Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାର ଓଡ଼ିଶାକୁ ବିଜେପି ସରକାର ଛାରଖାର କରିଦେଲା: ବିଜେଡି

ନୂଆପଡ଼ା: ରାଜ୍ୟର ଗରିବ, ପ୍ରବାସୀ ଶ୍ରମିକ, କୃଷକ, ମହିଳା ମାନଙ୍କ ପାଇଁ ନବୀନ ସରକାର ଯାହା ସବୁ କରିଥିଲେ, ତାକୁ ମୋହନ ସରକାର ଛାରଖାର କରିଦେଲେ । ୧୬ ମାସ ଭିତରେ ରାଜ୍ୟକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ନେବାର ସବୁ ବନେ୍ଦାବସ୍ତ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରିବାରେ ଏହି ସରକାର ଗୁରୁତର ବିଫଳ ହେବା ସହ ଲୋକଙ୍କୁ କେବଳ ପ୍ରତାରଣା ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରି ବିଜେପି ସରକାର ଉପରେ ପ୍ରବଳ ବର୍ଷିଛି । ଗୁରୁବାର ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ଧ୍ରୁବ ଚରଣ ସାହୁ ବିଜେପି ସରକାରଙ୍କ ଅପାରଗତାର ହିସାବ ଦେଇ ଉପନିର୍ବାଚନରେ ବିଜେପିର ପରାଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଓଡ଼ିଶାର ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା କାହାକୁ ଅଛପା ନାହିଁ । କିନ୍ତୁ ରାଜ୍ୟର ସ୍ଥିତି ଆଜି ଦ୍ରୁତ ଗତିରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଖୋଦ୍ କେନ୍ଦ୍ର ସରକାରଙ୍କ ରିପୋର୍ଟ କହିଛି, ଓଡ଼ିଶାରେ ପ୍ରତି ଦିନ ହାରାହାରି ୧୫ ଜଣ ମହିଳା ବଳାକ୍ରାରର ଶିକାର ହେଉଛନ୍ତି । ଗତ ୧୬ ମାସ ଭିତରେ ୪ ହଜାର ମହିଳା ଏହି ଦଶା ଭୋଗିଲେଣି । ବେସରକାରୀ ଭାବେ ଏହି ସଂଖ୍ୟା ଢ଼େର ଅଧିକ ହେବ । ଏହା ହେଉଛି ବିଜେପି ସରକାରର ମହିଳା ଜାଗରଣ ଓ ସଶକ୍ତିକରଣ । ଶ୍ରୀ ଆଚାର୍ଯ୍ୟ କହିଥିଲେ, ଚାଷୀଙ୍କୁ ଇନପୁଟ ସବ୍ସିଡି ଦେଇ ଏମଏସପି ବୃଦ୍ଧି କଲେ ବୋଲି କହୁଛନ୍ତି । କିନ୍ତୁ ଯୋଗାଣ ବିଭାଗ ଏପରି ଏକ ପଞ୍ଜିକରଣ ବ୍ୟବସ୍ଥା ଆବିଷ୍କାର କଲେ, ଯେଉଁଥିରେ ହଜାର ହଜାର ସଂଖ୍ୟକ ଚାଷୀ ପଞ୍ଜିକରଣ କରି ନପାରି ଶାଗ ମାଛ ଦରରେ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ବିଏସ୍କେୱାଇ ଭଳି ଏକ ଲୋକପ୍ରିୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରି ଆୟୁଷ୍ମାନ କାର୍ଡ ପ୍ରଚଳନ କରିବା ପରେ ଡ଼ାକ୍ତରଖାନାରେ ରୋଗୀ ଚିକିତ୍ସା ନ ପାଇ ଛଟପଟ ହେଉଛନ୍ତି । ସୁଭଦ୍ରା ଯୋଜନାରେ ବର୍ଷକରେ ୫୦ ହଜାର ଟଙ୍କା ଦେବେ ବୋଲି କହି ୫ ବର୍ଷରେ ୫୦ ହଜାର ଦେଉଛନ୍ତି । ସେଥିରେ ପୁଣି ହଜାର ହଜାର ଲକ୍ଷପତି ଦିଦି ସୃଷ୍ଟି କରିଦେଇଛନ୍ତି ବୋଲି ସଫେଇ ଦେବା ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହେଁ । ରାଜ୍ୟକୁ ଶିଳ୍ପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି ବୋଲି ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ କେତେ ନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲା ତା’ର ହିସାବ ଦେଇପାରୁ ନାହାନ୍ତି । ମାଗଣା ୩୦୦ ୟୁନିଟ୍ ବିଜୁଳି, ସମସ୍ତ ସାମାଜିକ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଦିବା ସ୍ୱପ୍ନ ପାଲଟି ଯାଇଛି । ଏଥିପାଇଁ ଲୋକେ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।
ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଏହି ସରକାରରେ ଗରିବ ଲୋକ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି । ମୋହନ ସରକାର ଇ-କେୱାଇସି ନାମରେ କେବଳ ନୂଆପଡ଼ା ନିର୍ବାଚମଣ୍ଡଳୀରେ ୪୧,୭୭୧ ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇ ସେମାନଙ୍କ ରାସନ ବନ୍ଦ କରିଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ନୂଆପଡ଼ାର ଅନେକ ଲୋକ ବାଦ୍ ପଡିଥିବା ଜାଣିବା ପରେ ନବୀନ ବାବୁ ଏହି ଠାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ । ସେହିପରି କୋଭିଡ୍ ସମୟରେ ବାହାରେ ରହୁଥିବା ସମସ୍ତ ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱତନ୍ତ୍ର ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲେ । ହେଲେ ବିଜେପି କ୍ଷମତାକୁ ଆସିବା ପରେ ରାସନ କାର୍ଡ କାଟିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରି ଲକ୍ଷାଧିକ ଯୋଗ୍ୟ ହିତାଧିକାରଙ୍କ ରାସନ ବନ୍ଦ କଲେ । କେବଳ ନୂଆପଡ଼ା ବ୍ଲକରେ ୧୭,୩୦୩, କୋମନା ବ୍ଲକରେ ୨୩,୫୬୫, ନୂଆପଡ଼ା ଏନଏସିରେ ୩୬୩ ଏବଂ ଖରିଆର ରୋଡ଼ ୪୮୯ ଜଣଙ୍କୁ ବାଦ୍ ଦିଆଯାଇଛି । ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ସର୍ବଦା ଦାୟିତ୍ୱହୀନ ବୋଲି ସ୍ପଷ୍ଟ ହୋଇଚାଲିଛି । ଏହାକୁ କ’ଣ ଲୋକଙ୍କ ସରକାର ବୋଲି କୁହାଯିବ ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିବା ସହ ନୂଆପଡ଼ାବାସୀ ଭୋଟ ମାଧ୍ୟମରେ ଏହାର ଜବାବ୍ ଦେବେ ବୋଲି କହିଛନ୍ତି ।
ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନୀବନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ବହୁ ଯଶକିର୍ତ୍ତୀ ଅର୍ଜନ କରିଥିଲା । ସବୁ୍ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । କିନ୍ତୁ ଲୋକଙ୍କ ସରକାର ବୋଲାଉ ଥିବା ଏହି ସରକାର କେବଳ ରାଜ୍ୟ ତଥା ରାଜ୍ୟବାସୀଙ୍କ ଅନିଷ୍ଟ କରି ଚାଲିଛି । କେବଳ ପ୍ରତାରଣା ହିଁ ଦେଇଛି । ଏଥିପାଇଁ ନୂଆପଡ଼ା ଉପ ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ଶ୍ରୀ ନାୟକ କହିଥିଲେ ।
ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ, ବିଜେପି ସରକାରଙ୍କୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଛି । ଏପରି ଏକ ସରକାର ପାଇଁ ଲୋକେ ବିବ୍ରତ ଅଛନ୍ତି । ଆଗାମୀ ୧୧ ତାରିଖ ଦିନ ଏହି ଆକ୍ରୋଶ ଭୋଟ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ନୂଆପଡ଼ାବାସୀ ନିଷ୍ପତ୍ତି ନେଇ ସାରିଛନ୍ତି । ସେ ଆହୁରି କହିଥିଲେ, କ୍ଷମତା ଲୋଭରେ ବିଜେପି ଓ ରାଜ୍ୟ ସରକାର ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରି ଚାଲିଛନ୍ତି । ଶାଢ଼ୀ, ମଦ, ଟଙ୍କା ବଣ୍ଟା ଯାଉଛି । ପ୍ରଶାସନକୁ ଲଗାଇ ବିଜେଡି ନେତା, କର୍ମୀ ଓ ସାଧାରଣ ଭୋଟରଙ୍କୁ ଭୟଭିତ କରାଯାଉଛି । ଆତଙ୍କର ଛାୟା ମଧ୍ୟରେ ନିର୍ବାଚନ କରିବା ପାଇଁ ସରକାର ସବୁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହୁ କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ