ମନରେଗା ଯୋଜନାରେ ମୋଟା ଅଙ୍କର ଅର୍ଥ ହଡ଼ପ ଅଭିଯୋଗରେ ଜେଲ୍ ଗଲେ କନିଷ୍ଠ ଯନ୍ତ୍ରୀ
ବଲାଙ୍ଗୀର : ସରକାର ଦାଦନ ସମସ୍ୟା ରୋକିବାକୁ ମନରେଗା ଯୋଜନା କରିଛନ୍ତି। ହେଲେ ଉକ୍ତ ଯୋଜନାର ଟଙ୍କା ପ୍ରକୃତ ଶ୍ରମିକ ବଦଳରେ ଦାୟିତ୍ୱରେ ଥିବା ବିଭାଗୀୟ ବାବୁ କିଭଲି ହଡ଼ପ କରୁଛନ୍ତି ତାହା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ରେ । ଉକ୍ତ ଯୋଜନାର ପ୍ରାୟ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେରଫେର୍ କରି ଗତକାଲି ଗିରଫ ହୋଇ ଜେଲ୍ ଯାଇଛନ୍ତି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଜେଇ ଜୟ ନାରାୟଣ ବାଗ । ହଡ଼ପ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତାଙ୍କୁ ଗିରଫ କରିଛି ବଲାଙ୍ଗୀର ଭିଜିଲାନ୍ସ । ବେଲପଡା ଗ୍ରାମ ପଞ୍ଚାୟତର ମନରେଗା ଯୋଜନାର ଟଙ୍କାକୁ ନକଲି ମଷ୍ଟର ରୋଲ ପ୍ରସ୍ତୁତ କରି ନକଲି ଶ୍ରମିକଙ୍କ ବ୍ୟାଙ୍କ୍ ଖାତାରେ ଜମା କରି ସେହି ଟଙ୍କାକୁ ଚଲୁ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିର୍ତ୍ତିକରି ଗତ କିଛି ମାସ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ହରିଲୁଟ୍ ହୋଇଥିବା ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବଙ୍ଗୋମୁଣ୍ଡା ବ୍ଲକକୁ ଆସି ଖୋଡତାଡ଼ କରିବା ସହ ସଂପୃକ୍ତ ଫାଇଲ୍ କୁ ଜବତ କରିଥିଲା ବଲାଙ୍ଗୀର ଭିଜିଲାନ୍ସ ଟିମ୍ । ଖୋଡ଼ତାଡ଼ ପରେ ଅର୍ଥ ହଡପ ହୋଇଥିବା ଜଣାପଡିଥିଲା । ଫଳରେ ଆଜି ଦାୟିତ୍ୱରେ ଥିବା ବଙ୍ଗୋମୁଣ୍ଡା ବ୍ଲକର ଜେଇ ଜୟ ନାରାୟଣ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗୀର ଭିଜିଲାନ୍ସ । ସେପଟେ ଭିଜିଲାନ୍ସର ପ୍ରତିକ୍ରିୟା ମିଳି ପାରିନାହିଁ l

