ହଟିବ କି କାଠ ଓ କୋଇଲା ଚୁଲା କଟକଣା, ବିଏମ୍ସି ନେଇପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ବର ୧୧।୩: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ୍ କୁ ନେଇ ଏବେ ବଡ଼ ସମସ୍ୟା ଦେଖାଦେଇଛି। ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ପଡିଛି । ହୋଟେଲ-ରେଷ୍ଟୁରାଣ୍ଟ ଗୁଡିକ ଏବେ ବନ୍ଦ ହେବା ଉପରେ । ବ୍ୟବସାୟୀ ମାନେ ଧର୍ମସଙ୍କଟରେ ପଡ଼ିଛନ୍ତି । କେମିତି ଚାଲିବ ବ୍ୟବସାୟ ସେନେଇ ଚିନ୍ତାରେ ଅଛନ୍ତି । ଏପରିକି ଛୋଟ ଛୋଟ ବ୍ୟବସାୟ ଯେମିତି କି ଚା’ଦୋକାନ, ଜଳଖିଆ ଦୋକାନ ଫାଷ୍ଟଫୁଡ଼୍ ଦୋକାନ ଏକପ୍ରକାର ବନ୍ଦ ହୋଇଗଲାଣି ।
ସୂଚନାଯୋଗ୍ୟ, ଭୁବନେଶ୍ଵର ବାୟୁ ପ୍ରଦୂଷଣ ହ୍ରାସ କରିବାକୁ କଟକଣା ଲାଗୁ କରାଯାଇଥିଲା। ଏଥିପାଇଁ କାଠ ଓ କୋଇଲା ଚୁଲାକୁ ମଧ୍ୟ ବନ୍ଦ କରାଯାଇଥିଲା । ଏମିତିକି ଯିଏ ଏହା ବ୍ୟବହାର କରୁଥିଲା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍ ମଧ୍ୟ କଟୁଥିଲା । ତେବେ ରନ୍ଧନ ଗ୍ୟାସ୍ ସମସ୍ୟାକୁ ଧ୍ୟାନ ରେ ରଖି ଏହି କଟକଣା ହଟିବା ନେଇ ସଙ୍କେତ ଦେଇଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ । କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିଯିବ । ଏଣିକି ବ୍ୟବସାୟୀ ମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ଏନେଇ ସଂଧ୍ୟାରେ ବସିବ ବୈଠକ । ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି ।
ଗ୍ୟାସ୍ ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ସାମୟିକ ଭାବେ କାଠ ଓ କୋଇଲା ଚୁଲି ଜାଳିବା ନେଇ ଅନୁମତି ଦେବ ବିଏମ୍ସି । ଗ୍ୟାସ୍ ସଙ୍କଟ ଯୋଗୁ କ୍ଷୁଦ୍ର ବ୍ୟବସାୟୀ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ପାଇଁ ରାଜଧାନୀରେ କାଠ ଓ କୋଇଲା ଚୁଲାରେ ରୋଷେଇ କରିବାକୁ ବାରଣ ହୋଇଥଲା । ଏହା ସହ ନିୟମ ଉଲଂଘନ କଲେ ଫାଇନ୍ ଆଦାୟ କରୁଥିଲା ବିଏମ୍ସି । ଏ ନେଇ ଆଜି ସଂପୂର୍ଣ୍ଣ ରୂପରେଖ ନେଇ ବୈଠକରେ ନିଷ୍ପତି ନେବ ବିଏମ୍ସି । ଏ ନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

