ନୂଆପଡା ଉପନିର୍ବାଚନ:କାହାପାଇଁ ଅଗ୍ନି ପରୀକ୍ଷା,ତ କାହାପାଇଁ ସମ୍ମାନ ଓ ଗଡ଼ରକ୍ଷା ଚ୍ୟାଲେଞ୍ଚ
ନୂଆପଡା: ଉପନିର୍ବାଚନ ପାଇଁ ଏବେ ରୋଚକ ହୋଇଛି ନୂଆପଡ଼ା ରାଜନୀତି । ଅଗ୍ନି ପରୀକ୍ଷା, ସମ୍ମାନ ଓ ଗଡ଼ରକ୍ଷା ପାଇଁ ଚାଲିଛି ବିଜେପି, କଂଗ୍ରେସ ଓ ବିଜେଡିର ବଡ଼ କସରତ।
କ୍ଷମତାରେ ଥିବା ବିଜେପି ପାଇଁ ଏହି ଉପନିର୍ବାଚନ ଅଗ୍ନି ପରୀକ୍ଷା ହୋଇଥିବାବେଳେ ପିସିସି ସଭାପତି ଦାୟିତ୍ୱ ନେଇଥିବା ଭକ୍ତ ଚରଣ ଦାସଙ୍କ ପାଇଁ ଏହି ଉପନିର୍ବାଚନ ସମ୍ମାନ ରକ୍ଷାର ବିଷୟ ହୋଇଛି । ଆଉ ବିଜେଡି ନୂଆପଡ଼ାରେ ନିଜ ଗଡ଼ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି।ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରଥମେ ନାମାଙ୍କନପତ୍ର ଦାଖଲବେଳେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ । ଏଥିରେ ନିଜ ନିଜ ଦଳର ତୁଙ୍ଗନେତାମାନେ ଉପସ୍ଥିତ ରହି ପ୍ରାର୍ଥୀମାନଙ୍କୁ ସମର୍ଥନ କରିଥିବା ଦେଖୁବାକୁ ମିଳିଥିଲା। ହେଲେ ବାସ୍ତବ ଲଢେଇ ଆସନ୍ତା ୧୧ ତାରିଖରେ ହେବ। ଏହି ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି ।ବିଜେପି ପାଇଁ ଅଗ୍ନିପରୀକ୍ଷା, ବିଜେଡିର ଗଡ଼ରକ୍ଷା ଚିନ୍ତା ଥିବା ବେଳେ କଂଗ୍ରେସ ପାଇଁ ଉଠିଛି ସମ୍ମାନର ପ୍ରଶ୍ନ।ଏଥିପାଇଁ ୩ ପ୍ରମୁଖ ଦଳ ସେମାନଙ୍କ ଷ୍ଟାର ପ୍ରଚାରକଙ୍କ ନାମ ମଧ୍ୟ ଘୋଷଣା କରି ସାରିଛନ୍ତି । ବିଜେପି ଷ୍ଟାର ପ୍ରଚାରକ ଭାବେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ଓଡ଼ିଶାର ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ପ୍ରଚାର ଦାୟିତ୍ଵ ଦିଆଯାଇଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହାର ମଙ୍ଗ ଧରିଛନ୍ତି।ସେହିପରି ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ
ପଟ୍ଟନାୟକଙ୍କ ସହ ବହୁ ବିଧାୟକ ରହିଛନ୍ତି । ହେଲେ ନବୀନଙ୍କ ଦେଖା ମିଳିନି ନୂଆପଡାରେ। ଛାମୁଆଁ ନେତା ସେଠି ଡେରା ପକାଇଛନ୍ତି।କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । କେନ୍ଦ୍ରରୁ କିଛି ହେଭିୱେଟ୍ ନେତାଙ୍କ ସହ ରାଜ୍ୟର ବିଧାୟକଙ୍କ ନାମ ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି । ନୂଆପଡା ରାଜନୈତିକ ଇତିହାସକୁ ଦେଖିଲେ ଏଠି ଯେତେ ଥର ଉପନିର୍ବାଚନ ହୋଇଛି, ସବୁ ଥର କଂଗ୍ରେସ ଦଳ ସପକ୍ଷରେ ଯାଇଛି । ହେଲେ ଏଥର କାହା ସପକ୍ଷରେ ଯିବ, ରାଜନୀତି ବିଶ୍ଳେଷକମାନେ ବି ପୂର୍ବାନୁମାନ କରିପାରୁ ନାହନ୍ତି। ଏଥର ଏଥିରେ ବ୍ୟତିକ୍ରମ ଦେଖାଦେବାର ଯଥେଷ୍ଟ ସମ୍ଭାବନା ଦେଖାଦେଉଛି। ବାପାଙ୍କ ଆଦର୍ଶକୁ ନେଇ ବିଜେପିରେ ସାମିଲ ହୋଇ ‘ପଦ୍ମ’ ଧରିଥିବା ଜୟ ଢୋଲକିଆଙ୍କ ଜୟ ହେବ ନା ଆଦିବାସୀ ନେତା ଘାସିରାମ ଆଦିବାସୀ ଅଙ୍କରେ ବାଜି ମାରିବେ ? ଏପଟେ ଜିଲ୍ଲା ବାହାର ନେତ୍ରୀ ସେହ୍ନାଙ୍ଗିନୀ ଛୁରିଆଙ୍କୁ ମଇଦାନକୁ ଛାଡ଼ିଥିବା ବିଜେଡିର ବିଜୟ ବାନା ଉଡ଼ି ଗଡ଼ରକ୍ଷା ସମ୍ଭବ କି ? ତାକୁ ନେଇ ଏବେ ବି ଚାଲିଛି ଅଙ୍କକଷା। ଚା ଖଟିରେ ଚାଲିଛି ଚର୍ଚ୍ଚା। ବଡ଼ କଥା ହେଉଛି ନୂଆପଡ଼ା ବିଧାନସଭା ଅନ୍ତର୍ଗତ ନୂଆପଡ଼ା, କୋମନା, ଖରିଆରରୋଡ୍ର ବିଭିନ୍ନ ଗାଁରେ ଦଳମାନଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ମତଦାତାଙ୍କୁ ଅକୃଷ୍ଟ କରିବା ଉଦ୍ୟମ ଜୋରଦାର ଚାଲିଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ରାଜ୍ୟର ପ୍ରମୁଖ ନେତାମାନେ ନୂଆପଡ଼ା ବାଜି
ମାରିବାକୁ ଏଠାରେ ଡେରା ପକାଇଛନ୍ତି । ତେବେ ନୂଆପଡ଼ା ଜିତିବାକୁ ବିଜେପିର କସରତ ଜୋରଦାର ହୋଇଛି ।
ନୂଆପଡ଼ା ଉପନିର୍ବାଚନ ପାଇଁ ଦଳ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ଵ ଦେଇଛି । ୮ଟି ଜୋନକୁ ଜଗିବେ ୮ ଜଣ ମନ୍ତ୍ରୀ । ବିଜେଡି ମଧ୍ଯ ଗଡ଼ ବଜାୟ ରଖିବା ପାଇଁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ଵ ବାଣ୍ଟିଛି। ଅଣ୍ଟା ବାନ୍ଧି ନେତା ସବୁ ଗଡ଼ ରକ୍ଷା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।ବିଜେଡି ନୂଆପଡ଼ା ବ୍ଳକ, ନୂଆପଡ଼ା ଏନ୍ଏସି, କୋମନା ବ୍ଳକ ଓ ଖରିଆରରୋଡ୍ ଏନ୍ଏସିରେ ଦଳର ନେତାମାନଙ୍କୁ ଦାୟିତ୍ଵ ଦେଇଛି । ସେହିପରି କଂଗ୍ରେସ ପଶ୍ଚିମ ଓଡିଶା ନେତାଙ୍କ ଉପରେ ଭରଷା କରି ଦାୟିତ୍ଵ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ।ତେବେ ନୂଆପଡାବାସୀ କାହାକୁ ଆଶ୍ରିବାଦ କରୁଛନ୍ତି, ତାହା ଜାଣିବା ପାଇଁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ସତ କିନ୍ତୁ ହାର ଜିତର ଲମ୍ଭା ହାରରେ ଏଥର ରାଜନୀତି ସମୀକରଣ ବଦଳି ଯାଉଛି ଏହା ଆଜିଠୁ ଜଳ ଜଳ ଦେଖାଯାଉଛି।

