ଆଇଆଇଏମର ମର୍ମଗ୍ୟା:ବିକଶିତ ଭାରତ ୨୦୪୭ପାଇଁ ନବୀନତ୍ୱ ସହ ନେତୃତ୍ୱ ଲକ୍ଷ୍ୟ
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣ ସହ ମିଳିତ ଭାବରେ, ଭାରତର ଅଗ୍ରଣୀ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ ସମ୍ବଲପୁରରେ ପ୍ରତିଷ୍ଠିତ ବାର୍ଷିକ ବ୍ୟାପାରିକ ସମ୍ମିଳନୀ ‘ମର୍ମଗ୍ୟା’ର ୧୦ ତମ ସଂସ୍କରଣ ଆୟୋଜିତ ହୋଇଛି। ଚଳିତ ବର୍ଷ ଏହି ସମ୍ମିଳନୀ “ପ୍ରବଳ ଅନେକଧ୍ରୁବୀୟ ବିଶ୍ୱରେ ବ୍ୟାପାର ନିର୍ଦ୍ଦେଶନ: ବିକଶିତ ଭାରତ ୨୦୪୭ ପାଇଁ ଭାବନା”ର ବିଷୟବସ୍ତୁ କୁ ନେଇ ଆୟୋଜିତ ହୋଇଛି।
ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଭବିଷ୍ୟତ ପାଇଁ ଅନୁକଳନଶୀଳ ଏବଂ ବିଶ୍ୱସ୍ତରୀୟ ନେତୃତ୍ୱ ଦକ୍ଷତା ବିକଶିତ କରିବା ସହିତ ଭାରତର ଉନ୍ନତ ଭବିଷ୍ୟତ ଗଢ଼ିବା।
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୁଗୁଲର ଗ୍ଲୋବାଲ୍ ହେଡ୍ ଅଫ୍ ଅପରେସନ୍ସ, ଅଭିଷେକ ନାଇଡୁ; ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ୍ ଅଏଲ୍ ଆଦାନୀ ଭେନଚର୍ସର ସିଓଓ ଅତୁଲ ଖରାଟେ; ଏବଂ ମୁଖ୍ୟ ବକ୍ତା ଭାବେ ଇୱାଇର ନିର୍ଦ୍ଦେଶକ ବର୍ଧମାନ ଅଗରୱାଲ ଯୋଗଦେଇଥିଲେ।
ଏହି ଅବସରରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଥିଲେ “ବିକଶିତ ଭାରତ ୨୦୪୭ର ସ୍ଵପ୍ନ ପୂରଣ ପାଇଁ ତିନୋଟି ପ୍ରମୁଖ ମଡେଲ୍ ଆବଶ୍ୟକ। ପ୍ରଥମ, ନୋବେଲ୍ ବିଜେତା କ୍ଲୌଡିଆ ଗୋଲ୍ଡିନଙ୍କ (୨୦୨୩) ଅନୁସନ୍ଧାନ ଯେପରି ଦେଖାଏ, ମହିଳାମାନଙ୍କ ସ୍ୱକ୍ରିୟ ଅଂଶଗ୍ରହଣ ଅର୍ଥନୈତିକ ବୃଦ୍ଧି ପାଇଁ ଅତ୍ୟାବଶ୍ୟକ। ଦ୍ୱିତୀୟ, ୨୦୨୪ର ନୋବେଲ୍ ବିଜେତା ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ୍ ଏବଂ ଜେମ୍ସ ରବିନସନ୍ ଯେପରି କହିଛନ୍ତି, ସମାବେଶୀ ସଂସ୍ଥା ପ୍ରତ୍ୟେକଙ୍କ ପାଇଁ ସମାନ ସୁଯୋଗ ଦେଉଛି। ତୃତୀୟ, ୨୦୨୫ରେ ଜୋଏଲ୍ ମୋକିର୍, ଫିଲିପ୍ ଆଘିଅନ୍ ଏବଂ ପିଟର୍ ହାଉଇଟ୍ ଯେପରି ଉଲ୍ଲେଖ କରିଛନ୍ତି, ଟେକ୍ନୋଲୋଜି, ନୂତନ ଭାବନା ଏବଂ ସୃଜନାତ୍ମକ ପରିବର୍ତ୍ତନ ଓ ନବୀନତା ଦ୍ୱାରା ପରିଚାଳିତ ବୃଦ୍ଧି ଏକ ସ୍ଥିର ଓ ସ୍ଥାୟୀ ଅର୍ଥନୀତି ନିର୍ମାଣ କରେ।”
ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିଷେକ ନାଇଡୁ ନିଜ ବକ୍ତବ୍ୟରେ କହିଥିଲେ ଯେ , “କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଅନାନ୍ୟ ଉପେକ୍ଷିତ ସମୁଦାୟରେ ଶିକ୍ଷାକୁ ସଶକ୍ତ କରିପାରେ। ଡାଟା ସାଇନ୍ସ ଏବଂ ଏଆଇ କୁ ପ୍ରଥମେ ପାଠ୍ୟକ୍ରମରେ ସମ୍ମିଳିତ କରିବା ପାଇଁ ଆଇଆଇଏମ ସମ୍ବଲପୁରର ଏହି ପ୍ରୟାସ ପ୍ରସଂସନୀୟ।
ସମ୍ମାନିତ ଅତିଥି ଅତୁଲ ଖରାଟେ ନିଜ ଅଭିଭାଷଣରେ କହିଥିଲେ, “ଆସନ୍ତା ଦଶକରେ, ଭାରତ ଦୁନିୟାର ତୃତୀୟ ସବୁଠୁ ବଡ଼ କ୍ରୁଡ଼ ଅଏଲ୍ ପ୍ରସେସର୍ ଭାବେ ଉଭାହେବାକୁ ଯାଉଛି। ହେଭି ଇଣ୍ଡଷ୍ଟ୍ରି ଏବଂ ସୃକ୍ଷ୍ମ, ଛୋଟ ଏବଂ ମଧ୍ୟମ ଉଦ୍ୟମର ବୃଦ୍ଧି ଏକ ଦୃଢ଼, ସ୍ଥିର ଅର୍ଥନୀତିକୁ ଗଢ଼ୁଛି।”
ମୁଖ୍ୟ ବକ୍ତା ବର୍ଧମାନ ଅଗରୱାଲ କହିଲେ, “ମର୍ମଗ୍ୟା କେବଳ ଏକ ବ୍ୟାପାର ସମ୍ମିଳନୀ ନୁହେଁ, ଏହା ହେଉଛି ନବୀନତ୍ୱ ଏବଂ ସମାବେଶର ଉପରେ ଆଧାରିତ ଏକ ନେତୃତ୍ୱ ପ୍ରଶିକ୍ଷଣ ପ୍ରୟୋଗଶାଳା। ଆଇଆଇଏମ ସମ୍ବଲପୁର କେବଳ ପ୍ରବନ୍ଧକ ସୃଷ୍ଟି କରୁନାହିଁ ବରଂ ରାଷ୍ଟ୍ର ନିର୍ମାତା ମଧ୍ୟ ତିଆରି କରୁଛି।”
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ର ଓ ଉଦ୍ୟମୀ ସାମିଲ ହୋଇଥିଲେ । ଏହାସହ ଗୁଗୁଲ, ଇୱାଇ, ଇଣ୍ଡିଆନ୍ ଓଏଲ୍ ଆଦାନୀ ଭେନଚର୍ସ, ଆଦିତ୍ୟ ବିର୍ଲା ଗ୍ରୁପ (ଅଲ୍ଟ୍ରାଟେକ୍ ସିମେଣ୍ଟ), ଏଚସିଏଲ ଟେକ୍, କୁସ୍ମାନ ୱେକଫିଲ୍ଡ ଭଳି ପ୍ରମୁଖ ସଂସ୍ଥାର ପ୍ରମୁଖ ପ୍ରତିନିଧି ଓ ଶିଳ୍ପ ନେତାମାନେ ଯୋଗଦେଇଥିଲେ ।

