ବଲାଙ୍ଗୀରରେ ଅଭାବନୀୟ ଘଟଣା ! ନାତିର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ଆଈ ।
ବଲାଙ୍ଗିର : ଆଜି ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ନିଜ ନାତିର ମୃତ୍ୟୁ ଖବର ଶୁଣି ଆଈ ର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀରର ସଦାଇପାଲି ଲୋୟର ସୁକତେଲ ବିସ୍ଥାପିତ କଲୋନୀ ତଥା (ଆର୍ ଆର୍) କଲୋନୀରେ । ଏହି କଲୋନୀରେ ସୁଧୀର ଖୁଆସଙ୍କ ପରିବାର ଲୋକ ଏକାଠି ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ସୁଧିରଙ୍କ ଏକମାତ୍ର ୧୮ ବର୍ଷୀୟ ପୁଅ ସୁମନ୍ ତାଙ୍କ ସାଙ୍ଗ ମାନଙ୍କ ସହ ବ୍ୟାଡ୍ ମିଣ୍ଟନ୍ ଖେଳିସାରି ରାତିରେ ନିଜ ଘରକୁ ଆସି ତାଙ୍କ ସହପାଠୀଙ୍କୁ ଆସନ୍ତାକାଲି କଲେଜ ଯିବାକୁ ଫୋନ୍ କରି ନିଜ ବାପା ସୁଧୀର ଙ୍କ ସହ ଏକାଠି ଶୋଇଥିଲେ । ଶୋଇଥିବା ବେଳେ ସୁମନ୍ ହଠାତ୍ ବିଳମ୍ବିତ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ । ଅସୁସ୍ଥ ସୁମନ୍ ଙ୍କୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମେଡିକାଲରରେ ଡ୍ୟୁଟିରେ ଥିବା ଡାକ୍ତର ପ୍ରାରମ୍ଭିକ ଚିକିତ୍ସା କରି ଘରକୁ ସୁମନ୍ କୁ ପଠାଇ ଦେଇଥିଲେ । ତେବେ ମଙ୍ଗଳବାର ଭୋର ସମୟରେ ସୁମନ୍ ପୁଣି ଅସୁସ୍ଥ ଅନୁଭବ କରି ଗୁରୁତର ହୋଇ ପଡିବାରୁ ପୁଣି ତାଙ୍କ ପରିବାର ଲୋକେ ସୁମନ୍ କୁ ମେଡିକାଲକୁ ନେଇଥିଲେ । ମେଡିକାଲ୍ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଡ଼ାକ୍ତର ସୁମନ୍ କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିବା ବେଳେ ନାତିର ମୃତଦେହ ଦେଖି ଆଈ ସୁନିତା ଖୁଆସ ଦୁଃଖରେ ଭାଙ୍ଗିପଡିବା ସହ ତାଙ୍କ ଦେହ ଖରାପ ହୋଇଯାଇଥିଲା । ଅସୁସ୍ଥ ସୁନୀତାଙ୍କୁ ତାଙ୍କ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା I
ତେବେ ଆଜି ଗୋଟିଏ ଜୁଈରେ ଉଭୟ ନାତି ଏବଂ ଆଈ ଙ୍କ ଶବ ସତ୍କାର ହୋଇଥିବା ବେଳେ ଏହି ଦୁଃଖଦ ଘଟଣା ଆଜି ସାରା ବଲାଙ୍ଗୀରରେ ଦୁଃଖର ଛାୟା ଖେଳାଇ ଦେଇଛି ।

