କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ ଦାବୀ ପୂରଣରେ ଅବହେଳା, କାର୍ଯ୍ୟରେ ଆସୁନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅକ୍ଟୋବର ୧୪ରେ ସଂଘ ପକ୍ଷରୁ ବିଶାଳ ସମାବେଶ ଓ ଧାରଣା ଚେତାବନୀ
ସମ୍ବଲପୁର:ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଓ ଡିଭିଜନ ସ୍ତରୀୟ କର୍ମକର୍ତ୍ତା ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁତ୍ବପୂର୍ଣ୍ଣ ବୈଠକର କେନ୍ଦୁପତ୍ର ତୋଳାଳୀ,ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ତଥା ଦାବୀର ବହୁ ଆବେଦନ ନିବେଦନ ଓ ସ୍ମାରକ ପତ୍ର ପ୍ରଦାନ ଏବଂ ବିଭିନ୍ନ ସ୍ତରରେ ଓ ଉଚ୍ଚ ସ୍ତରରେ ଏପରିକି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଆଲୋଚନା ହୋଇ ସମାଧାନ ହୋଇପାରି ନ ଥିବାରୁ ଉକ୍ତ ବୈଠକରେ ଘୋର ଉଦବେଗ ପ୍ରକାଶ କରାଯାଇଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁରରେ ଜନ ଅଭିଯୋଗ ଶୁଣାଣୀ ଏବଂ ପୁନରାୟ ତାଙ୍କୁ ସଂଘର ମଇ ୨୬ ତାରିଖରେ ୧୭୮ ନମ୍ବର ସ୍ମାରକ ପତ୍ର ଦେବା ପରେ ମୁଖ୍ୟମନ୍ତ୍ରୀ ସଂଘର ଦାବୀ ସମୂହକୁ ଅନୁଧ୍ୟାନ କରି ଶୀଘ୍ର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ସଂଖ୍ୟା ୪୯୩୨/ ସି.ଏମ.-ll ଚିଠିରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଇତି ମଧ୍ୟରେ ୪ମାସ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଦାବୀ ପୂରଣରେ ଅହେତୁକ ବିଳମ୍ବ ଓ ଅବହେଳା କରାଯାଉଛି ।
ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ଜୁନ ୩ ତାରିଖରେ ଦେବଗଡରେ ଏକ ସମାବେଶରେ ତୋଳାଳୀ ମାନଙ୍କୁ ବିଭିନ୍ନ ସାମାଜିକ ନିରାପତ୍ତା ପାଇଁ ଟ. ୪୬୦ /- ଓ ବନ୍ଧେଇ ଶ୍ରମିକ ମାନଙ୍କୁ କମ୍ବଳ ଓ ମଶାରୀ ପାଇଁ ଟ. ୭୦୦ /- ସହାୟତା ଘୋଷଣା କରିଥିଲେ । ଏହା ଅତି ବିସ୍ମୟ ଓ କ୍ଷୋଭର ବିଷୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦୀର୍ଘ ୪ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ।
ସେହିପରି ଗତ ୨୦୨୪ ମସିହା ଜୁଲାଇ ୧୮ ତାରିଖରେ ନୂତନ ସର୍ବନିମ୍ନ ମଜୁରୀ ସରକାର ଘୋଷଣା କରିଥିଲେ ମଧ୍ୟ ବର୍ଦ୍ଧିତ ହାରରେ ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ଏକ ବର୍ଷ ୩ ମାସ ହେବାକୁ ଯାଉଛି ଯାହାର ସଂଶୋଧନ ହେଲା ନାହିଁ କିମ୍ବା ବୃଦ୍ଧି ହେଲା ନାହିଁ । ଏଥିଯୋଗୁଁ ୧୭/୧୮ ହଜାର ସିଜିନାଲ କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇ ଅତି କଷ୍ଟରେ କାର୍ଯ୍ୟ ନିର୍ବାହ କରୁଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନଙ୍କ ୨ ଟି କନ୍ୟାର ବିବାହ ପାଇଁ ୨୫୦୦୦ ଟଙ୍କା ସାମାଜିକ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା ଏବଂ ବର୍ତ୍ତମାନର ସରକାର ତାହାର କାର୍ଯ୍ୟାରମ୍ଭ କରି ପ୍ରଚାର ପୁସ୍ତିକା ଏବଂ ପ୍ରାଚୀର ପତ୍ର ମଧ୍ୟରେ ମୁଦ୍ରିତ କରି ବଣ୍ଟନ କରିଥିଲେ । କିନ୍ତୁ ଏକ ଉଚ୍ଚ ସ୍ତରୀୟ ଅଧିକାରୀମାନେ ଏହାକୁ ଉଚ୍ଛେଦ କରିଦେଲେ ଏବଂ ସରକାର ଏପରି ଏକ ସାମାଜିକ ନବ କଲ୍ୟାଣ କାରୀ ସହାୟତା କଟି ଯିବାର ନିରବ ରହିବା ପରିତାପର ବିଷୟ । ଆଉ ଏକ ଦୁଃଖ ଦାୟକ ଘଟଣା ହେଲା ବିଧାନ ସଭାରେ ବଜେଟ୍ ମଞ୍ଜୁରୀ ଅର୍ଥ ଯାହାକି କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ ପାଇଁ ୧୦୦ କୋଟି ଟଙ୍କା ପ୍ରାବଧାନ ଥିଲା । ସେଥିରୁ ମଧ୍ୟ ୫୦ କୋଟି ଟଙ୍କା କାଟି ଦିଆଗଲା । ଯାହା ଫଳରେ ସାମାଜିକ ନିରାପତ୍ତା ମୂଳକ ସହାୟତା ହ୍ରାସ ପାଇଲା । ଚଳିତ ବର୍ଷର ବଜେଟରେ ପ୍ରାବଧାନ ଥିବା ସେହିପରି ୧୨୦ କୋଟି ଟଙ୍କା ଏପର୍ଯ୍ୟନ୍ତ କେନ୍ଦୁପତ୍ର ସଂସ୍ଥାକୁ ହସ୍ତାନ୍ତର ହୋଇନାହିଁ । କେ.ଏଲ. ଡି.ବି. ରେ ମଧ୍ୟ ପ୍ରତିନିଧି ମନମୁଖୀ ଭାବରେ ମନୋନୀତ କରି ଏହାର ଗଠନ କରାଯାଇଛି । କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସରକାରୀ ଦଳରେ ନିର୍ବାଚନ ଇସ୍ତାହାର ଅନୁଯାୟୀ ସେମାନଙ୍କ ଚଳିତ ବର୍ଷ କେନ୍ଦୁପତ୍ର କେରି ପ୍ରତି ଦର ବୃଦ୍ଧି ହୋଇନଥିଲା ଏବଂ ବୋନସ ପରିମାଣ ମଧ୍ୟ ହ୍ରାସ କରାଯାଇଛି ।
କେନ୍ଦୁପତ୍ର ସଂସ୍ଥାରେ ଥିବା ତୋଳାଳୀ, ବନ୍ଧେଇ ଶ୍ରମିକ ଏବଂ ସିଜିନାଲ କର୍ମଚାରୀ ମାନଙ୍କ ଟ୍ରଷ୍ଟ ବୋର୍ଡ ବୈଠକ ୨ ବର୍ଷ ହେଲା ଆହ୍ଵାନ କରାଯାଇନାହିଁ । ନବରଙ୍ଗପୁର, ଜୟପୁର ଏବଂ ଝାରସୁଗୁଡା ଡିଭିଜନରେ ମୁନସୀ,ଫଡ଼ିଶାଥି ଓ ଚେକର ମାନଙ୍କର ଧାର୍ଯ୍ୟ ସମୟ ଅନୁଯାୟୀ ମାସିକ ମଜୁରୀ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି ।
ଏହି ପରିପେକ୍ଷୀରେ ସଂଘର ବାରମ୍ବାର ଦାବୀ,ସ୍ମାରକ ପତ୍ର,ଉଚ୍ଚସ୍ତରୀୟ ସାକ୍ଷାତ ଆଲୋଚନା ସ୍ଥଳେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଏଥିରେ ଅବହେଳା କରୁଥିବା ଏବଂ ସଂଘର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରୁନଥିବାରୁ କର୍ତ୍ତୃପକ୍ଷଙ୍କୁ ସ୍ମରଣ କରାଯିବାକୁ ଓ ଅସନ୍ତୋଷ ର ପରିପ୍ରକାଶ ଏବଂ ଦାବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଆଗାମୀ ଅକ୍ଟୋବର ୧୪ ତାରିଖରେ ଏହି ସଂସ୍ଥାର ସର୍ବୋଚ୍ଚ ପି.ସି.ସି.ଏଫ୍.ଙ୍କ କାର୍ଯ୍ୟାଳୟର ଅରଣ୍ୟ ଭବନରେ ଏକ ବିଶାଳ ସମାବେଶ ଓ ଧାରଣା ଆନ୍ଦୋଳନ ହେବ ।
ସଂପୃକ୍ତ କର୍ତ୍ତୃପକ୍ଷ ଓ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀଙ୍କୁ ବହୁ ପୂର୍ବରୁ ଏହି ବିଷୟରେ ଅବଗତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇ ଦିଆଯାଇଛି ।
ଉକ୍ତ କର୍ମକର୍ତ୍ତା ବୈଠକରେ ଉପସଭାପତି ଶ୍ରୀ ଗୋକୁଳ ମେହେର ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି,ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା,ରାଜ୍ୟ ସମ୍ପାଦକ ମନୋଜ ସାହୁ,ରାଜ୍ୟ କୋଷାଧ୍ୟକ୍ଷ ଏବଂ ରାଉରକେଲା ଡିଭିଜନ ସମ୍ପାଦକ ଶ୍ରୀ କ୍ଷେତ୍ର ଚନ୍ଦ୍ର ବାରିକ, ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ମିଡ଼ିଆ ସଂଯୋଜୋକ, ଶ୍ରୀ ସୁମିତ୍ ପଟେଲ ବିଭିନ୍ନ ଡିଭିଜନର କର୍ମକର୍ତ୍ତାମାନେ ଯଥାକ୍ରମେ – ଶ୍ରୀ ରତ୍ନାକର ପ୍ରଧାନ ଅନୁଗୋଳ ଡିଭିଜନ ସମ୍ପାଦକ, ଶ୍ରୀ କୀର୍ତ୍ତନ ସେନାପତି କୁଚିଣ୍ଡା ଡିଭିଜନ ସମ୍ପାଦକ, ଶ୍ରୀ ପ୍ରଦୀପ ସାହୁ ଝାରସୁଗୁଡା ଡିଭିଜନ ସମ୍ପାଦକ, ଶ୍ରୀ ସଞ୍ଜୟ ଚୌଧୁରୀ କେଉଁଝର ଡିଭିଜନ ସମ୍ପାଦକ, ଶ୍ରୀ ଭୂପେନ୍ଦ୍ର ପ୍ରସାଦ ନାୟକ ଦେବଗଡ ଡିଭିଜନ ସମ୍ପାଦକ , ଶ୍ରୀ କିଶୋର ପ୍ରଧାନ ରେଢ଼ାଖୋଲ ଡିଭିଜନ ସମ୍ପାଦକ, ଶ୍ରୀ ନବ କିଶୋର ମାହାର ଆଠମଲ୍ଲିକ ଡିଭିଜନ ଯୁଗ୍ମ ସମ୍ପାଦକ, ଶ୍ରୀ ଭାଗିରଥି ବିଶୋଇ ନବରଙ୍ଗପୁର ଡିଭିଜନ ସମ୍ପାଦକ,ଶ୍ରୀ ରାଜୁ ମେହେର ବଲାଙ୍ଗୀର ଡିଭିଜନ ସମ୍ପାଦକ, ଶ୍ରୀ ଲକ୍ଷ୍ମଣ ସାହୁ ଫୁଲବାଣୀ ଡିଭିଜନ ସମ୍ପାଦକ, ଶ୍ରୀ କୀର୍ତ୍ତନ ବେହେରା ଫୁଲବାଣୀ ଡିଭିଜନ ଯୁଗ୍ମ ସମ୍ପାଦକ,ଶ୍ରୀ ରାମ ମାଢ଼ି ଜୟପୁର ଡିଭିଜନ ସମ୍ପାଦକ ଆଲୋଚନାରେ ବକ୍ତବ୍ୟ ରଖିଥିଲେ ଏବଂ ଏହା ସହିତ ଶ୍ରୀ ଜିତେନ୍ଦ୍ର ଷଣ୍ଢ, ଶ୍ରୀ ପ୍ରମୋଦ କୁମାର ସାହୁ, ଶ୍ରୀ ରାଜେଶ କୁଲଦୀପ, ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ