Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସହି ପାରୁନି ତୁମ ଦୁଃଖ, ତୁମ ପୂର୍ବରୁ ମୁଁ ଯାଉଛି:ମା ଦୁଃଖରେ ପୁଅ ନେଲା ସଲିଳ ସମାଧି

ସମ୍ବଲପୁର:ମା ଦୁଃଖରେ ମ୍ରିୟମାଣ ପୁଅ କରିଛି ସଲିଳ ସମାଧି।ମା କୁ ଏକ ବାର୍ତ୍ତା ଦେଇ ସେ ନେଇଛି ବିଦାୟ।ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ ଓ ଚକିତ କରିଦେଇଛି। ରୋଗୀଣି ମା’ର ଦୁଃଖ ସହି ନପାରି ପୁଅ ଆତ୍ମହତ୍ୟା କରିଥିବା ଭଳି ଘଟଣା ଜଣାପଡିବା ପରେ ଆଜି ବୁର୍ଲା ଭୀମାସର କେବଳ ନୀରବ ନିଶ୍ଚଲ ହୋଇପଡ଼ିନି ବରଂ ଏହି ବାର୍ତ୍ତା ବୁର୍ଲାରୁ ବଲାଙ୍ଗୀର ପବନ ବେଗରେ ବହିଯାଇ ଚାରିଆଡେ ଖେଳାଇ ଦେଇଛି ଶୋକାକୁଳ ପରିବେଶ।ଭାଙ୍ଗି ପଡିଛନ୍ତି ମା। ଦୋହଲି ଯାଇଛି ବାପାର ମେରୁଦଣ୍ଡ।ମୃତ୍ୟ ପୂର୍ବରୁ ମାଆଙ୍କ ମୋବାଇଲକୁ ଶେଷ ମେସେଜ ମଧ୍ୟ ପଠାଇଥିଲା ପୁଅ।

ଭିମସାରରେ କୀଡନି ଜନିତ ରୋଗରେ ପୀଡିତ ମା’ଙ୍କ ଯନ୍ତ୍ରଣା ଦେଖି ଅସହ୍ୟ ହୋଇ ପଡ଼ିଥିଲା ୨୨ ବର୍ଷର ପୁଅ ସୌରଭ ସମ୍ବିତ ତ୍ରିପାଠୀ। ଶେଷରେ ବୁର୍ଲା ପାଓ୍ବାର କେନାଲରେ ଡେଇଁ ଜୀବନ ହାରିଛି ପୁଅ ସୌରଭ ସମ୍ୱିତ ତ୍ରିପାଠୀ। ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗରପଡାର ବୋଲି ଜଣାପଡ଼ିଛି।ଗତ ୨୨ ତାରିଖରୁ ନିଖୋଜ ଥିବା ପୁଅର ସନ୍ଧାନ ପାଇଁ ବାପା ପ୍ରାଣ ପଣେ ଚେଷ୍ଟା କରିଥିଲେ। ସବୁ ସାଙ୍ଗ ସାଥୀଙ୍କ ସାହାଯ୍ୟ ଲୋଡ଼ିଥିଲେ।କିନ୍ତୁ ଫଳ ହେଲା ଓଲଟା।

ସୂଚନା ଅନୁଯାୟୀ, ତାଙ୍କ ମା’ ଗତ କିଛି ମାସ ଧରି କିଡନି ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସାଧୀନ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ପୁଅ ସୌରଭ ସବୁବେଳେ ମା’ଙ୍କ ପାଖରେ ରହି ସେବା କରୁଥିଲେ।କିଛି ଦିନି ତଳେ ଡାକ୍ତର ମାଆଙ୍କ ଦେହ ଭଲ ନଥିବା କହିଥିଲେ। ଏଥିପାଇଁ ସବୁ ବେଳେ ସେ ଚିନ୍ତାଗ୍ରସ୍ତ ରହୁଥିଲେ। ଗତ ୨୨ତାରିଖ ସନ୍ଧ୍ୟା ସମୟରେ, ସେ ହଠାତ୍‌ ହସ୍ପିଟାଲରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ପାଇନଥିଲେ। କିନ୍ତୁ ତାଙ୍କ ମୋବାଇଲ ଫୋନରେ ଏକ ମେସେଜ ଆସିଥିଲା। ଯାହାକୁ ପଢି ମା’ ମୁହଁ ସୁଖୀ ଯାଇ ଆଖିରୁ ଝରି ଆସୁଥିଲା ଧାର ଧାର ଲୁହ।

ମେସେଜରେ ଲେଖାଥିଲା, ‘ମା’ ମୁଁ ତମ ଦୁଃଖ ସହିପାରୁନି, ତେଣୁ କେନାଲରୁ ଡେଇଁ ଆତ୍ମହତ୍ୟା କରିବି’। ପରିବାର ସହ ସମଗ୍ର ୱାର୍ଡରେ ଏହି ଘଟଣା ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି। ଶେଷରେ ପରିବାର ପକ୍ଷରୁ ବୁର୍ଲା ଥାନାରେ ଯୁବକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରାଯାଇଥିଲା। ବୁର୍ଲା ପୁଲିସ ତତକ୍ଷଣାତ ଦମକଳ ବାହନୀ ସହ ବୁର୍ଲା ପାୱାର କେନାଲ ଓ ନିକଟସ୍ଥ ଅଞ୍ଚଳରେ ସୌରଭଙ୍କ ସନ୍ଧାନ ଜାରି ରଖିଥିଲା। ଶୁକ୍ରବାର ସକାଳୁ ପୁଲିସ ଏବଂ ବୁର୍ଲା ଅଗ୍ନିଶମ ବାହିନୀ ବୋଟରେ ସହରର ବିଷ୍ଣୁ ମନ୍ଦିର ପଡା ଘାଟରୁ ପାୱାର କେନାଲରେ ନିଖୋଜ ଯୁବକକୁ ଖୋଜାଖୋଜି କରିଥିଲେ। କିନ୍ତୁ ନିଖୋଜ ଯୁବକର କୌଣସି ସନ୍ଧାନ ମିଳିପାରି ନ ଥିଲା। ଶେଷରେ ଆଜି ସକାଳୁ ସକାଳୁ ସୌରଭଙ୍କ ମୃତଦେହ ଚିପିଲିମା କେନାଲରୁ ଉଦ୍ଧାର କରାଯାଇଥିବା ଜଣା ପଡିବା ପରେ ବୁର୍ଲାରୁ ବଲାଙ୍ଗୀର ସ୍ତବ୍ଧ ହୋଇପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories