Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ଶୀତଳଷଷ୍ଠୀ: ଧରିତ୍ରୀ ରାଣୀ ହେଲେ ଶୀତଳ

ସମ୍ବଲପୁର: ଈଶ୍ୱରୀୟ ଚେତନା ଓ ଲୌକିକ ପରମ୍ପରାର ମହାପର୍ବ ଶୀତଳଷଷ୍ଠୀ ଯାତ୍ରା ଶେଷ ସ୍ୱର୍ଶ କରୁ କରୁ ଧରିତ୍ରୀ ହୋଇଛି ଶୀତଳ। ଦେବ ଦେବ ମାତା ପିତା ମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ପରେ ସନ୍ଧ୍ୟାରେ ବଦଳି ଯାଇଛି ପାଣିପାଗ। ପ୍ରବଳ ରୌଦ୍ରତାପରୁ ମୁକ୍ତି ପାଇଛନ୍ତି ମର୍ତ୍ତ୍ୟବାସୀ।ଶୀତଳଷଷ୍ଠୀ ଯାତ୍ରା ମଣିଷ ଓ ଈଶ୍ୱରଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାଧ୍ୟମ ବୋଲି ବିବେଚନା କରାଯାଇଥାଏ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମାନବୀୟ ରୀତିନୀତିରେ ଶିବ ପାର୍ବତୀଙ୍କ ବିବାହ କରାଇ ଉତ୍ତପ୍ତ ଧରଣୀକୁ ଶୀତଳ କରିବା ନିମନ୍ତେ ବର୍ଷାର ଆବାହନ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ଯ । ଏଥିପାଇଁ ବାବାଙ୍କ ବିବାହ ପାଇଁ କାହିଁ କେତେ ଦୂରଦୂରାନ୍ତରୁ ଭକ୍ତ ଓ କଳାକାରଙ୍କ ସମାବେଶର ସମରୋହ ହୃଦୟର ବନ୍ଧନ ପରି ସମ୍ବଲପୁର ମାଟି ସାଇତି ଧରିଛି । ଏହାବି ଆଜି ପ୍ରମାଣିତ ହୋଇଛି। ସନ୍ଧ୍ୟାରେ ମେଘରେ ଆସିଥିଲା କଳା ବାଦଳ।ଘଡଘଡି ସହିତ ବହିଥିଲା ଶୀତଳ ପବନ। ଏହା ପରେ ପରେ ଉତ୍ତପ୍ତ ଧରାପୃଷ୍ଟରେ ବର୍ଷିଛି ପାଣି । ଓଦା ହୋଇଛନ୍ତି ଧରିତ୍ରୀ ରାଣୀ । ଅସହ୍ୟ ଗରମରୁ ମୁକ୍ତିି ମିଳିଛି । ଶୀତଳତାର ପରିବେଶରେ ସବୁରି ମନରେ ଫୁଟି ଉଠିଛି ଉଲ୍ଲାସ। ସତରେ ଶିବ ପାର୍ବତୀଙ୍କ ବିବାହ କରାଇ ଉତ୍ତପ୍ତ ଧରଣୀକୁ ଶୀତଳ କରିବା ନିମନ୍ତେ ବର୍ଷାର ଆବାହନ ପାଇଁ ଶୀତଳଷଷ୍ଠୀ ଯାତ୍ରା ଏବେ କେବଳ ସମ୍ବଲପୁର ସହର ଭିତରେ ସୀମିତ ହୋଇରହିନାହିଁ। ବରଂ ସହର ଓ ଉପକଣ୍ଠର ସବୁ ଶିବାଳୟ କେବଳ ଶିବମୟ ହୋଇନି ବରଂ ସମଗ୍ର ପଶ୍ଚିମାଞ୍ଚଳରେ ଏହା ନୂଆଁ ପରମ୍ପରାର ସ୍ଥାନ ନେବାକୁ ବସିଛି । ସମ୍ବଲପୁର ସହରରେ ଆଜି ଲକ୍ଷାଧିକ ଲୋକଙ୍କ ସମାବେଶରେ ଯାତ୍ରା ଉଦଯାପିତ ହୋଇଛି । ଶାନ୍ତି ଶୃଙ୍ଖଳା ସହିତ ଏହା ସମାପିତ ହୋଇଥିବାରୁ ଜିଲ୍ଲାପାଳ ଅନନ୍ୟା ଦାଶ ଆଜି ସମସ୍ତ ଯାତ୍ରା କମିଟି,ସ୍ୱେଚ୍ଛାସେବୀ ଅନୁଷ୍ଠାନ,ପୋଲିସ ପ୍ରଶାସନ,ଗଣମାଧ୍ୟମ ଏପରିକି ଜନସାଧାରଣଙ୍କୁ ଏହାର ଶ୍ରେୟ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜର କୃତଜ୍ଞତା ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ