Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳୀ ଙ୍କ ସମସ୍ୟା ସମାଧାନ ପାଇଁ ପିସିସିଏଫ୍ ସହ ଆଲୋଚନା: ୨୦ ଦିନ ଭିତରେ ଦାବି ପୂରଣ ନ ହେଲେ ଅକ୍ଟୋବର ୨୯ରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ

ସମ୍ବଲପୁର: କେନ୍ଦୁପତ୍ର ପି.ସି.ସି.ଏଫ୍. ଙ୍କ କାର୍ଯ୍ୟାଳୟରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସହିତ ପି.ସି.ସି.ଏଫ୍. ଶ୍ରୀମତୀ ଉମା ନନ୍ଦୂରୀ ଙ୍କ କାର୍ଯ୍ୟକର୍ତ୍ତା ମାନଙ୍କ ବିଭିନ୍ନ ଦାବୀ ଉପରେ ଆଲୋଚନା କରାଗଲା । ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ନେତୃତ୍ବରେ ସଂଘର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପିତ କରିଥିଲେ । ପି.ସି.ସି.ଏଫ୍. ଶ୍ରୀମତୀ ଉମା ନନ୍ଦୁରୀ ଚଳିତ ମାସ ମଧ୍ୟରେ ତୋଳାଳୀ ଓ ବନ୍ଧେଇ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ସହାୟତା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ । ଆଗାମୀ ବର୍ଷ ତୋଳାଳୀ ମାନଙ୍କ ପତ୍ର ଦର ବୃଦ୍ଧି ହୋଇପାରେ ବୋଲି କହିଥିଲେ । ବର୍ତ୍ତମାନ ସୁଦ୍ଧା ସରକାର ବଜେଟ ମଞ୍ଜୁରୀ ପ୍ରାପ୍ତ ଟ. ୧୨୦ କୋଟି ଟଙ୍କା କେ.ଏଲ.ଡି.ଏଫ୍. ରେ ଜମା ହୋଇନଥିବା ଦର୍ଶାଇ ଥିଲେ । ସଂଘର କର୍ମକର୍ତ୍ତା ମାନଙ୍କ ଏହି ଅର୍ଥ ଶୀଘ୍ର ଉକ୍ତ ପାଣ୍ଠିରେ ଜମା ହେବା ଉଦ୍ୟମ ହେବାକୁ ଦାବୀ କରିଥିଲେ । ବୋନସ ପରିମାଣ ବୃଦ୍ଧି ପାଇଁ ମଧ୍ୟ ଦାବୀ ହୋଇଥିଲେ । କେତେକ ଦାବୀ ଉପରେ ପିସିସିଏଫ୍ ଶ୍ରୀମତୀ ଉମା ନନ୍ଦୁରୀ ସକରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ଓ କନ୍ୟା ବିବାହ ଆର୍ଥିକ ସହାୟତା ନିମନ୍ତେ ନିର୍ଦ୍ଧିଷ୍ଟ ଭାବରେ ମନ୍ତବ୍ୟ ଦେଇନଥିଲେ । ଏଥିଯୋଗୁଁ ଆଲୋଚନାରେ ଯୋଗ ଦେଇଥିବା କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । କାରଣ ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ୨୦୨୪ ମସିହା ଜୁଲାଇ ୧୮ ତାରିଖରେ ହୋଇଥିଲେ ମଧ୍ୟ ସେମାନଙ୍କର ମାସିକ ମଜୁରୀ ବୃଦ୍ଧି ହୋଇନାହିଁ । ସେହିପରି କନ୍ୟା ବିବାହ ସହାୟତା ଘୋଷଣା ନ ହୋଇ କାର୍ଯ୍ୟକାରୀ ହେବା ବେଳକୁ ବନ୍ଦ କରିଦେବା ଦ୍ବାରା ତୋଳାଳୀ, ସିଜିନାଲ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ମୁନସୀ – ଫଡି ସାଥୀ ଚେକର୍ ମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ମଧ୍ୟ ଅନେକ ଡିଭିଜନରେ ତାହା କାର୍ଯ୍ୟକାରୀ କରୁନଥିବାରୁ ଏହି ଶ୍ରେଣୀର କର୍ମଚାରୀ ମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ସେହିପରି ବନ୍ଧେଇ ଶ୍ରମିକ ମାନଙ୍କ ବଣ୍ଡଲ ପ୍ରତି ଦର ହାସ୍ୟାସ୍ପଦ ଭାବରେ ଟ. ୨ /- ବୃଦ୍ଧି କରିବା ଏକ ହାସ୍ୟାସ୍ପଦ ଘଟଣା । ଏହାର ବୃଦ୍ଧିର ଆବଶ୍ୟକତା ରହିଛି ।
ଯଦିଓ ପିସିସିଏଫ୍ ଶ୍ରୀମତୀ ନନ୍ଦୁରି ଅନେକ ଦାବୀ ସଂପର୍କରେ ସକରାତ୍ମକ ମନ୍ତବ୍ୟ ଦେଇଥିଲେ ମଧ୍ୟ କୌଣସି ଠୋସ ସ୍ପର୍ଷ୍ଟ ଉତ୍ତର ନ ଦେଇ ସରକାରଙ୍କ ବିଚାର ଉପରେ ନ୍ୟସ୍ତ କରିଥିଲେ । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ମଧ୍ୟ ବାରମ୍ବାର ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ଏବଂ ବିଭିନ୍ନ ସମୟରେ ଆଲୋଚନା କରିଥିଲେ ମଧ୍ୟ ଏକ ବର୍ଷ ଚାରି ମାସ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ସରକାର ଦାବୀ ପୂରଣ କରିନାହାନ୍ତି । ଏଣୁ ତୋଳାଳୀ ମାନଙ୍କ ଠାରୁ ଆରମ୍ଭ କରି ସିଯିନାଲ କର୍ମଚାରୀ ତଥା ବନ୍ଧେଇ ଶ୍ରମିକ ମାନଙ୍କ ମଧ୍ୟରେ ଆର୍ଥିକ କ୍ଷତି ରହିବା ସହିତ ପ୍ରବଳ ଅସନ୍ତୋଷ ଅଛନ୍ତି ।
ଏଣୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅକ୍ଟୋବର ୧୪ ତାରିଖ ପରିବର୍ତ୍ତେ ସରକାରଙ୍କୁ ୨୦ ଦିନ ଆହୁରି ସମୟ ଦେଇ ଉପରୋକ୍ତ ଦାବୀ ଗୁଡ଼ିକ ଉପରେ ସକାରାତ୍ମକ ଭାବରେ ବିଚାର କରି ଦାବୀ ପୂରଣ ଘୋଷଣା କରନ୍ତୁ । ନଚେତ୍ ଆଗାମୀ ଅକ୍ଟୋବର ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ସମାବେଶ ତଥା ଧାରଣା – ବିକ୍ଷୋଭ ପ୍ରଦର୍ଶନ କରିବାକୁ କର୍ମକର୍ତ୍ତା ମାନଙ୍କ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ସରକାରଙ୍କ ପକ୍ଷରୁ ଏହି ବୈଠକରେ ଜଙ୍ଗଲ,ପରିବେଶ ବିଭାଗର ସ୍ପେଶିଆଲ ସେକ୍ରେଟାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପ୍ରଧାନ ,ଯୁଗ୍ମ ସଚିବ ଶ୍ରୀ ଦୀନକୃଷ୍ଣ କରଙ୍କ ସହିତ କଟକ,ବଲାଙ୍ଗୀର, ସମ୍ବଲପୁର ସି.ଶି.ଏଫ୍ ମାନେ ମଧ୍ୟ ଯୋଗ ଦେଇଥିଲେ ।
ପିସିସି ଏଫ୍ ଙ୍କ ସହିତ ଆଲୋଚନା ବୈଠକରେ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଙ୍କ ସମେତ ଉପସଭାପତି ଶ୍ରୀ ଗୋକୁଳ ମେହେର, ଶ୍ରୀ ବିନୋଦ ପ୍ରଧାନ, ସଂଗଠନ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି,ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ରାଜ୍ୟ ସମ୍ପାଦକ ଶ୍ରୀ ଶିବାନନ୍ଦ ପରିଚ୍ଛା, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ କ୍ଷେତ୍ର ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ସଂଘର କର୍ମକର୍ତ୍ତା ବୈଠକରେ ବିଭିନ୍ନ ଡିଭିଜନର ସମ୍ପାଦକ ଝାରସୁଗୁଡା ଡିଭିଜନ ଶ୍ରୀ ପ୍ରଦୀପ ସାହୁ, ଦେବଗଡ ଡିଭିଜନ ସମ୍ପାଦକ ଶ୍ରୀ ଭୁପେନ୍ଦ୍ର ପ୍ରସାଦ ନାୟକ,କେଉଁଝର ଡିଭିଜନ ସମ୍ପାଦକ ଶ୍ରୀ ସଞ୍ଜୟ ଚୌଧୁରୀ, ଫୁଲବାଣୀ ଡିଭିଜନ ଯୁଗ୍ମ ସମ୍ପାଦକ ଶ୍ରୀ କୀର୍ତ୍ତନ ବେହେରା, ବୌଦ୍ଧ ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ,ବଲାଙ୍ଗୀର ଡିଭିଜନ ସମ୍ପାଦକ ଶ୍ରୀ ରାଜୁ ମେହେର, ଟିଟିଲାଗଡ ଡିଭିଜନ ସମ୍ପାଦକ ଶ୍ରୀ ରାଜ କୁମାର ବିଶି, ଆଠମଲ୍ଲିକ ଡିଭିଜନ ଯୁଗ୍ମ ସମ୍ପାଦକ ଶ୍ରୀ ନବ ମାହାର,ଜୟପୁର ଡିଭିଜନ ସମ୍ପାଦକ ଶ୍ରୀରାମ ମାଢ଼ି, ନବରଙ୍ଗପୁର ଡିଭିଜନ ସମ୍ପାଦକ ଭାଗିରଥି ବିଶୋଇ, ବିଜୟ କୁମାର ପଟ୍ଟନାୟକ ଉଦିତ କୁମାର ତ୍ରିପାଠୀ, ରମଣୀ କିଶାନ,ଶ୍ରୀ ଚିତ୍ରସେନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସଂଘର ଦାବୀ ନିର୍ଦ୍ଧାରିତ ସମୟରେ ପୂରଣ ନ ହେଲେ ଏବଂ ସଂଘର ଡାକରାରେ ଆନ୍ଦୋଳନ ହେଲେ ନୂଆପଡା ଉପନିର୍ବାଚନରେ ସରକାରୀ ଦଳ ପାଇଁ ନକାରାତ୍ମକ ପ୍ରଭାବ ପଡ଼ି ପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories