ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ୪ ଗିରଫ

ସମ୍ବଲପୁର: ସମ୍ବଲପୁର ସହରର ଏକ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ଫେଲ ମାରିଛି। ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅଭିଯୋଗ ପରେ ଅଇଁଠାପାଲି ଥାନା ପୋଲିସ ୩୧୬/୨୫ରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଟ୍ରାନ୍ସପୋର୍ଟ । ବ୍ୟବସାୟୀ ମନୋଜ ବହିଦାର ନିଜ ଅଇଁଠାପାଲି ସ୍ଥିତ ଅଫିସରେ ବସିଥିବା ବେଳେ ୪ଜଣ ଦୁବୃର୍ତ୍ତ ପଶି ମରଣାନ୍ତକ ଆକ୍ରମଣ କରିଥିଲେ। ଅଫିସର ୨ଜଣ ମହିଳା କର୍ମଚାରୀ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ସେମାନେ ଏମାନଙ୍କ କଥା ନଶୁଣି ଭଙ୍ଗାରୁଜା କରିବା ସହ ମାଡ ମାରିଥିଲେ। ମନୋଜଙ୍କୁ
ଅପହରଣ କରି ବଳପୂର୍ବକ ଗାଡିରେ ବସାଇ ନେଉଥିବାବେଳେ ବରେଇପାଲି ନିକଟରେ ସେ କୌଶଳ କ୍ରମେ ଖସି ପଳାଇ ଆସିବାକୁ ସକ୍ଷମ ହୋଇଥିଲେ । ଏହାପରେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବ୍ୟବସାୟିକ କାରବାରକୁ ନେଇ ଝାରଖଣ୍ଡର ଗାଡି ମାଲିକ ରମଣ ସିଂ ଗୁଣ୍ଡା ନେଇ ଆସିଥିବା ବେଳେ ତାଙ୍କ ଠାରୁ ନଗଦ ୪୦ହଜାର ଟଙ୍କା, ୧୫ଭରି ସୁନାଚେନ୍, ଅନଲାଇନରେ ୩୦ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଯାଞ୍ଚ କରିବା ସହ ଏହି ଘଟଣାରେ ରମଣଦୀପ ସିଂ (୨୨), ମନପ୍ରୀତ ସିଂ(୫୦), ମନଜୋତ ସିଂ(୨୩) ଓ ସବଜିତ୍ ସିଂ(୩୫)ଙ୍କୁ ଗିରଫ କରିଛି।