Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

IPL 2023: ଗୋଟିଏ ସ୍ଲଟ୍ ଏବଂ ୩ଟି ଦଳ, ଶେଷରେ କେଉଁ ଦଳ ପହଞ୍ଚିବ ପ୍ଲେ ଅଫରେ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ପ୍ଲେ ଅଫରେ ୩ଟି ଦଳ ପହଞ୍ଚି ସାରିଛନ୍ତି। ଗୁଜରାଟ୍ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ସହ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚଳିତ ସଂସ୍କରଣର ଶୀର୍ଷ ୪ ଦଳ ମଧ୍ୟରେ ପ୍ରବେଶ କରିଛନ୍ତି। ଏବେ କେବଳ ଗୋଟିଏ ସ୍ଥାନ ଖାଲି ରହିଥିବା ବେଳେ ଦୌଡ଼ରେ ଅଛନ୍ତି ମୁମ୍ଵାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ। ରବିବାର ଲିଗ୍ ପର‌୍ୟ୍ୟାୟ ସରୁଥିବା ବେଳେ ଏଥି ସହିତ ପ୍ଲେ ଅଫର ଚିତ୍ର ସ୍ପଷ୍ଟ ହୋଇଯିବ। ଆଜିର ପ୍ରଥମ ମୁକାବିଲା ମୁମ୍ବାଇ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ସନ୍ଧ୍ୟାରେ ଦ୍ଵିତୀୟ ମୁକାବିଲା ମୁହାଁମୁହିଁ ହେବେ ଗୁଜରାଟ୍ ଟାଇଟନ୍ସ ଏବଂ ବାଙ୍ଗାଲୋର। ମୁମ୍ବାଇକୁ ପ୍ଲେ ଅଫ ଦୌଡ଼ରେ ରହିବାକୁ ହେଲେ ନିଜର ଅନ୍ତିମ ମୁକାବିଲା ଯେ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ଏଥିସହ ଅନ୍ୟ ଦଳର ପରିଣାମ ଉପରେ ମଧ୍ୟ ନିର୍ଭର ରହିବାକୁ ପଡ଼ିବ। ଚାଲନ୍ତୁ ବୁଝିବା ସମୀକରଣ…

ମୁମ୍ବାଇ ବର୍ତ୍ତମାନ ୧୩ଟି ମ୍ୟାଚରୁ ୭ ବିଜୟ ସହ ୧୪ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି। ଆରସିବି ମଧ୍ୟ ସମାନ ୧୪ ପଏଣ୍ଟ ସହ ଉନ୍ନତ ନେଟ୍ ରନ ରେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ରହିଛି। ମୁମ୍ବାଇ ଏବଂ ଆରସିବି ଯଦି ନିଜର ଶେଷ ମ୍ୟାଚ୍ ଜିତିଯାଆନ୍ତି ତେବେ ଉଭୟ ଦଳର ପଏଣ୍ଟ ୧୬-୧୬ ରହିବ। ଏମିତିରେ ଉନ୍ନତ ନେଟ୍ ରନ ରେଟ୍ ଥିବା ଦଳ ପ୍ଲେ ଅଫରେ ପ୍ରବେଶ କରିବ। ମୁମ୍ବାଇକୁ ଯଦି ଆରସିବିଠୁ ଆଗରେ ରହିବାର ଅଛି ତେବେ ହାଇଦ୍ରାବାଦକୁ ଅତି କମରେ ୭୯ ରନରେ ମାତ୍ ଦେବାକୁ ହେବ। ହେଲେ ମୁମ୍ବାଇ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିଲେ ମଧ୍ୟ ଆରସିବି ନିକଟରେ ସୁଯୋଗ ରହିବ। ଆରସିବିର ମ୍ୟାଚ୍ ସନ୍ଧ୍ୟାରେ ଥିବାରୁ ପ୍ଲେ ଅଫରେ ପହଞ୍ଚିବା ପାଇଁ କଣ ସମୀକରଣ ଦରକାର ତାର ଚିତ୍ର ମିଳିଯିବ।

ଏହା ବ୍ୟତୀତ ଯଦି ମୁମ୍ବାଇ ଏବଂ ଆରସିବି ଯଦି ନିଜ ନିଜର ଶେଷ ମ୍ୟାଚ୍ ହାରି ଯାଆନ୍ତି ତେବେ ରାଜସ୍ଥାନର ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ରହିବ। ଏମିତିରେ ତିନି ଦଳର ପଏଣ୍ଟ ୧୪ରେ ରହିବ ଏବଂ ନେଟ୍ ରନ ରେଟ୍ ଆଧାରରେ କୌଣସି ଗୋଟିଏ ଦଳ ପ୍ଲେ ଅଫରେ ପ୍ରବେଶ କରିବ। ଅନ୍ୟପଟେ ଆରସିବିର ମ୍ୟାଚ୍ ଉପରେ ବର୍ଷାର ବିପଦ ରହିଛି। ବାଙ୍ଗାଲୋରରେ ସନ୍ଧ୍ୟାରେ ମ୍ୟାଚ୍ ସମୟରେ ୬୦ରୁ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଆସିବି ଏବଂ ଜିଟି ମଧ୍ୟରେ ମ୍ୟାଚ୍ ରଦ୍ଦ ହୋଇଯାଏ ତେବେ ୨ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଏମିତିରେ ମୁମ୍ବାଇ ନିଜର ଶେଷ ମୁକାବିଲା ଜିତି ପ୍ଲେ ଅଫରେ ପହଞ୍ଚି ପାରିବ। ଯଦି ମୁମ୍ବାଇ ହାରିଯାଏ ତେବେ ଆରସିବି କ୍ଵାଲିଫାଏ କରିବ, କାରଣ ଦଳର ପଏଣ୍ଟ ୧୫ ରହିବ।