କର୍ଣ୍ଣାଟକ ପରେ ଏବେ ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଜିତିବା ପାଇଁ କଂଗ୍ରେସର ପ୍ରସ୍ତୁତି, ଜାଣନ୍ତୁ କଣ ରହିଛି ଯୋଜନା


ନୂଆଦିଲ୍ଲୀ: କୌଣସି ବି ନିର୍ବାଚନ ସମାନ ନଥାଏ। ଏହାର ସ୍ଥାନୀୟ ସମୀକରଣ, ତୃଣମୂଳ ସ୍ଥିତି ଏବଂ ନେତା ଅଲଗା ଅଲଗା ରହିଥାନ୍ତି। ତେଣୁ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ପ୍ରସଙ୍ଗ ରହିଥାଏ ଯାହା ଅନୁସାରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିଥାଏ। କର୍ଣ୍ଣାଟକ ବିଧାନସବା ନିର୍ବାଚନ ଜିତିବା ପରେ କଂଗ୍ରେସ ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନକୁ ନେଇ ଅଧିକ ଆଶାବାଦୀ ହୋଇ ଉଠିଛି।

କଂଗ୍ରେସର ଉତ୍ସାହକୁ ଦେଖି ବିଜେପି ମଧ୍ୟ ନିର୍ବାଚନ ଅଭିଯାନ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଲାଣି। କାରଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉପରୋକ୍ତ ୩ ରାଜ୍ୟର ନିର୍ବାଚନକୁ ସେମି ଫାଇନାଲ୍ ରୂପେ ବିବେଚନା କରାଯାଉଛି। ବିଧାନସଭା ନିର୍ବାଚନ ଲେକାସଭା ନିର୍ବାଚନଠୁ ସଂପୂର୍ଣ୍ଣ ଅଲଗା ରହିଥାଏ। କିନ୍ତୁ ବିଜେପିକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକୁ ଅଧିକରୁ ଅଧିକ ରାଜ୍ୟ ଜିତିବା ଗୁରୁତ୍ଵପୂର୍ଣ୍ଣ। ଏମିତିରେ ରାଜ୍ୟ ବିଜୟରେ ରାଜ୍ୟସଭାରେ ବିରୋଧୀଙ୍କ ପକ୍ଷ ମଧ୍ୟ ମଜବୁତ ହୋଇ ପାରିବ।

ଆଗାମୀ ୩ ରାଜ୍ୟର ନିର୍ବାଚନକୁ ନେଇ କଂଗ୍ରେସର କହିବା କଥା ଅତି କମରେ ୨ଟି ରାଜ୍ୟ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ଦଳ ଉନ୍ନତ ସ୍ଥିତିରେ ରହିଛି। କର୍ଣ୍ଣାଟକ ଜିତିବା ପରେ କଂଗ୍ରେସ ଆଶା ରଖିଛି ଯେ, ଏହା ନିକଟରେ ଥିବା ରୋଡମ୍ୟାପକୁ ଦଳ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ଦୋହରାଇ ପାରିବ। କର୍ଣ୍ଣାଟକରେ ଆପଣା ଯାଇଥିବା ରଣନୀତିକୁ କଂଗ୍ରେସ ଏହି ଦୁଇଟି ରାଜ୍ୟରେ ପ୍ରୟୋଗ କରିପାରେ। ଏହାରି ଆଧାରରେ ନିର୍ବାଚନର କିଛି ମାସ ପୂର୍ବରୁ କଲ୍ୟାଣକାରୀ ଏବଂ ଲୋଭନୀୟ ଯୋଜନା ଘୋଷଣା କରାଯାଇପାରେ। କର୍ଣ୍ଣାଟକ ପରି କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ ମଧ୍ୟ ନିଜର ନିର୍ବାଚନୀ ଅଭିଯାନକୁ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଲଢିବାକୁ ଚାହିଁବ, ଯେଉଁଥିରେ ନରେନ୍ଦ୍ର ମୋଦୀ ଫ୍ୟାକ୍ଟର ରାଜ୍ୟରେ ସଫଳ ହୋଇ ପାରିବ ନାହିଁ।

ମଧ୍ୟପ୍ରଦେଶକୁ ନେଇ କଣ ରହିଛି ଯୋଜନା ?
ମଧ୍ୟ ପ୍ରଦେଶ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କୌଣସି ପ୍ରକାରର ଦ୍ଵନ୍ଦ୍ଵାତ୍ମକ ସ୍ଥିତି ନାହିଁ। କମଲନାଥଙ୍କ ପରି ନା କୌଣସି ପ୍ରତିଦ୍ଵନ୍ଦ୍ଵୀ ଅଛନ୍ତି ନା ଚେହେରା ଅଛନ୍ତି। କମଲନାଥଙ୍କ ମାର୍ଗରେ ଏକମାତ୍ର ବାଧା ଜ୍ୟୋତିରାଦିତ୍ୟ ସିନ୍ଧିଆ ଥିଲେ, ଯିଏ ବର୍ତ୍ତମାନ ପାର୍ଟିରେ ନାହାନ୍ତି। ତେଣୁ ଅନେକ ବର୍ଷ ପରେ ରାଜ୍ୟରେ କଂଗ୍ରେସରେ ଜଣେ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ଚେହେରା ଅଛନ୍ତି।

ରାଜ୍ୟ ସଭାପତି କମଲନାଥ ଲଗାତାର ମଧ୍ୟ ପ୍ରଦେଶ ଗସ୍ତ କରୁଛନ୍ତି। ଶିବରାଜ ସିଂ ଚୌହାନଙ୍କ ସରକାର ବିରୋଧରେ ମାହୋଲ ତିଆରି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେ ଦୀର୍ଘ ସମୟ ଧରି ସ୍ଥାନୀୟ ପ୍ରସଙ୍ଗ ଉପରେ ଗୁରୁତ୍ଵାରୋପ କରୁଛନ୍ତି। କଂଗ୍ରେସ କର୍ଣ୍ଣାଟକରେ ଯେଉଁ ଅଭିଯାନ ଚଳାଇଥିଲା, ଠିକ୍ ସେମିତି ଅଭିଯାନ ମଧ୍ୟ ପ୍ରଦେଶରେ ଚଲାଇପାରେ।
ହିମାଚଳ ଏବଂ କର୍ଣ୍ଣାଟକ ପରି କଂଗ୍ରେସ ମଧ୍ୟ ପ୍ରଦେଶରେ ମଧ୍ୟ ନିର୍ବାଚନ ପୂର୍ବରୁ ଲୋଭନୀୟ ଘୋଷଣା ଆରମ୍ଭ କରି ସାରିଛି। କଂଗ୍ରେସ କ୍ଷମତାକୁ ଆସିଲେ ନାରୀ ସମ୍ମାନ ଯୋଜନା ଆଧାରରେ ଯୁବତୀମାନଙ୍କୁ ୧୫୦୦ ଟଙ୍କା ଏବଂ ମହିଳାଙ୍କୁ ୫୦୦ ଟଙ୍କାରେ ଘରୋଇ ସିଲିଣ୍ଡର ଦେବାକୁ ଦଳ ପ୍ରତିଶ୍ରୁତି ଦେଇଛି।

ମଧ୍ୟ ପ୍ରଦେଶରେ ହିନ୍ଦୁତ୍ଵ ପ୍ରସଙ୍ଗର ବହୁତ ପ୍ରଭାବ ରହିଛି। କମଲନାଥ ନିଜର ଆସ୍ଥା ପ୍ରକଟ କରିବାରେ ସଙ୍କୋଚ କରୁ ନାହାନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟଲାଭ କରିଥିଲା। ସେହି ସମୟରେ ନିଜର ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ‘ରାମ ବନ ଗମନ ପଥ’ ବିକଶିତ କରିବାକୁ ପ୍ରତିଶ୍ରୁତି ଦେଇଥିଲା। କ୍ଷମତାକୁ ଆସିବା ପରେ କଂଗ୍ରେସ ପ୍ରତି ପଞ୍ଚାୟତରେ ଗୋଶାଳାର ନିର୍ମାଣ ଏବଂ ଗୋମୂତ୍ରର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଥିଲା।

ଛତିଶଗଡ଼ରେ କଣ ରହିଛି ପ୍ଲାନ ?
ଛତିଶଗଡ଼ର ସବୁଠୁ ବଡ଼ ନେତା ହେଉଛନ୍ତି ଭୂପେଶ ବଘେଲ। ଟିଏସ ସିଂହ ଦେବ ବଘେଲଙ୍କ ବିରୋଧରେ ସ୍ଵର ଉଠାଇ ପାରନ୍ତି। କିନ୍ତୁ ପାର୍ଟି କଦାପି ବଘେଲଙ୍କୁ ପଦରୁ ହଟାଇବ ନାହିଁ। ବଘେଲ ରାଜ୍ୟରେ ଅନେକ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ସେ ହିନ୍ଦୁତ୍ଵ ପ୍ରସଙ୍ଗ ମଧ୍ୟ ଉଠାଉଛନ୍ତି। ସେ ସର୍ବଦା ହିନ୍ଦୁ ଉତ୍ସବ ପାଳନ କରିବାରେ କଦାପି ହେଳା କରନ୍ତି ନାହିଁ। ୨୦୨୧ରେ ମୁଖ୍ୟମନ୍ତ୍ରୀ ବଘେଲ ରାମ ବନ ଗମନ ପର‌୍ୟ୍ୟଟନ ପରିପଥ ପ୍ରକଳ୍ପ ଆରମ୍ଭ କରିଥିଲେ। ଏପରିକି ଛତିଶଗଡ଼ ସରକାର ସମଗ୍ର ରାଜ୍ୟରେ ଶ୍ରୀରାମଙ୍କ ୮ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିର୍ଣ୍ଣୟ ନେଇଛନ୍ତି। ଏହା ସବୁ ବଘେଲଙ୍କ ରଣନୀତିର ପ୍ରମୁଖ ଅଂଶ। ଏହାକୁ ପାଥେୟ କରି ଦଳ ଛତିଶଗଡ଼ର ନିର୍ବାଚନୀ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛି।

ରାଜସ୍ଥାନ ପାଇଁ କଣ ରହିଛି ଯୋଜନା ?
ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ବୀପରିତ ସ୍ଥିତି ରାଜସ୍ଥାନରେ ରହିଛି। ଏଠାରେ କଂଗ୍ରେସ ଦୁଇଟି ଗୋଷ୍ଠୀରେ ବିଭାଜନ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ଏବଂ ତିକ୍ତତା ଥମିବାର ନାଁ ନେଉ ନାହିଁ। ସୋମବାର ପାଇଲଟଙ୍କ ଅଲଟିମେଟ୍ ଘୋଷଣା ପରେ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଆହୁରି ନିମ୍ନସ୍ତରକୁ ଚାଲି ଯାଇଛି। ଏହା ପାର୍ଟି ହାଇକମାଣ୍ଡଙ୍କ ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି।

ତେବେ ଗେହଲଟ୍ ନିଜର ଶେଷ ବଜେଟରେ ଅନେକ କଲ୍ୟାଣକାରୀ ଯୋଜନାର ଘୋଷଣା କରିଥିଲେ। ଏଥିରେ ପାଖାପାଖି ୭୫ ଲକ୍ଷ ପରିବାରକୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦେବା, ରାଜ୍ୟରେ ୧.୧୯ କୋଟି ଉପଭୋକ୍ତାଙ୍କ ମଧ୍ୟରୁ ୪ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ପ୍ରତି ମାସରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା, ପ୍ରାୟ ୧ କୋଟି ପରିବାରକୁ ମାଗଣା ଭୋଜନ ପ୍ୟାକେଟ୍ ଏବଂ ଚିରଞ୍ଜିବୀ ସ୍ଵାସ୍ଥ୍ୟ ଯୋଜନା ଆଧାରରେ ବୀମା କଭରକୁ ପ୍ରତି ପରିବାର ପିଛା ୧୦ ଲକ୍ଷ ଟଙ୍କାରୁ ବଢାଇ ୨୫ ଲକ୍ଷ ଟଙ୍କା କରିବା ଆଦି ସାମିଲ୍। ଦଳ ଏହି ଲୋଭନୀୟ ଯୋଜନାକୁ ନିର୍ବାଚନରେ ମୂଳ ଅସ୍ତ୍ର କରିପାରେ।