ଚିରଞ୍ଜୀବଙ୍କ ଆଉ କଂଗ୍ରେସରେ ମନ ନାହିଁ, ବିଜେଡି ଟିକେଟରେ ଲଢିବାକୁ ଚାହାନ୍ତି ଜଗତସିଂହପୁର ନିର୍ବାଚନ !


ଜଗତସିଂହପୁର: ଓଡ଼ିଶାରେ କଂଗ୍ରେସର ଅବସ୍ଥା ଶୋଚନୀୟ। ସେ ବିଧାନସଭା ହେଉ କି ଉପନିର୍ବାଚନ ସେ ଯେ କୌଣସି ନିର୍ବାଚନ ହେଉ କଂଗ୍ରେସ ନିଜର ଅମାନତ ହରାଇ ଚାଲିଛି। ତେଣୁ ଦଳୀୟ ନେତା କଂଗ୍ରେସରେ ନିଜର ରାଜନୈତିକ ଭବିଷ୍ୟତ ସୁରକ୍ଷିତ ମଣୁ ନାହାନ୍ତି। ଫଳସ୍ଵରୂପ କଂଗ୍ରେସର ପୁରୁଖା ଏବଂ ବରିଷ୍ଠ ନେତା ମଧ୍ୟ ଦଳ ଛାଡ଼ି ଅନ୍ୟ ଦଳରେ ମିଶିବାକୁ ଉଚିତ୍ ମଣୁଛନ୍ତି। କଂଗ୍ରେସର ପୂର୍ବତନ ବିଧାନସଭାର ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ହୁଅନ୍ତି କି ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ପ୍ରଦୀପ ମାଝୀ, ସମସ୍ତେ ନିଜ ନିଜର ରାଜନୈତିକ ମହତ୍ଵାକାଂକ୍ଷୀ ପାଇଁ କଂଗ୍ରେସ ଛାଡ଼ିଛନ୍ତି। ଏହି କ୍ରମରେ ଏବେ ଆଉ ଜଣେ ବରିଷ୍ଠ ନେତା ଅଛନ୍ତି ଯିଏ କେଉଁ ସମୟରେ ବି କଂଗ୍ରେସ ଛାଡ଼ି ପାରନ୍ତି। ସେ ନେତା ଜଣକ ହେଉଛନ୍ତି ଚିରଞ୍ଜୀବ ବିଶ୍ଵାଳ।

ଚିରଞ୍ଜୀବ ବିଶ୍ଵାଳ ହେଉଛନ୍ତି ପୂର୍ବତନ ଜଗତସିଂହପୁର ବିଧାୟକ। ସେ କଂଗ୍ରେସର ଜଣେ ବରିଷ୍ଠ ନେତା। ହେଲେ କଂଗ୍ରେସରେ ଥାଇ ସୁଦ୍ଧା ଦଳ ପ୍ରତି ତାଙ୍କର ମନ ଆଉ ନାହିଁ। କଂଗ୍ରେସରେ ରହି ନିଜର ରାଜନୈତିକ ଭବିଷ୍ୟତ ସୁରକ୍ଷିତ ମଣୁ ନାହାନ୍ତି। କାରଣ ରାଜ୍ୟରେ କଂଗ୍ରେସ ବୁଡ଼ିବା ଡଙ୍ଗା ସଦୃଶ ରହିଛି। ପ୍ରତ୍ୟେକ ନିର୍ବାଚନରେ ଦଳ ଅମାନତ ହରାଇ ଚାଲିଛି। ତେଣୁ ଚିରଞ୍ଜୀବ ଦେଶର ସବୁଠୁ ପୁରାତନ ରାଜନୈତିକ ଦଳରେ ରହିବାକୁ ଚାହୁଁ ନାହାନ୍ତି। ସେ ଆଗାମୀ ଦିନରେ ବିଜେପି ଏବଂ ବିଜେଡ଼ିରେ ଯୋଗ ଦେଇ ପାରନ୍ତି। ଏପରିକି ବିଗତ ଦିନରେ ସେ ଉଭୟ ଦଳ ସହିତ ଆଲୋଚନା କରି ସାରିଛନ୍ତି। ହେଲେ ଦୁଇ ଦଳରୁ ଏ ପର‌୍ୟ୍ୟନ୍ତ ଗ୍ରୀନ ସିଗ୍ନାଲ ମିଳିନାହିଁ। ସେପଟେ ଚିରଞ୍ଜୀବଙ୍କୁ ବିଧାନସଭା ଲୋଭ ଘାରିବାରେ ଲାଗିଛି। ସେ ଯେମିତି ବି ହେଉ ନିର୍ବାଚନ ଜିତି ବିଧାନସଭାରେ ପଶିବାକୁ ଚାହାନ୍ତି। କଂଗ୍ରେସ ଦଳରେ ରହି ବିଧାନସଭାର ମାଟି ମାଡ଼ିବା କଷ୍ଟ ବୋଲି ସେ ହୃଦୟଙ୍ଗମ କରି ସାରିଲେଣି।

ପୂର୍ବରୁ ଜଗତସିଂହପୁରର ବିଧାୟକ ରହିଥିବାରୁ ପୁନର୍ବାର ଏହି ଆସନରୁ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛନ୍ତି ଚିରଞ୍ଜୀବ। ତେଣୁ ସେ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହ ମିଶି ତାଙ୍କ ସ୍ଥାନ ନେବାକୁ ଚେଷ୍ଟା କରୁଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା। ଜଗତସିଂହପୁର ଆସନରୁ ଲଢି ପୁଣି ଥରେ ବିଧାନସଭା ଯିବାକୁ ମନ ବଳାଇଛନ୍ତି ଚିରଞ୍ଜୀବ। ଅନ୍ୟପଟେ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଶାନ୍ତ ବର୍ତ୍ତମାନ ସରକାରୀ ଦଳର ମୁଖ୍ୟ ସଚେତକ। ତଥାପି ବିଜେଡ଼ି ପ୍ରଶାନ୍ତଙ୍କ ପ୍ରତି ବଢୁଥିବା ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଟାଣୁଆ ନେତା ଖୋଜୁଥିବା କୁହାଯାଉଛି।

ସେପଟେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଅମରେନ୍ଦ୍ର ଦାସ ମଧ୍ୟ ଟିକେଟ୍ ପାଇଁ ଲବି କରୁଥିବା ତାଙ୍କର ସମର୍ଥକମାନେ କହୁଛନ୍ତି। ଜଗତସିଂହପୁରର ୫-୫ ଥର ବିଧାୟକ ରହିଥିବା ପୂର୍ବତନ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କ ଘନିଷ୍ଠ ଥିଲେ ଅମରେନ୍ଦ୍ର ଦାସ। ତେଣୁ ପ୍ରଶାନ୍ତଙ୍କ ପ୍ରତି ରହିଥିବା ଜନତାଙ୍କ ପ୍ରବଳ ଅସନ୍ତୋଷକୁ ଢାଲ କରି ଅମରେନ୍ଦ୍ର ଜଗତସିଂହପୁର ଟିକେଟ୍ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଏବଂ ଲୋକଙ୍କ ସମର୍ଥନ ଲଢୁଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ବିଜେଡିରେ ଲାଗି ରହିଥିବା ଅନ୍ତଃକନ୍ଦଳର ଫାଇଦା ନେବାକୁ ଚାହିଁ ରହିଛନ୍ତି ଚିରଞ୍ଜୀବ ବିଶ୍ଵାଳ।

ଚିରଞ୍ଜୀବ ବୁଝି ସାରିଲେଣି ଯେ, ରାଜ୍ୟରେ କଂଗ୍ରେସ ପ୍ରତି ଜନତାଙ୍କ ଆଉ ତିଳେ ହେଲେ ଭରସା ନାହିଁ। ଦଳର ସ୍ଥିତି ମଧ୍ୟ ଦୟନୀୟ ରହିଛି। ତେଣୁ ଏହି ଦଳରେ ରହିଲେ ତାଙ୍କର ବିଧାନସଭା ମାଟି ମାଡ଼ିବା କଷ୍ଟକର ହୋଇପାରେ। ସେଥିପାଇଁ ସେ ଜଗତସିଂହପୁର ଜିଲ୍ଲା ବିଜେଡିରେ ଲାଗି ରହିଥିବା କନ୍ଦଳରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଜଗତସିଂହପୁରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଜନ ସମର୍ଥନ ସାଉଁଟିବା ସହ ଜିଲ୍ଲାରେ ଲୋକପ୍ରିୟତା ବଢାଇବାରେ ଲାଗିଛନ୍ତି। ତେଣୁ ଚିରଞ୍ଜୀବଙ୍କ କଂଗ୍ରେସ ଛାଡ଼ି ଶାସକ ବିଜେଡି ଦଳରେ ମିଶିବା ନେଇ ଜଗତସିଂହପୁରରେ ଚର୍ଚ୍ଚା ଜୋର ଧରିଛି। ସେ ଯଦି କଂଗ୍ରେସ ଛାଡ଼ି ବିଜେଡିର ମିଶନ୍ତି ତେବେ ତାହା ବଡ଼ ଆଶ୍ଚର‌୍ୟ୍ୟକର ଘଟଣା ହେବ ନାହିଁ। କାରଣ ଅତୀତରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରି ନେତା ନିଜର ରାଜନୈତିକ ମହତ୍ଵାକାଂକ୍ଷୀ ପାଇଁ କଂଗ୍ରେସ ଛାଡ଼ିଥିଲେ। ତେବେ ଦେଖିବା ବାକି ରହିଲା ଯେ, କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ପାଇଁ ବିଜେଡିରୁ ଡକରା ଆସୁଛି କି ନାହିଁ ?