ଶବକୁ ବିବାହ କଲେ ପ୍ରେମିକା; ବାପା, ଭାଇଙ୍କ ଗୁଳି ମାଡ଼ରେ ଚାଲିଗଲା ଜୀବନ
ମହାରାଷ୍ଟ୍ର;୪|୧୨: ପ୍ରେମ ପାଇଁ ଜୀବନ ଦେଇଦେବା କଥା ତ ସମସ୍ତେ ଶୁଣିଥିବେ | ଏହା ଗପ ଲାଗୁଥିଲେ ବି ସତରେ ଏମିତି ଏକ ଘଟଣା ଘଟିଛି | ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି | ଠିକ ଏମିତି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାନ୍ଦେଡରେ । ଏଠାରେ ପ୍ରେମକୁ ନେଇ ଯୁବକଙ୍କ ଜୀବନ ଚାଲିଯାଇଛି । ୨୧ ବର୍ଷୀୟ ଆଞ୍ଚଲ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଭାଇମାନେ ମିଶି ତାଙ୍କ ପ୍ରେମିକକୁ ଗୁଳି କରି ହତ୍ୟା କରିଛନ୍ତି । ଭୁଲ୍ ମାତ୍ର ଏୟା ଥିଲା ଯେ, ଦୁହେଁ ଅଲଗା ଅଲଗା ଜାତିର ଥିଲେ। ପ୍ରେମିକକୁ ସିନା ମାରିଦେଲେ ହେଲେ ପ୍ରେମ କିନ୍ତୁ ମରିଲାନି । ପ୍ରେମିକର କୋକେଇ ଉଠିବାବେଳକୁ ସେଠାରେ ଯାଇ ପହଞ୍ଚିଥିଲେ ପ୍ରେମିକା ଆଞ୍ଚଲ । ଆଉ ପ୍ରେମିକ ସକ୍ଷମର ରକ୍ତକୁ ନିଜ ମଥାରେ ଲଗାଇବା ସହ ତାଙ୍କ ମର ଦେହକୁ ବିବାହ କରିଥିଲେ । ସାରା ଜୀବନ ସକ୍ଷମଙ୍କ ପରିବାର ସହ ରହିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।
ଏହାକୁ ନେଇ ଆଞ୍ଚଲ କହିଛନ୍ତି ଯେ, ତାଙ୍କ ପରିବାର ଲୋକେ ତାଙ୍କର ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ। ତାଙ୍କ ପ୍ରେମକୁ ତାଙ୍କ ପରିବାର ଲୋକେ ବୁଝିପାରିଲେ ନାହିଁ | ତାଙ୍କର ୩ ବର୍ଷର ଏହି ପ୍ରେମ ସମ୍ପକର୍କୁ ନେଇ ଦୁହେଁ ବିବାହ କରିବାକୁ ଚାହୁଥିଲେ । କିନ୍ତୁ ସକ୍ଷମ ତଳ ଜାତିର ହୋଇଥିବାରୁ ଏହାକୁ ଆଞ୍ଚଲଙ୍କ ବାପା ଓ ଭାଇମାନେ ବିରୋଧ କରୁଥିଲେ । ଅନେକ ସମୟରେ ସକ୍ଷମଙ୍କୁ ଧମକ ଦେବା ସହ ତାଙ୍କ ଜାତି କଥା କହି ଅପମାନିତ ବି କରୁଥିଲେ । ଯେଉଁଦିନ ସକ୍ଷମଙ୍କ ହତ୍ୟା ହେଲା ସେଦିନ ତାଙ୍କ ବାପା ଓ ଭାଇ ଆଞ୍ଚଲଙ୍କୁ ନେଇ ପୁଲିସ ପାଖକୁ ଯାଇଥିଲେ ଏବଂ ସକ୍ଷମ ବିରୋଧରେ ତାଙ୍କ ମାଧ୍ୟମରେ ଏଫଆଇଆର ଦାଏର କରିବାକୁ ଚାହୁଥିଲେ । କିନ୍ତୁ ଆଞ୍ଚଲ ଏଥିପାଇଁ ସଫାସଫା ମନା କରିଦେଇଥିଲେ ।
ପୁଲିସ ବି ତାଙ୍କ ବାପା, ଭାଇଙ୍କୁ ଉସକାଇଲା ଭଳି କହିଥିଲେ, ଯଦି ଏତେ ସମସ୍ୟା ଅଛି ତାହେଲେ ଯାଆ ଆଗେ ତାକୁ ଗୁଳି ମାରିକି ଆସ । ଏହାକୁ ଚ୍ୟାଲେଞ୍ଜ ବୋଲି ମାନିନେଇ ଭାଇମାନେ ସକ୍ଷମଙ୍କ ଘର ପାଖରେ ରେକି କରିବା ସହ ସୁଯୋଗ ଦେଖି ତାଙ୍କୁ ପ୍ରଥମେ ଗୁଳି କରିଥିଲେ। ଏବଂ ପରେ ପଥରରେ ଛେଚି ଦେଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ସକ୍ଷମଙ୍କର ମୃତ୍ୟୁ ହୋଇଯାଇଥିଲା । ସକ୍ଷମଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ଭିତରେ ପ୍ରତିବାଦର ସ୍ବର ଉଠିଥିଲା। ଲୋକେ ଥାନା ଘେରିବାରୁ ବାଧ୍ୟ ହୋଇ ପୁଲିସ ଆଞ୍ଚଲଙ୍କ ବାପା ଓ ଭାଇମାନଙ୍କୁ ଗିରଫ କରିଛି।

