ପାଞ୍ଚ ବର୍ଷରେ ପଶ୍ଚିମ ଓଡ଼ିଶାରେ ୪.୫ ଲକ୍ଷରୁ ଅଧିକ ନୂତନ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିଛି ଟିପିଡବ୍ଲୁଓଡିଏଲ୍

ସମ୍ବଲପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ବିଗତ ପାଞ୍ଚ ବର୍ଷ ମଧ୍ୟରେ ୪.୫ ଲକ୍ଷରୁ ଅଧିକ ନୂତନ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରି ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣର ଦୃଶ୍ୟପଟକୁ ପରିବର୍ତ୍ତନ କରିପାରିଛି । ଏହି ସଫଳତା ସମଗ୍ର ଅଞ୍ଚଳରେ ଘରୋଇ, କୃଷି, ବ୍ୟବସାୟ, ଶିଳ୍ପ ଏବଂ ବିଭିନ୍ନ ପ୍ରତିଷ୍ଠାନମାନଙ୍କ ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି, ଯାହା ଅଞ୍ଚଳର ଅଭିବୃଦ୍ଧି ତଥା ସ୍ଥାୟୀ ବିକାଶ ପ୍ରତି ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।
ଗତ ଜାନୁଆରୀ ୨୦୨୧ ରୁ ଅଗଷ୍ଟ ୨୦୨୫ ମଧ୍ୟରେ, ଟିପିଡବ୍ଲୁଓଡିଏଲ୍ ଘରୋଇ, ବାଣିଜ୍ୟିକ, ଶିଳ୍ପ, କୃଷି ଏବଂ ଅନ୍ୟାନ୍ୟ ବର୍ଗ ଯଥା- ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ହସ୍ପିଟାଲ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଇତ୍ୟାଦିରେ ଗ୍ରାହକମାନଙ୍କୁ ନୂତନ ସଂଯୋଗ ପ୍ରଦାନ କରାଯାଇଅଛି । ଘରୋଇ ଗ୍ରାହକମାନେ ସର୍ବାଧିକ ଲାଭାର୍ଥୀ ଭାବେ ୩ ଲକ୍ଷରୁ ଅଧିକ ପରିବାରକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି, ଯାହା ସହର ଏବଂ ଗ୍ରାମାଞ୍ଚଳ ପରିବାର ପାଇଁ ଆଲୋକ ଏବଂ ପ୍ରଗତି ଆଣିଛି । ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଲାଭବାନ ହୋଇଛନ୍ତି । ସହର ଏବଂ ଗ୍ରାମାଞ୍ଚଳରେ ପ୍ରାୟ ୫୦,୦୦୦ରୁ ଅଧିକ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି ।
ସେହିପରି କୃଷି କ୍ଷେତ୍ରରେ ନୂତନ ଭାବେ ପ୍ରାୟ ୬୫,୦୦୦ରୁ ଅଧିକ କୃଷକଙ୍କୁ ଟିପିଡବ୍ଲୁଓଡିଏଲର ବିଦ୍ୟୁତ୍ ବିତରଣ ନେଟୱାର୍କରେ ଯୋଡ଼ା ଯାଇଛି । ଯାହାଫଳରେ ଜଳସେଚନ ଏବଂ ଆନୁଷଙ୍ଗିକ ଆବଶ୍ୟକତା ପାଇଁ ସମୟାନୁବର୍ତ୍ତୀ ଭାବରେ ବିଦ୍ୟୁତ୍ ସେବା ପହଞ୍ଚା ଯାଇ ପଶ୍ଚିମ ଓଡ଼ିଶାର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପରିଛି । ସେହିପରି ୪,୦୦୦ରୁ ଅଧିକ ନୂତନ ସଂଯୋଗ ସହ ପଶ୍ଚିମ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହନ ମିଳିଛି, ଯାହା ଆଞ୍ଚଳିକ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିଛି । ଏହା ସହିତ ସରକାରୀ ପ୍ରତିଷ୍ଠାନ ଏବଂ ସ୍କୁଲ, ହସ୍ପିଟାଲ ଏବଂ କଲେଜ ଭଳି ସାର୍ବଜନୀନ ସେବା ସୁବିଧାଗୁଡ଼ିକୁ ୩୧,୦୦୦ରୁ ଅଧିକ ନୂତନ ସଂଯୋଗ ପ୍ରଦାନ କରାଯାଇଛି, ଯାହା ଅତ୍ୟାବଶ୍ୟକ ସେବା ଏବଂ ସାମାଜିକ ଭିତ୍ତିଭୂମିକୁ ସମର୍ଥନ କରିବାରେ ଟିପିଡବ୍ଲୁଓଡିଏଲର ଭୂମିକାକୁ ରେଖାଙ୍କିତ କରେ ।
ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ନୂତନ ସଂଯୋଗ ପାଇଁ ଆବେଦନ କରିବାର ପ୍ରକ୍ରିୟା ବହୁତ ସରଳ ଏବଂ ଗ୍ରାହକ-ଅନୁକୂଳ ହୋଇଛି । ନୂତନ ବିଦ୍ୟତ୍ ସଂଯୋଗ ପାଇଁ ଗ୍ରାହକମାନେ ଟିପିଡବ୍ଲୁଓଡିଏଲର ଅଫିସିଆଲ୍ ୱେବସାଇଟ୍, ମୋ ବିଦ୍ୟୁତ୍ ପୋର୍ଟାଲ ଏବଂ ଜନସେବା କେନ୍ଦ୍ରରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ସେହିପରି ଜଣେ ଗ୍ରାହକ ଟିପିଡବ୍ଲୁଓଡିଏଲର ନିକଟସ୍ଥ ସେକ୍ସନ କାର୍ଯ୍ୟାଳୟ କିମ୍ବା ଯେକୈଣସି ଗ୍ରାହକ ସେବା କେନ୍ଦ୍ରକୁ ଯାଇ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିପାରିବେ । ତେବେ ଗ୍ରାହକଙ୍କ ଆବେଦନ ପରେ ନୂତନ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ କମ୍ପାନୀ ପକ୍ଷରୁ ନିଆଯାଉଥିବା ସମୟରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଛି । ଯାହା ପଶ୍ଚିମ ଓଡ଼ିଶାରେ ଘରୋଇ, ବ୍ୟବସାୟ ଏବଂ ଫାର୍ମ ଗୁଡ଼ିକ ପାଇଁ ଦ୍ରୁତ ବିଦ୍ୟୁତୀକରଣକୁ ସକ୍ଷମ କରିଛି ।
ଏହି ମାଇଲଖୁଣ୍ଟ ବିଷୟରେ ବର୍ଣ୍ଣନା କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି: “ପ୍ରତ୍ୟେକ ଗ୍ରାହକ ବର୍ଗକୁ ସ୍ୱଚ୍ଛ ଏବଂ ସୁବିଧାଜନକ ଭାବେ ବିଦ୍ୟୁତ୍ ସଂଯୋଗ ଯୋଗାଇବା ଦେବା ଟିପିଡବ୍ଲୁଓଡିଏଲର ପ୍ରଥମ ଲକ୍ଷ୍ୟ ରହିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ନୂତନ ବିଦ୍ୟୁତ୍ ସଂଯୋଗର ପ୍ରକ୍ରିୟାକୁ ଅତ୍ୟନ୍ତ ସରଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛୁ । ଆଜି, ଗ୍ରାହକମାନେ ବହୁବିଧ ଚ୍ୟାନେଲ ମାଧ୍ୟମରେ ଅଧିକ ସହଜରେ ଆବେଦନ କରିପାରିବେ, ଏବଂ ଆମର ଉନ୍ନତ କାର୍ଯ୍ୟକାଳ ଏବଂ ଉନ୍ନତ ସେବା ସହିତ, ଆମେ ପୂର୍ବ ଅପେକ୍ଷା ବିଦ୍ୟୁତ୍ ସଂଯୋଗକୁ ଦ୍ରୁତ, ସୁଗମ ଏବଂ ଅଧିକ ଗ୍ରାହକ-ଅନୁକୂଳ କରୁଛୁ । ଏହି ସଫଳତା ଘରୋଇ, ଚାଷୀ, ଶିଳ୍ପ ଏବଂ ବ୍ୟବସାୟ ସଂସ୍ଥାଗୁଡ଼ିକୁ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଦ୍ୟୁତ୍ ସେବା ଯୋଗାଇ ଦେଇପାରୁଛି ।”
ପ୍ରକାଶଥାଉ କି, ଟିପିଡବ୍ଲୁଓଡିଏଲର ତାର ବିତରଣ ନେଟୱାର୍କକୁ ବିସ୍ତାର କରିବା, ବିଦ୍ୟୁତ୍ ଭିତ୍ତିଭୂମିକୁ ମଜବୁତ କରିବା ସହ ଡିଜିଟାଲ୍ ସେବାଗୁଡ଼ିକୁ ବୃଦ୍ଧି କରିବା ଜାରି ରଖିଛି । ଯାହା ଦ୍ୱାରା ଗ୍ରାହକମାନଙ୍କ ପାଇଁ ଦ୍ରୁତ ବିଦ୍ୟୁତ୍ ସେବା ଏବଂ ଅଧିକ ସ୍ୱଚ୍ଛ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ ।