୱରେ ରହି ଏହାର ପ୍ରଚାର ପ୍ରସାର କୁ ଗୁରୁତ୍ୱ ଦେଇ ଉନ୍ନତି ପାଇଁ ଅବଶ୍ୟକ ପଡିଲେ ସାଂସଦ, ବିଧାୟକ ଓ ଜଙ୍ଗଲ ମନ୍ତ୍ରୀ ଙ୍କୁ ଭେଟିବା। ଆଗାମୀ ଦିନରେ ଦେବଝରଣ ମହୋତ୍ସବ ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି। ବିଶିଷ୍ଟ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ଦେବଝରଣ ବିକାଶ ପାଇଁ ପ୍ରଥମେ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ତିଆରି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।। ସମସ୍ତେ ଏକତ୍ରିତ ହୋଇ ଦେବଝରଣ ର ବିକାଶ ପାଇଁ କାମ କରିବାକୁ ଅନ୍ୟ ଅତିଥି ମାନେ ମତଦେଇଥିଲେ। ସର୍ବ ସମ୍ମତିକ୍ରମେ ଦେବଝରଣ ର ପରିଷ୍କାର ପରିଚ୍ଛନ୍ନତା, ଶୌଚାଳୟ, ରାସ୍ତା,ସୁରକ୍ଷା ଓ ନିରାପତ୍ତା ଓ ପ୍ରଶାସନ ର ଦୃଷ୍ଟି ଗୋଚର ପାଇଁ ବୈଠକ ରେ ନିଷ୍ପତ୍ତି ନିଆଗଲା। ଷଡାନନ ପ୍ରଧାନ, ଅବନୀ କୁମୁରା, ଦୀପକ ବିଶ୍ୱାଳ, ଦୀପକ ପ୍ରଧାନ, ସଞ୍ଜୟ ବିଶ୍ୱାଳ, ପ୍ରଦୀପ ପ୍ରଧାନ, ଜୟନ୍ତ ପ୍ରଧାନ, ରାଜା ପାଳ, ଶିବରାମ ସାହୁ, ସୁଭାଶିଷ ପାଢ଼ୀ ପ୍ରଭୃତି ଙ୍କୁ ନେଇ ଏକ ଉପାଦେଷ୍ଟା କମିଟି ଗଠନ କରାଯାଇଛି। ବୈଠକ ପରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ସଭାପତି ବିରେନ ଭୋଇ ଓ ସମ୍ପାଦକ ଗୌତମ ପ୍ରଧାନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା।