Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଛୁଆ ଉଦ୍ଧାର କରିବାକୁ ଯାଇ ଫରେଷ୍ଟର ଗୁରୁତର , ହାତୀ ଛୁଆ ଉଦ୍ଧାର ।

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନାଞ୍ଚଳ ଅଧିନସ୍ଥ ବିଜାମାଲ୍ ଗାଁର ଏକ ପରିତ୍ୟକ୍ତ କୂଅରେ ଆଜି ଏକ ହାତୀ ଛୁଆ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ ।
ମୁରିବାହାଲ ଦମକଳ ବାହିନୀ, ବନବିଭାଗ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୂଅରେ ଖସିପଡ଼ି ରହିଥିବା ହାତୀ ଛୁଆକୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଟିକ୍ରାପଡ଼ା କେନ୍ଦୁଲିଫ୍ ଫରେଷ୍ଟର୍ ପ୍ରଦୀପ୍ କୁମାର ନାଥ ହାତୀ ଛୁଆ ଆକ୍ରମଣର ଶିକାର ହୋଇଛନ୍ତି ।
ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ସଂପୃକ୍ତ ଫରେଷ୍ଟରକୁ ପ୍ରଥମେ କଣ୍ଟାବାଞ୍ଜି ମେଡିକାଲ୍ କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଫରେଷ୍ଟରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ଉପସ୍ଥିତ ଡାକ୍ତର ତାଙ୍କୁ ଭୀମ ଭୋଇ ମେଡିକାଲ୍ ବଲାଙ୍ଗୀରକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ବିଗତ ବର୍ଷେରୁ ଉର୍ଦ୍ଧ୍ବ ସମୟ ଧରି ମୁରିବାହାଲ ବନାଞ୍ଚଳ ଅଧୀନ ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ୮ ଟୀକିଆ ହାତୀପଲରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଟୀକିଆ ବଣୁଆଁ ହାତୀପଲ ଗାଁ ମୁହାଁ ହୋଇଛନ୍ତି।
ଫଳରେ ସେଠାକାର ଚାଷୀଙ୍କ ଚାଷ ହୋଇଥିବା ଧାନ ସମେତ ଅନ୍ୟାନ୍ୟ ଫସଲକୁ ବ୍ୟାପକ କ୍ଷୟକ୍ଷତି କରୁଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅନେକ ସମୟରେ ହାତୀପଲ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଫଳରେ ସ୍ଥାନୀୟ ଗାଁ ଲୋକେ ପ୍ରାୟ ସମୟରେ ଭୟ ଏବଂ ଆତଙ୍କିତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି ।
ଏପରିକି ଗତ ବର୍ଷେ ତଳେ ସଂପୃକ୍ତ ବ୍ଲକ୍ ର ବଡ଼ସାଇମରା ପ୍ୟାକ୍ସରେ ହାତୀପଲ ରାତାରାତି ପସି ପ୍ୟାକ୍ସ ରେ ଥିବା ଚାଷୀଙ୍କ ବ୍ୟାପକ ଧାନ ଖାଇବା ସହ କ୍ଷୟକ୍ଷତି କରିଥିଲେ । ସେହିପରି ହାତୀ ଘୋଡେ଼ଇ ବାକୁ ଯାଇଥିବା ବେଳେ ଗତବର୍ଷ ଘୁସୁରାମୁଣ୍ଡା ଗାଁର ଜଣେ ଆଇପିସିଇଏ ସ୍କ୍ୱାର୍ଡ ଓଁକାର ବାଗ୍ ଙ୍କୁ ଦନ୍ତାହାତୀ ଦଳି ଦେଇଥିବା ବେଳେ ସଂପୃକ୍ତ ସ୍କ୍ୱାର୍ଡଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ଗତ ୨୧/୦୯/୨୦୨୫ରେ ଇଚ୍ଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗାଁର ବୃଦ୍ଧ ସତ୍ୟ ଦେଓଙ୍କୁ ବଣୁଆଁ ଦନ୍ତା ହାତୀ ଆକ୍ରମଣ କରି ଦଳି ଦେଇଥିବା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା ।
ତେବେ ଦିନକୁ ଦିନ ମୁରିବାହାଲ ବନାଞ୍ଚଳର ସ୍ଥାନୀୟ ଅଞ୍ଚଳରେ ବଣୁଆଁ ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳର ଚାଷୀ ବଣୁଆଁ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁଁ ବ୍ୟାପକ ଚାଷର କ୍ଷତି ସହୁଥିବା ବେଳେ କ୍ଷତିଗ୍ରସ୍ତ ଚାଷର ପ୍ରକୃତ ସହାୟତା ମୂଲ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଛି ।
ଏନେଇ ସଂପୃକ୍ତ ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ କରାଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ