Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରମନ୍ତ୍ରୀଙ୍କ ସ୍ବପ୍ନ ହେବ ସାକାର:ମହାନଦୀ ଓ ବ୍ରାହ୍ମଣୀ ନଦୀ ଉପତ୍ୟକାକୁ ଏରୋମା ଭେଲି ଭାବରେ ରୂପାନ୍ତରିତ କରିବା ରହିଛି ଲକ୍ଷ

ସମ୍ବଲପୁର:ନଷ୍ଟ ହେବ ନି ବଳକା ଫୁଲ । ଅଦରକାରୀ ହେବନି ବାସି ଫୁଲ।ବଳକା ବାସି ଫୁଲରୁ ଉତ୍ପାଦିତ ହେବ ହାର୍ବଲ। ବାସି ଫୁଲରୁ ହାର୍ବଲ ଉତ୍ପାଦ ତିଆରି କରିବା ପାଇଁ ସନାତନପାଲିର ମହିଳା ଚାଷୀଙ୍କୁ ଦିଆଯିବ ତାଲିମ।
ଏଥିପାଇଁ ସମାଧାନର ବାଟ ବାହାର କରିଛି ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ(ଏନବିଆରଆଇ)। ସମ୍ବଲପୁରରେ ମହିଳା ଚାଷୀଙ୍କ ରୋଜଗାରର ମାଧ୍ୟମ ସାଜିବ ବଳକା ଓ ବାସି ଫୁଲ । ଫୁଲରୁ ତିଆରି ହେବ ଅଗରବତୀ, ଅତର, ସିନ୍ଦୂର, ଅବୀର ଭଳି ପ୍ରାକୃତିକ ଉତ୍ପାଦ । ଏନେଇ ଖୁବଶୀଘ୍ର ମହିଳା ଚାଷୀଙ୍କୁ ତାଲିମ ଦେବ ଏନବିଆରଆଇ ।
ଏହା ଥିଲା ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବପ୍ନ। ଏହାକୁ ଏବେ ସାକାର କରିବାକୁ ଯାଉଛି ଏନବିଆରଆଇ।ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଘେନୁପାଲି ପଂଚାୟତରେ ଥିବା ସବୁଜ ସନାତନପାଲି ଗାଁ ଅଞ୍ଚଳ ଫୁଲ ଚାଷ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛି । ଏହି ଗାଁର ସବୁଜ ସନାତନପାଲି ଏଫପିଓ ଅଧୀନରେ ୬୦ ଗାଁର ଚାଷୀ ଥିବା ବେଳେ ଅଧିକାଂଶ ଫୁଲ ଚାଷରେ ମନୋନିବେଶ କରିଛନ୍ତି । କେବଳ ଏତିକି ନୁହେଁ ଏହି ଏଫପିଓ ରେ ମୋଟ ୨୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ବେଳେ ଏଥିରେ ପ୍ରାୟ ୫୦୦ ମହିଳା ଚାଷୀ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି । ତେବେ ଅଧିକାଂଶ ମହିଳା ଚାଷୀ ଫୁଲ ଚାଷ କରୁଛନ୍ତି । ଫୁଲ ଚାଷରେ ଏନବିଆରଆଇ ସେମାନଙ୍କୁ ବିଭିନ୍ନ ପ୍ରକାର ଫୁଲ ଯୋଗାଇ ଦେବା ସହ ସେମାନଙ୍କୁ ଏଗୁଡିକର ଚାଷ ପାଇଁ ତାଲିମ ମଧ୍ୟ ଦେଇଆସୁଛି । ଏହି ଅଞ୍ଚଳରେ ମୁଖ୍ୟତଃ ଗେଣ୍ଡୁ, ଗୋଲାପ, ଜରବେରା ରଜନୀଗନ୍ଧା, ୟୁଷ୍ଟୋମା ଆଦି ଫୁଲ ଚାଷ ହେଉଛି । ମହିଳା ଚାଷୀମାନେ ଏଥିରେ ଭଲ ରୋଜଗାର ପାଉଥିଲେ ମଧ୍ୟ ଫୁଲ ପାଇଁ ସଠିକ ବଜାର ନ ପାଇବାରୁ ବେଳେ ବେଳେ କମ ଦାମରେ ଫୁଲ ବିକ୍ରି କରି ଅନେକ ସମୟରେ ଏଥିରୁ ନିରାଶ ବି ହେବାକୁ ପଡୁଛି। ଦିନ ଦିନ ଧରି ଫୁଲ ପଡି ରହି ମଉଳି ପଡୁଛି। ଫଳରେ ଫୁଲ ଚାଷୀଙ୍କ ମଧ୍ୟରେ ଏହି ନୈରାଶ୍ୟ ଭାବ ଦେଖି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମହିଳା ଫୁଲ ଚାଷୀଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇବା ସହ ଆଶାର କିରଣ ବୁଣିବାକୁ ଏନବିଆରଆଇର ସହଯୋଗ ଲୋଡ଼ିଥିଲେ। ଯାହା ଆଜି ସାକାର ହେବାକୁ ଯାଉଛି।
ପର୍ବ ପର୍ବାଣୀ ନଥିବା ସମୟରେ ଉତ୍ପାଦିତ ଫୁଲର ୫୦% ବିକ୍ରି ହେଉ ନଥିବାରୁ ବଳକା ଫୁଲ ନଷ୍ଟ ହୋଇଯାଉଛି। ଯାହା ମହିଳା ଚାଷୀଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ସାଜିଛି । ଏନେଇ କିଛି ଫୁଲ ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଙ୍କ ସନାତନପାଲି ଗସ୍ତ ସମୟରେ ନଜରକୁ ଆସିଥିଲା। ଶେଷରେ ମନ୍ତ୍ରୀ ଲକ୍ଷ୍ନୌର ଏନବିଆରଆଇ ର ନିର୍ଦ୍ଦେଶକ ଡ଼. ଅଜିତ କୁମାର ଶାସନିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସମ୍ବଲପୁର ଆସି ଫୁଲ ଚାଷୀଙ୍କ ସହ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରିଛନ୍ତି ଏନବିଆରଆଇ ନିର୍ଦ୍ଦେଶକ । ବଳକା ବାସି ଫୁଲରୁ କିପରି ଅଗରବତୀ, ଅତର, ରଙ୍ଗ ଓ ସିନ୍ଦୂର ପରି ବିଭିନ୍ନ ପ୍ରାକୃତିକ ଉତ୍ପାଦ ତିଆରି କରିହେବ ସେନେଇ ମହିଳା ଚାଷୀଙ୍କୁ ତାଲିମ ଦିଆଯିବ ବୋଲି କହିଛନ୍ତି ଏନବିଆରଆଇ ନିର୍ଦ୍ଦେଶକ । ଆସନ୍ତା ମାସରୁ ଏହି ମହିଳାଙ୍କୁ ଏନବିଆରଆଇ ତାଲିମ ଦେବ ବୋଲି ଆତ୍ମବିଶ୍ଵାସ ଦିଆଯାଇଛି।ଏନେଇ ସମ୍ବଲପୁର ସବୁଜ ସନାତନପାଲି ଏଫପିଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଚୀ ପଟେଲ କହିଛନ୍ତି, “ସବୁଜ ସନାତନପାଲି ଏଫପିଓରେ ୫୦ଟି ଗାଁର ଚାଷୀ ଅଛନ୍ତି । ଏଥିରେ ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ମୋଟ ୫୦୦ ମହିଳା ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଫୁଲ ଚାଷ କରୁଛନ୍ତି । ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୧୦ ଏକର ଜମିରେ ଫୁଲ ଚାଷ କରୁଛନ୍ତି । ଏଠାରେ ମୁଖ୍ୟତଃ ଗେଣ୍ଡୁ, ଗୋଲାପ, ଜରବେରା, ରଜନୀଗନ୍ଧା ଫୁଲ ଚାଷ ହେଉଛି । ସାମଗ୍ରିକ ଭାବେ ଏହି ଅଞ୍ଚଳରୁ ଦୈନିକ ୨୫ କେଜିରୁ ୧ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଫୁଲ ଉତ୍ପାଦନ ହେଉଛି । ପର୍ବ ପର୍ବାଣୀ ଋତୁକୁ ଛାଡିଦେଲେ ଅନ୍ୟ ସମୟରେ ଏହି ଫୁଲ ବିକ୍ରି ହେଉନାହିଁ ଅଥବା କମ ଦାମରେ ବିକ୍ରି ହେଉଛି । ତେଣୁ ଅଫ ସିଜନରେ ଦୈନିକ ଉତ୍ପାଦନର ପ୍ରାୟ ୫୦% ଫୁଲ ନଷ୍ଟ ହୋଇଯାଏ । ଫଳରେ ମହିଳା ଚାଷୀ କ୍ଷତିଗ୍ରସ୍ତ ହୁଅନ୍ତି ।ଏନବିଆରଆଇ ନିର୍ଦେଶକ ଡ଼ ଅଜିତ ଶାସନି ଏହି ବିଷୟ ଜାଣିବାପରେ ସେ ଏଠାକୁ ଆସି ଚାଷୀଙ୍କ ସହ ଆଲୋଚନା କରି ବାସୀ ଫୁଲରୁ କିପରି ବିଭିନ୍ନ ପ୍ରାକୃତିକ ଉତ୍ପାଦ ତିଆରି ହେବ ସେନେଇ ଆସନ୍ତା ମାସରୁ ତାଲିମ ଦେବେ ବୋଲି କହିଛନ୍ତି । ଏହା ଦ୍ୱାରା ମହିଳା ଚାଷୀମାନେ ବାସୀ ଫୁଲରୁ ଧୂପକାଠି, ରଙ୍ଗ, ସିନ୍ଦୁର, ଅତର ଆଦି ପ୍ରାକୃତିକ ଜିନିଷ ତିଆରି କରି ପାରିବେ।ସ୍ଥାନୀୟ ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଫୁଲ ଚାଷୀ ଗୀତାଞ୍ଜଳି ପ୍ରଧାନ କହିଛନ୍ତି, ଆମେ ୫୦ ଡିସିମିଲିରେ ଫୁଲ ଚାଷ କରିଛୁ । ପର୍ବ ପର୍ବାଣୀ ସମୟରେ ବେସୀ ଫୁଲ ବିକ୍ରି ହୁଏ । କିନ୍ତୁ ଅନ୍ୟ ସମୟରେ ସେତେ ଫୁଲ ବିକ୍ରି ହୁଏ ନାହିଁ । ବଳକା ଫୁଲ ସବୁ ନଷ୍ଟ ହୋଇଯାଏ । ତେଣୁ ବଳକା ଫୁଲ କେମିତି ଫିଙ୍ଗା ନଯିବ ଓ ତାକୁ କିପରି ବ୍ୟବହାର କରିହେବ ସେନେଇ ନିର୍ଦ୍ଦେଶକ ଡ଼ ଅଜିତ କୁମାର ଶାସନି ଆସି ଆମକୁ ବୁଝାଇଛନ୍ତି । ବଳକା ଫୁଲରୁ ଅବୀର (ଗୁଲାଲ), ଗ୍ରୀଟିଂ, ରାକ୍ଷୀ, ଧୂପକାଠି ଓ ସିନ୍ଦୂର ଭଳି ପ୍ରାକୃତିକ ଜିନିଷ ତିଆରି କରି ହେବ । ଏନେଇ ଆମକୁ ତାଲିମ ଦିଆଯିବ । ଫଳରେ ବଳକା ସମୟରେ ଏସବୁ ଜିନିଷ ତିଆରି କରି ଆମେ ଭଲ ରୋଜଗାର କରିପାରିବୁ ବୋଲି ସେ ଆଶା ବାନ୍ଧିଛନ୍ତି।ଫୁଲ ଚାଷୀ ରୀନା ପ୍ରଧାନ କହିଛନ୍ତି, ଆମେ ଫୁଲ ଚାଷ କରିଛୁ । ଚାଷ ଠିକଠାକ ଚାଲିଛି ଫୁଲ ବି ଭଲରେ ଫୁଟୁଛି । କିନ୍ତୁ ବିକ୍ରି କରିବାରେ ସମସ୍ୟା ହେଉଛି । ବଳକା ବା ବାସୀ ଫୁଲରୁ ଗ୍ରୀଟିଂ କାର୍ଡ, ବାର୍ଥଡେ ଗିଫ୍ଟ, ରାକ୍ଷୀ ଭଳି ଜିନିଷ ତିଆରି କରାଯାଇପାରିବ ବୋଲି ଆମକୁ ଏନବିଆରଆଇ ନିର୍ଦ୍ଦେଶକ କହିଛନ୍ତି ।
ସମ୍ବଲପୁରରେ ବିଦେଶୀ ଫୁଲ ୟୁଷ୍ଟୋମା ମଧ୍ୟ୍ୟ ସନାତନପାଲି ପାଇଁ ଆଣିଛି ଗର୍ଵ।ଗୋଟିଏ ଫୁଲ ତୋଡ଼ା ୧୫୦୦ ଟଙ୍କାରେ ବିକ୍ରି କରି ହସୁଛି ଫୁଲ ଚାଷୀ।ସେଥି ପାଇଁ ସନାତନପାଲିର ବଢିଛି ଗାରିମା। ଫୁଲ ପାଇଁ ସାଜିଛି ଆକାର୍ଷଣୀୟ ଏକ ପର୍ଯ୍ୟଟନ ଗାଁ।
ଅନ୍ୟପଟେ ଏନବିଆରଆଇ ନିର୍ଦ୍ଦେଶକ ଡ଼. ଅଜିତ କୁମାର ଶାସନି କହିଛନ୍ତି, ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ସ୍ବପ୍ନ ରହିଛି ଯେ, ମହାନଦୀ ଓ ବ୍ରାହ୍ମଣୀ ନଦୀ ଉପତ୍ୟକାକୁ ଏରୋମା ଭେଲି ଭାବରେ ରୂପାନ୍ତରିତ କରିବା । ସେଥିପାଇଁ ସନାତନପାଲି ଗାଁକୁ ଫୁଲ ଚାଷ ପାଇଁ ଆମେ ପ୍ରୋତ୍ସାହନ ଦେଉଛୁ । ଏନବିଆରଆଇ ପକ୍ଷରୁ ଆମେ ଯେଉଁ ସବୁ ଫୁଲ ବାହାର କରୁଛୁ ଆମେ ତାଙ୍କୁ ଦେଉଛୁ । ସେହି ଦେଶୀ ପ୍ରଜାତିର ଫୁଲ ବିକ୍ରି କରି ସେମାନେ କିପରି ଲାଭବାନ ହେବେ ଆମେ ଯତ୍ନବାନ ହେଉଛୁ । ମୁଖ୍ୟତଃ ସୁଗନ୍ଧଯୁକ୍ତ ଫୁଲରୁ ଏମାନେ ଅତର ବା ପରଫ୍ୟୁମ ତିଆରି କରି ପାରିବେ । ଲାଲ ରଙ୍ଗର ଫୁଲରୁ ସିନ୍ଦୁର ତିଆରି ହୋଇ ପାରିବ । ଗେଣ୍ଡୁ ଫୁଲରୁ ରଙ୍ଗ ବାହାର କରି ଶିଲ୍କଡାଏ ତିଆରି ହୋଇପାରିବ । ଶୁଖିଲା ଫୁଲରୁ ଡ୍ରାଇ ଆର୍ଟ ତିଆରି ତଥା ରାକ୍ଷୀ, ପୋଟ୍ରେଟ ଆଦି ତିଆରି ହୋଇପାରିବ । ଏହା ପରେ ବି ଅଦରକାରୀ ଫୁଲର ବର୍ଜ୍ୟରୁ ଜୈବିକ ଖତ ମଧ୍ୟ ତିଆରି ହୋଇପାରିବ । ଏଥିପାଇଁ ଆମ ପାଖରେ ଟେକ୍ନୋଲୋଜି ରହିଛି । ଏନେଇ ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଇ ମହିଳାଙ୍କ ପରିଶ୍ରମର ଫଳ ସିନ୍ଦୂର, ଅତର ଭଳି ସମ୍ମାନ ଜନକ ଉତ୍ପାଦନର ଲକ୍ଷ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ