ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ; ଅଭିଯୁକ୍ତ ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କୁ ରିମାଣ୍ଡରେ ନେଇଛି ପୁଲିସ
ଭୁବନେଶ୍ୱର,୨୮|୧୧: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା । ହତ୍ୟାକାଣ୍ଡ ଏତେ ଦିନ ବିତିଯିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ତଦନ୍ତ ସରିନାହିଁ | ଗତ କିଛି ଦିନ ପୂର୍ବରୁ ପୋଲିସ କିଛି ଜଣଙ୍କୁ ରିମାଣ୍ଡରେ ନେଇଥିଲା | ଏବେ ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଶୂନ୍ୟ ଦାସ ଓ ସୁନୀଲ ହୋତା | ପୋଲିସ ୨ ଦିନ ପାଇଁ ରିମାଣ୍ଡରେ ନେଇ ଜେରା ଚଲେଇଛି । ହତ୍ୟାକାଣ୍ଡରେ ସାମିଲ ଥିବା ମୁଖ୍ୟ ଆସାମୀ ଓ ସୁଟର ଯୋଗାଡ଼ କରିଥିବା ଅଭିଯୁକ୍ତଙ୍କୁ ଦୁଇଥର ରିମାଣ୍ଡରେ ନେଇ ପୁଲିସ ଅନେକ ତଥ୍ୟ ସଂଗ୍ରହ କରିଛି । ତେବେ ଏବେ ଏଇ ଦୁଇ ଅଭିଯୁକ୍ତଙ୍କ ଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ଚେଷ୍ଟା ଚଲେଇଛି।
ସେହିପରି ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ସାମିଲ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଯୋଜନା କରୁଥିବାର ଅନୁମାନ ମଧ୍ୟ କରାଯାଉଛି । ସେମାନଙ୍କୁ ଖୁବ ଶୀଘ୍ର ଧରିବାକୁ ପୁଲିସ ତଦନ୍ତ ଜୋର ସୋରରେ ଆରମ୍ଭ କରିଥିବା କୁହାଯାଉଛି । ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି । ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୁଲିସ ପଚରା ଉଚୁରା କରୁଛି । ଏହି ହତ୍ୟାକାଣ୍ଡରେ ଆହୁରି ବହୁତ ଜଣ ସମ୍ପୃକ୍ତ ରହିଥିବାର ଅନୁମାନ କରାଯାଉଛି |
ଅନ୍ୟପଟେ ପୁଲିସ ମାମଲାର ଚାର୍ଜସିଟ୍ ଠିକ୍ ସମୟରେ କରିବାକୁ ଯୋଜନା କରିଛି । ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରିଛି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୁଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ହତ୍ୟାକାଣ୍ଡର ଅନେକ ତଥ୍ୟ ପଦାକୁ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅର୍ଥ କାରବାର ନେଇ କିଛି ବି ତଥ୍ୟ ସାମ୍ନାକୁ ଆସିନାହିଁ | ତେବେ ଏ ତଥ୍ୟ ବାହାରକୁ ଆସିଲା ପରେ ହିଁ ସବୁ କଥା ଜଣାପଡିବା ନେଇ ଆଶା କରାଯାଉଛି |

