Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ ଟିମ: କଡା ସୁରକ୍ଷା ବ୍ୟବସ୍ଥାରେ କରିବେ ଟିକି ନିକି ଅନୁଧ୍ୟାନ

ଆଜିଠୁ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ନେଇ ଉଦ୍ଦିଷ୍ଟ ଏହି ଟ୍ରିବ୍ୟୁନାଲ ଟିମ୍ ଗତକାଲି ଅପରାହ୍ନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁର୍ଲା ଅଶୋକ ନିବାସକୁ ପାଛୋଟି ଅଣାଯାଇଥିଲା। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏଏମ ଖାନୱିଲକର୍ ଙ୍କ ନେତୃତ୍ୱରେ ୩ ଜଣିଆ ବିଚାରପତି ଦଳ ରହିଛନ୍ତି। ଏହି ଟିମ୍ ସହ ଆସେସର ବିଶେଷଜ୍ଞ ଦଳ ନୂଆଁଦୀଲ୍ଲିରୁ ଆସିଛନ୍ତି । ଏମାନଙ୍କ ସହ ଓଡିଶା ଓ ଛତିଶଗଡ଼ର ଜଳ ସଂପଦ ଅଧିକାରୀ,ବୈଷୟିକ ଟିମ ଓ ଆଇନଜୀବୀ ଟିମ ରହିଛନ୍ତି। ସମସ୍ତଙ୍କ ଉପସ୍ଥିତିରେ ଗତ କାଲି ରାତିରେ ଏକ ପ୍ରସ୍ତୁତି ବୈଠକରେ ପୁରା ଗସ୍ତର ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ତେବେ ଏହାକୁ ସଂପୁର୍ଣ୍ଣ ଗୋପନୀୟ ରଖା ଯାଇଥିବା ବେଳେ ଗଣମାଧ୍ୟମକୁ ମଧ୍ଯ ଏଥିରୁ ଦୂରେଇ ରଖାଯାଇଛି। ମିଳିତ ଟିମ୍ ଗୋପନୀୟ ଭାବେ ମହାନଦୀ ବିବାଦକୁ ନେଇ ଉପୁଜିଥିବା ସମସ୍ୟାର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ରୋଡ ମ୍ୟାପରେ ସ୍ଥାନ ପାଇଥିବା ଅସମର୍ଥିତ ସୂତ୍ରୁରୁ ଜାଣିବାକୁ ମିଳିଛି। ତେବେ ବନ୍ଧର ସ୍ଥିତି,ଜଳ ଧାରଣର କ୍ଷମତା ଓ ଏହାର ପରିଚାଳନା,ଜଳ ପ୍ରବାହର ଟିକିନିକି ସ୍ଥିତି ଅନୁଧ୍ୟାନ କରିବା ସହିତ ଗାନ୍ଧି ମିନାର ବାମ ପାର୍ଶ୍ୱର ସିଲୱେ,ବୁର୍ଲା ପଟର ପାୱାର ହାଉସ୍ ପରିଦର୍ଶନ କରି ଅପରେସନ୍ ଗ୍ୟାଲେରୀ,ଗେଟ ଅପରେସନ୍ ବ୍ୟବସ୍ଥା ନେଇ ଅନୁଧ୍ୟାନ କରିବେ। ଏହା ସହ ବ୍ରାହ୍ମଣୀ ବେସିନ ଉପରେ ତଥ୍ୟ ସଂଗ୍ରହ,ଈବ୍ ନଦୀରେ ଥିବା ରମ୍ଫେଲା ନିକଟସ୍ଥ ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପର ଉଭୟ ୟୁନିଟ୍ ବୁଲି ଦେଖିବା ଭଳି କାର୍ଯ୍ୟକ୍ରମ ରହିଛି। ଏହାକୁ ଆଖି ଆଗରେ ରଖି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜବାହାର ମିନାରକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରାଯାଇଥିବା ବେଳେ ସର୍ବସାଧାରଣ ପ୍ରବେଶକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏଥିପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ତେବେ ଏହି ଉଚ୍ଚସ୍ତରୀୟ ଟ୍ରିବ୍ୟୁନାଲ ଟିମ୍ ଙ୍କ ରିପୋର୍ଟକୁ ଆଧାରକରି ମହାନଦୀ ଜଳ ବିବାଦର ସହଜ ଓ ସରଳ ସମାଧାନ ପନ୍ଥା ବାହାରି ପାରିବ ବୋଲି ସବୁ ମହଳରେ ବିଶ୍ୱାସ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ