ମା, ପୁଅଙ୍କ ଅଣଦେଖା ଅଭିଯୋଗରେ ବିଜେଡି ଖୋଲିଲା ମୁହଁ ଲେଖାଶ୍ରୀ କହିଲେ ଭିତ୍ତିହୀନ,ସଞ୍ଜୟ କହିଲେ ମନ୍ତବ୍ୟର ଆତ୍ମସମୀକ୍ଷା କରନ୍ତୁ
ନୂଆପଡା: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁ ଅରୁଚିକର, ତଥ୍ୟ ବିହୀନ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର ।ସେହିପରି ଅଣଦେଖା ଅଭିଯୋଗର ଆତ୍ମ ସମୀକ୍ଷା କରନ୍ତୁ ବୋଲି କହିଛନ୍ତି ସଞ୍ଜୟ ଦାଶ ବର୍ମା।
୩ ତାରିଖ କୋମନା ବ୍ଲକ କୁ ଏକ ନିର୍ବାଚନୀ ସଭାକୁ ଆସି ମୁଖ୍ୟମନ୍ତ୍ରୀ ଜୟ ଢୋଲକିଆ ଙ୍କୁ ବେଇମାନ କହିବା ପ୍ରସଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଙ୍ଗଳବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହାକୁ ନିନ୍ଦା କରି ବାପା ରାଜୁ ଢୋଲକିଆଙ୍କୁ ନବୀନ ଅଣଦେଖା କରିଥିବା ଅଭିଯୋଗ ଆଣି ମତେ ବେଇମାନ କହିବା ପୂର୍ବରୁ ସେ ନିଜେ ଆତ୍ମସମୀକ୍ଷା କଲେ ଜାଣିପାରିବେ କିଏ ବେଇମାନ ବୋଲି ଜୟ କହିବା ସହ ଆମ ପରିବାର ଏକାଠି ଥିବାବେଳେ ନବୀନ ଏକ ଜନ ସଭାରେ ଏଭଳି ମନ୍ତବ୍ୟ ଦେବା ତାଙ୍କ ପ୍ରତି କିଛି ଯାଏଆସେ ନାହିଁ ବରଂ ତାଙ୍କ ସ୍ଵଚ୍ଚତା ଉପରେ ଏକ କଳଙ୍କ ବୋଲି କହିଥିଲେ। ସେପରି ଜୟଙ୍କ ମା ବିଜେଡିର ଅସହଯୋଗ କାରଣରୁ ତାଙ୍କ ସ୍ୱାମୀଙ୍କ ପରଲୋକ ହୋଇଥିବା ଆଗରୁ କହିଥିଲେ। ଏହାକୁ ନେଇ ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଡାକି ମା ପୁଅଙ୍କ ଯୁକ୍ତିକୁ ଜଣେ ଖଣ୍ଡନ କରି ଅଭିଯୋଗ ଭିତ୍ତିହୀନ ଓ ଏହା ଗ୍ରହଣୀୟ ନୁହେଁ ବୋଲି କହିଥିବା ବେଳେ ଆଉ ଜଣେ ମା ପୁଅ ଆତ୍ମାସମୀକ୍ଷା କରନ୍ତୁ ବୋଲି କହିଛନ୍ତି।
ଆଜି ନୂଆପଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତରାୟ କଡ଼ା ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଜୟ ଢୋଲକିଆ ନିଜ ସ୍ୱାର୍ଥ ପାଇଁ କୌଣସି ଦଳକୁ ବି ଯାଇପାରିବେ । କିନ୍ତୁ ନିଜ ସ୍ୱାର୍ଥ ସାଧନ ପାଇଁ ଯେଉଁ ଦଳ ସହିତ ତାଙ୍କ ବାପାଙ୍କ ପରିଚୟ ଥିଲା, ଯେଉଁ ନେତାଙ୍କ ସହ ସ୍ୱର୍ଗତ ରାଜୁ ଭାଇ ଦୀର୍ଘ ଦିନ ଧରି କାମ କରିଥିଲେ, ନିଜ ଆନୁଗତ୍ୟ ପ୍ରକାଶ କରି ଆସୁଥିଲେ, ସେହି ଦଳକୁ ହଠାତ୍ କୁତ୍ସାରଟନା କରିବା ହୀନମାନ୍ୟତାର ପରିଚୟ । ଏହାକୁ ହୀନ ରାଜନୀତି ବୋଲି କୁହାଯିବ ।
ରାଜୁ ଭାଇ ତିନି ଥର ବିଧାୟକ ହୋଇଛନ୍ତି, ନବୀନ ବାବୁଙ୍କ ସରକାରରେ ମନ୍ତ୍ରୀ ହୋଇଛନ୍ତି । ଆଜି ଯେଉଁମାନେ ବିଜେଡି ସହ ରାଜୁ ଭାଇଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କୁ କହିବାକୁ ଚାହୁଁ, ବିଜେଡିର ଆର୍ଶୀବାଦ ବିନା ସେ ବିଧାୟକ ହୋଇଥିଲେ କି? ନବୀନ ବାବୁଙ୍କ ସହଯୋଗ ବିନା ସେ କିପରି ମନ୍ତ୍ରୀ ହେଲେ । ଶେଷ ପର୍ଯ୍ୟନ୍ତ ନବୀନ ବାବୁଙ୍କ ସହ ରାଜେନ୍ଦ୍ର ଭାଇଙ୍କର ଉତ୍ତମ ସମ୍ପର୍କ ଥିଲା । ନିର୍ବାଚନ ପରାଜୟ ଭୟରେ ଜୟଙ୍କୁ ନେଇ ଏକ ହୀନ ରାଜନୀତିର କାର୍ଡ ଖେଳାଯାଇଛି ।
ରାଜୁ ଭାଇ ଚେନ୍ନାଇରେ ଚିକିତ୍ସିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ନବୀନ ନିବାସରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଉଥିଲା । ସେଠାରେ ତାଙ୍କର ଭଲ ଚିକିତ୍ସା ପାଇଁ ବିଜେଡି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ପରେ ନବୀନ ବାବୁ ନିଜ ଚିକିତ୍ସା ପାଇଁ ମୁମ୍ୱାଇ ଗଲେ । ସେ ସମୟରେ ଦୁର୍ଭାଗ୍ୟବଶତଃ ରାଜୁ ଭାଇଙ୍କର ପରଲୋକ ହେଲା । ଏହାପରେ ତାଙ୍କ ମରଶରୀରକୁ ନୂଆପଡ଼ା ଆଣିବା ପାଇଁ ନବୀନ ବାବୁଙ୍କ ନିଦେ୍ର୍ଦଶକ୍ରମେ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ମୃତଦେହ ଆସିବା ପରେ ଅନ୍ତ୍ୟେଷ୍ଟି କ୍ରିୟା କେବଳ ବିଜେଡି ସହଯୋଗରେ ହୋଇଥିଲା । ଏକାଦଶାହରେ ଦଳର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ଏବଂ ନବୀନ ବାବୁ ଦିଲ୍ଲୀରୁ ଭିଡିଓ କନଫରେସିଂ ଜରିଆରେ ଯୋଗ ଦେଇଥିଲେ । ଜୟ ଢୋଲକିଆ କେବଳ କାହା ଦ୍ୱାରା ପ୍ରେରିତ ହୋଇ ବିଜେଡି ବିରୋଧରେ ଅଣଦେଖା ଅଭିଯୋଗ କରୁଛନ୍ତି । ବିଜେପିର ପ୍ରାର୍ଥୀ ହେଲା ପରେ ଜୟ ବିଜେଡି ବିରୋଧରେ ବିଷୋଦଗାର କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତରାୟ କହିଛନ୍ତି।ଏହି ସମ୍ମିଳନୀରେ ନୂଆପଡ଼ା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ ଉପସ୍ଥିତ ଥିଲେ ।
ଅପରପକ୍ଷରେ ବିଜେଡି ଓ ନବୀନ ବାବୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଅଣଦେଖା କରିଥିବା ନେଇ ଆଜି ଜୟ ଢୋଲକିଆ ଏବଂ ତାଙ୍କ ମାତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାର ତୀବ୍ର ନିନ୍ଦା କରିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା । ସେ କହିଛନ୍ତି ଯେ, ଜୟଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ନିରାଧାର।ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ତିନି ଥର ବିଧାୟକ ଭାବେ ଜିତିଥିଲେ ସ୍ୱର୍ଗତ ରାଜୁ ଢୋଲକିଆ । ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ନବୀନ ବାବୁ ମଧ୍ୟ ମନ୍ତ୍ରୀ କରିଥିଲେ । ନୂଆପଡାରେ ବିକାଶ ଯାହା ବି ହୋଇଛି ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ହୋଇଛି। ରାଜେନ୍ଦ୍ରଙ୍କ ବିଚାରଧାରାକୁ ହତ୍ୟା କରି ଜୟ ଢୋଲକିଆ ବିଜେପିକୁ ଯାଇ ଡାହା ମିଛ କହୁଛନ୍ତି । ଜୟ ନିଜ ମନ୍ତବ୍ୟର ଆତ୍ମସମୀକ୍ଷା କରନ୍ତୁ
ଶ୍ରୀ ଦାସବର୍ମା କହିଥିଲେ ମୁଁ ନବୀନ ପଟ୍ଟନାୟକଙ୍କ ସହ ଅଛି, ବିଜୁ ବିଚାରଧାର ସହ ଅଛି । ନବୀନ ବାବୁ ମୋତେ ଆଶୀର୍ବାଦ କରିଛନ୍ତି ନୂଆପଡାରେ ପ୍ରାର୍ଥୀ ହେବା ପାଇଁ । ତା ପରେ ଦିଲ୍ଲୀରେ କ’ଣ ଡିଲ୍ ହେଲା ଯେ, ସେ ବିଜେଡି ଛାଡି ବିଜେପି ପଳାଇଲେ । ତାହାକୁ ଜୟ ଢୋଲକିଆ ସ୍ପଷ୍ଟ କରିବା ଉଚିତ । ରାଜେନ୍ଦ୍ର ଢୋଲକିଆଙ୍କ ବିଚାରଧାରାକୁ ହତ୍ୟା କରି ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଜୟ ଢୋଲକିଆ ଯେଉଁ ଅପଚେଷ୍ଟା କରୁଛନ୍ତି, ସେଥିରେ ସେ ସଫଳ ହେବେ ନାହିଁ।ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ହେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କ ସହ ଯୋଗାଯୋଗରେ ଥିଲେ । ନବୀନ ବାବୁଙ୍କ ନିଷ୍ପତ୍ତିରେ ଚେନ୍ନାଇରୁ ରାଜୁ ଭାଇଙ୍କ ମରଶରୀର ଆଣିବା ପାଇଁ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ପ୍ରେମୀ ଓ ଢୋଲକିଆ ପ୍ରେମୀ ଏକାଠି ହୋଇଥିଲେ । ନବୀନ ବାବୁ ଦିଲ୍ଲୀରେ ଥିବାରୁ ଭର୍ଚୁଆଲରେ ଯୋଗ ଦେଇଥିଲେ । ଜୟ ଢୋଲକିଆଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଯେଉଁ ଡିଲ ହୋଇଛି ତାହାର ଆଜି ପର୍ଦ୍ଦାଫାଶ ହୋଇଛି । ନୂଆପଡାବାସୀ ଏହାର ସଠିକ୍ ଜବାବ ଦେବେ । ବିଜୁ ବିଚାରଧାରା ଓ ରାଜୁ ଢୋଲକିଆଙ୍କ ଜୀବନବ୍ୟାପୀ ଯେଉଁ ସଂଘର୍ଷ ରହିଛି, ତାହାକୁ ଯିଏ ହତ୍ୟା କରିଛି ନୂଆପଡାବାସୀ ହିଁ ତା’ର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

