Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ବାବୁଙ୍କ ଫୋନ୍‌ ପାଇଁ ଖାଲି ହେଲା ପୂରା ଡ୍ୟାମ୍‌ ଜଳ

ରାୟପୁର: ବର୍ତ୍ତମାନ ସମୟରେ ମୋବାଇଲ୍ ଫୋନ୍ ସମସ୍ତଙ୍କ ପାଇଁ ବେଶ୍‌ ମୂଲ୍ୟବାନ ହୋଇପଡ଼ିଛି। ସ୍ବଳ୍ପ ସମୟ ପାଇଁ ବି ମୋବାଇଲ ବିନା ରହି ହେଉନଥିବା ପରିସ୍ଥିତି ଉପୁଜିଛି। ତେବେ ଛତିଶଗଡରେ ଏକ ସରକାରୀ ଅଧିକାରୀଙ୍କ ମୋବାଇଲ୍ ଡ୍ୟାମ୍‌ ରେ ପଡିଯିବାର ୩ ଦିନ ପରେ ଉଦ୍ଧାର କରାଯାଇଥିବା ଘଟଣା ସାମନାକୁ ଆସିଛି।

ରବିବାର ଦିନ କୋୟାଲିବେଡା ବ୍ଲକର ଫୁଡ ଇନ୍ସପେକ୍ଟର ରାଜେଶ ବିଶ୍ୱାସ ତାଙ୍କ ଛୁଟିଦିନରେ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଖେରକଟା ପାରଲକୋଟ ଜଳଭଣ୍ଡାର ପରିଦର୍ଶନରେ ଯାଇଥିଲେ। ଅନ୍ୟମନସ୍କ ଭାବରେ କୌଣସି ପ୍ରକାରେ ତାଙ୍କ ହାତରୁ ୯୬ ହଜାର ଟଙ୍କା ମୂଲ୍ୟର ସାମସଙ୍ଗ S23 ଫୋନଟି ୧୫ ଫୁଟ ଗଭୀର ପାଣିକୁ ଖସି ପଡ଼ିଥିଲା।

ଏହାପରେ ଆତଙ୍କିତ ଅବସ୍ଥାରେ ଶ୍ରୀ ବିଶ୍ୱାସ ଜଳସେଚନ ବିଭାଗ ନିକଟ‌ରେ ପହଞ୍ଚିଥିଲେ ଏବଂ ୧୫ ଫୁଟ ପାଣିରେ ଖସି ପଡ଼ିଥିବା ତାଙ୍କ ମୋବାଇଲକୁ ଉଦ୍ଧାର କରିବାର ଉପାୟ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ, ମୋବାଇଲ ବାହାର କରିବା ଲାଗି ଜଳଭଣ୍ଡାରର ଜଳ ନିଷ୍କାସନ କରାଗଲା। ଫଳସ୍ୱରୂପ ଜଳସେଚନ ଉଦ୍ଦେଶ୍ୟରେ ବ୍ୟବହୃତ ଗଚ୍ଛିତ ଜଳ ନିଷ୍କାସନ କରାଗଲା।

ଗୋଟିଏ ଦିନରେ ୨୧ ଲକ୍ଷ ଲିଟର ପାଣି ନିଷ୍କାସିତ ହେଲା ଏବଂ ତିନି ଦିନ ପରେ ଉଦ୍ଧାର ହୋଇଥିଲା ସରକାରୀ ବାବୁଙ୍କ ମୋବାଇଲ। ପ୍ରାୟ ୧୫୦୦ ଏକର ଜମି ଜଳସେଚନ ପାଇଁ ଏହି ଜଳ ବ୍ୟବହୃତ ହୋଇଥାନ୍ତା। ତେବେ ତିନି ଦିନ ପାଣିରେ ରହିବା ଫଳରେ ଫୋନଟି ଅଚଳ ହୋଇଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ