କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ମହମ୍ମଦ ଜୁନେଦ
ନୂଆପଡ଼ା: ନୂଆପଡ଼ା କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ତଥା ଖରିଆର ରୋଡ଼ ନଗର କଂଗ୍ରେସର ପୂର୍ବତନ ସଭାପତି ମହମ୍ମଦ ଜୁନେଦ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ପରକୋଡ୍ ଠାରେ ଆୟୋଜିତ ବିଜେଡିର ଜନସଭା ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ମିଶିଥିଲେ । ନିଜ ପ୍ରତିକ୍ରିୟାରେ ଜୁନେଦ କହିଛନ୍ତି, ମୁଁ ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ଦଳରେ ନିଷ୍ଠାର ସହ କାମ କରି ଆସୁଥିଲି । କିନ୍ତୁ କଂଗ୍ରେସ କେବଳ ନିର୍ବାଚନ ସମୟରେ ସକ୍ରିୟ ହୋଇଯାଏ ଏବଂ ନିର୍ବାଚନ ସରିବା ପରେ ସମସ୍ତେ ଚୁପ୍ ବସି ଯାଉଛନ୍ତି । ଲୋକଙ୍କ ସହ ଦଳର ସମ୍ପର୍କ ରହୁନାହିଁ । ଅପରପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା ଓ ଆଦର୍ଶ ମୋତେ ସର୍ବଦା ପ୍ରଭାବିତ କରିଥିଲା । ବିଜେଡି ସରକାର ଅମଳରେ ଓଡ଼ିଶାରେ ଯେଉଁ ଅଭୂତପୂର୍ବ ବିକାଶ ହୋଇଛି ତାହା ପୂର୍ବରୁ କେବେ ହୋଇନଥିଲା । ସେ ସାରା ଦେଶର ଜଣେ ଅପ୍ରତିଦ୍ୱନ୍ଦୀ ନେତା । ତେଣୁ ଆଜି ମୁଁ ବିଧିବଦ୍ଧ ଭାବେ ବିଜେଡିରେ ମିଶିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି ।

