ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ; ନିମ୍ନମାନର ପିଚୁ କାମ ସପ୍ତାହେ ନପୁରୁଣୁ ଉଠି ଗଲାଣି ସମସ୍ତ ପିଚୁ !
ବଲାଙ୍ଗୀର,୦୨/୦୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତ ଅଧୀନରେ ଗତ କିଛି ସପ୍ତାହ ଭିତରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏକ ରାସ୍ତା କାମ ହୋଇଛି । ଏହି କାମରେ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଏବଂ ଦୁର୍ନୀତିର ଏକ ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ସ୍ଥାନୀୟ ମୁରିବାହାଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ସାଲେପଡ଼ା ର ପିଚୁ କାମ ଶେଷ ହେବାର କେବଳ ମାତ୍ର ସପ୍ତାହେ ନପୂରୁଣୁ ରାସ୍ତାରୁ ପିଚୁ ସବୁ ଉଠି ଗଲାଣି । ଏଭଳି ନିମ୍ନ ମାନର କାମକୁ ନେଇ ମୁରିବାହାଲ ବିକାଶ ମଞ୍ଚର ସଭାପତି ଫାଲଗୁନୀ ହାତୀ ଅଭିଯୋଗ କରିବା ସହ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଏହି ରାସ୍ତାର କାମ ଏତେ ନିମ୍ନ ମାନର ହୋଇଛି ଯେ, ହାତ ମାରିଲେ କିମ୍ବା ପାଦରେ ଘଷିଲେ ପିଚୁ ସ୍ତର ଉଠିଯାଉଛି। ନିୟମ ଅନୁଯାୟୀ ପିଚୁ ଏବଂ ମେଟାଲର ମିଶ୍ରଣ କରାଯାଇ ନଥିବା ବେଳେ କେବଳ ପତଳା ପିଚୁର ପ୍ରଲେପ ଦେଇ କାମ ସାରି ଦିଆଯାଇଛି । ଫଳରେ ସାମାନ୍ୟ ବର୍ଷା କିମ୍ବା ଯାନବାହନ ଚଳାଚଳ ଯୋଗୁଁ ରାସ୍ତାର ପିଚୁ ବାହାରି ପଡୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାମ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ରହିଥିବା ବେଳେ ଠିକାଦାର ନିଜ ମନମୁଖୀ କାର୍ଯ୍ୟ କରିଛନ୍ତି। ଯନ୍ତ୍ରୀ ଜଣକ କାମର ମାନ ଯାଞ୍ଚ ନକରି କିଭଳି ଭାବେ ବିଲ୍ ପାସ୍ କରିବେ କି କରିଛନ୍ତି ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
“ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ଥିବା ଭିତିରି ବୁଝାମଣା ଯୋଗୁଁ ସାଧାରଣ ଲୋକଙ୍କ ଟିକସ ଟଙ୍କା ପାଣିରେ ପଡୁଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ରାସ୍ତା ଦେଇ ଯିବା ଆସିବା କରିବା ଏବେ ବିପଦ ଜନକ ହୋଇପଡିଛି ବୋଲି ଜଣେ ସ୍ଥାନୀୟ ବାସିନ୍ଦା କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ତେବେ ଏହି ନିମ୍ନମାନର କାମ ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ବ୍ଲାକଲିଷ୍ଟ କରାଯିବା ସହ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଗ ଟିଟିଲାଗଡ଼ର ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ମାଝୀ ଙ୍କ ସମେତ ଏସ.ଡି.ଓ ପ୍ରଦୀପ କୁମାର ଲାଲ୍ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଉଭୟେ କଲ୍ ରିସିଭ୍ କରି ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଏଭଳି ଦୁର୍ନିତୀରେ ସଂପୃକ୍ତ ଠିକାଦାର ଏହି ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କି ପଦକ୍ଷେପ ନେଉଛି ?

